କାହିଁକି ଖୋଲିଗଲା ମହାମେଂଟର ଗଣ୍ଠି ! ବିହାର ରାଜନୀତିର ନାୟକ ନୀତିଶଙ୍କ କାହାଣୀ

49

ଖୋଲିଗଲା ମହାଗଠବନ୍ଧନର ଗଣ୍ଠି । ଲାଲୁଙ୍କ ହାତ ଛାଡିଲେ ନୀତିଶ । ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନୀତିଶ କୁମାର । ସନ୍ଧ୍ୟାରେ ରାଜ୍ୟପାଳ କେଶରୀ ନାଥ ତ୍ରିପାଠୀଙ୍କୁ ଭେଟି ଇସ୍ତଫା ଦେଇଛନ୍ତି ନୀତିଶ କୁମାର । ଗତ କିଛି ଦିନ ଧରି ଜେଡିୟୁ-ଆରଜେଡି-କଂଗ୍ରେସ ମହାମେଂଟକୁ ନେଇ ବିବାଦ ଦେଖିବାକୁ ମିଳିଥିଲା । ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବା ପରେ ଏହି ବିବାଦ ଆରମ୍ଭ ହୋଇଥିଲା । ତେବେ ତେଜସ୍ୱୀ ଇସ୍ତଫା ଦେବେନାହିଁ ଓ ନୀତିଶ କୁମାରଙ୍କୁ ସେ ମୁଖ୍ୟମନ୍ତ୍ରୀ କରିଛନ୍ତି ବୋଲି ଲାଲୁ ପ୍ରସାଦ ଯାଦବ କହିବାର କିଛି ଘଂଟା ପରେ ସେ ଇସ୍ତଫା ଦେଇଛନ୍ତି ।

ଏବେ ନଜର ପକାନ୍ତୁ ବିହାରର ଏହି ଚର୍ଚ୍ଚିତ ରାଜନୀତି ଉପରେ :
ବିହାରରେ ନୀତିଶ କୁମାରଙ୍କ ଜନତା ଦଳ ଜେଡିୟୁ ଏକଦା ବିଜେପି ନେତୃତ୍ୱରେ ଗଠିତ ଜାତୀୟ ଗଣତାନ୍ତ୍ରିକ ସାମୁଖ୍ୟର ଅଂଶ ଥିଲା । ଏପରିକି ୨୦୧୦ରେ ନିତୀଶଙ୍କ ଜେଡିୟୁ ଏବଂ ବିଜେପି ମିଶି ସରକାର କରିଥିଲେ । କିନ୍ତୁ ୨୦୧୩ରେ ଯେତେବେଳେ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ବିଜେପି ନିଷ୍ପତି ନେଲା ସେତେବେଳେ ବିଜେପିର ହାତ ଛାଡି ଦେଇଥିଲେ ନୀତିଶ । ଆଉ ୨୦୧୫ ବିଧାନସଭା ନିର୍ବାଚନର ଠିକ୍ ପୂର୍ବରୁ ନୀତିଶ କୁମାର , ଲାଲୁ ଓ କଂଗ୍ରେସ୍ ମିଶି ମହାମେଂଟ ଗଠନ କରିଥିଲେ । ନିର୍ବାଚନରେ ନୀତିଶଙ୍କ ଜେଡିୟୁ ଓ ଲାଲୁଙ୍କ ଆରଜେଡି ଦଳ ୧୦୧-୧୦୧ ସିଟରେ ଲଢିଥିବା ବେଳେ କଂଗ୍ରେସକୁ ମିଳିଥିଲା ୪୧ ସିଟ୍ । ଫଳରେ ଲୋକସଭା ନିର୍ବାଚନରେ ଦମଦାର ବିଜୟ ପରେ ବିହାର ଗଡ ଜୟ କରିବାକୁ ବାହାରିଥିବା ବିଜେପରି ରଥକୁ ଅଟକାଇ ଦେଇଥିଲା ଏହିମହାମେଂଟ । ଫଳସ୍ୱରୂପ ମହାଗଠବନ୍ଧନ ନିର୍ବାଚନରେ ବହୁମତ ପାଇବା ସହ ବିହାରର ମଙ୍ଗ ଧରିଥିଲେ ନିତୀଶ୍ କୁମାର ।

ମହାମେଂଟରେ ଅମାବାସ୍ୟାର ଅନ୍ଧାର :
ପ୍ରାୟ ୨୦ ମାସ ପର୍ୟ୍ୟନ୍ତ ସବୁ ଠିକ୍ ଥିଲା । ହେଲେ ଧୀରେ ଧୀରେ ଏହି ମହାଗଠବନ୍ଧନର ଗଣ୍ଠି ଢିଲା ହେବାକୁ ଲାଗିଲା , ଯେତେବେଳେ ମେ’୨୦୧୭ରେ ୧ହଜାର କୋଟି ବେନାମୀ ସମ୍ପତି ମାମଲାରେ ଲାଲୁଙ୍କ ଦିଲ୍ଲୀ – ଏନସିଆର ସମେତ ୨୨ ଟି ସ୍ଥାନରେ ଆୟକର ବିଭାଗ ଚଢାଉ କରିଥିଲା । ଏହା ପରେ ନୀତିଶ ଆଉ ଲାଲୁଙ୍କ ସଂପର୍କରେ ଆସିଥିଲା ନୂଆ ମୋଡ । କାରଣ ଲାଲୁ ଅଭିଯୋଗ କରିଥିଲେ ଏସବୁ ନୀତିଶଙ୍କ ଇସାରାରେ ହୋଇଛି ବୋଲି । ଏହା ପରେ ଜୁଲାଇ ପ୍ରଥମ ସପ୍ତାହରେ ସିବିଆଇ ଲାଲୁଙ୍କ ପତ୍ନୀ ରାବ୍ରୀ ଦେବୀ, ପୁଅ ତଥା ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ସହିତ ୮ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଆଉ ଅଭିଯୋଗ ଥିଲା ରେଳମନ୍ତ୍ରୀ ଥିବା ସମୟରେ ଲାଲୁ ପ୍ରସାଦ ଯାଦବ ରେଳବାଇର ହୋଟେଲ ଗୁଡିକର ମରାମତି ପାଇଁ ଟେଣ୍ଡର ଦେବାରେ ଅନିୟମିତତା କରିଥିଲେ । ଏହା ପରେ ଏହି ମେଂଟ ଉପରେ ମାଡି ଆସିଲା ଅମାବାସ୍ୟାର ଅନ୍ଧାର ।

ସରକାରରେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ନୀତିଶ ସ୍ପଷ୍ଟ କରିଦେଇଥିଲେ । ନୀତିଶଙ୍କ ଏହି ନିଷ୍ପତ୍ତି ଆରଜେଡିକୁ ଘୋର ଅଡ଼ୁଆରେ ପକାଇଥିଲା । କାରଣ ତେଜସ୍ୱୀଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଗଲେ ମହାମେଂଟ ଭାଙ୍ଗିଯିବା ଆଶଙ୍କା ରହିଥିଲା । ତେବେ ଆରଜେଡି ମଧ୍ୟ ଏ ବାବଦରେ କଠୋର ଆଭିମୁଖ୍ୟ ଗ୍ରହଣ କରି ତେଜସ୍ୱୀ ଇସ୍ତଫା ଦେବାର ପ୍ରଶ୍ନ ଉଠୁନାହିଁ ବୋଲି ଦଳର ରାଜ୍ୟ ଅଧ୍ୟକ୍ଷ କହିଥିଲେ ।

କିନ୍ତୁ ବେନାମୀ ସମ୍ପତ୍ତି ମାମଲାରେ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ସଂପୃକ୍ତି ପରେ ସରକାରରୁ ହଟାଇବାକୁ ମୁଖମନ୍ତ୍ରୀ ନୀତୀଶ କୁମାର ନିଷ୍ପତ୍ତି ନେଇ ସାରିଥିଲେ । ଏହି ପ୍ରସଙ୍ଗରେ ଜେଡିୟୁ ଏବଂ ଆରଜେଡି ମୁହାଁମୁହିଁ ସ୍ଥିତିରେ ଥିବା ବେଳେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ନୀତୀଶ ଚରମବାଣୀ ଶୁଣାଇ ଥିଲେ । ତେଜସ୍ୱୀ ଯାଦବଙ୍କୁ ଇସ୍ତଫା ଦେବାକୁ ପଡ଼ିବ ଏବଂ ଏହି ସମୟ ମଧ୍ୟରେ ତେଜସ୍ୱୀଙ୍କ ବିରୋଧରେ ଆରଜେଡିକୁ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହେବ ବୋଲି ନୀତୀଶ ସ୍ପଷ୍ଟ କରିଦେଇଥିଲେ । କିନ୍ତୁ ତେଜସ୍ୱୀଙ୍କୁ ସମର୍ଥନ କରିଥିଲେ ତାଙ୍କ ବାପା ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ । ଲାଲୁ କହିଥିଲେ ଯେ ଇସ୍ତଫା ଦେବା ପାଇଁ କେବଳ ଏତଲା ଯଥେଷ୍ଟ ନୁହେଁ । ତେଣୁ କେବଳ ଦୁର୍ନୀତି ଅଭିଯୋଗ ଏତଲା ଆଧାରରେ ତେଜସ୍ୱୀ ଇସ୍ତଫା ଦେବାର ପ୍ରଶ୍ନ ଉଠୁନି ବୋଲି ସ୍ପଷ୍ଟ କରିଥିଲେ ଲାଲୁ ଯାଦବ ।

ଧୀରେ ଧୀରେ ନୀତିଶ-ଲାଲୁଙ୍କ ମଧ୍ୟରେ ଫାଟ ବଢ଼ିବାରେ ଲାଗିଲା । ଏପରିକି ଏକ ସରକାରୀ କାର୍ଯ୍ୟକ୍ରମ ବିଶ୍ୱ ଯୁବ ଦକ୍ଷତା ଦିବସଠୁ ନିଜକୁ ଦୂରେଇ ରଖିଥିଲେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରିତ ହୋଇଥିଲେ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ।

କିନ୍ତୁ ଏହି କାର୍ଯ୍ୟକ୍ରମକୁ ଗଲେ ନାହିଁ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ । ଏମିତିକି ଏହି କାର୍ଯ୍ୟକ୍ରମରେ ଆରଜେଡି ନେତା ବିଜୟ ପ୍ରକାଶଙ୍କ ନିକଟରେ ବସିବା ବଦଳରେ ଜେଡିୟୁ ନେତାଙ୍କ ପାଖରେ ବସିଥିଲେ ନୀତିଶ କୁମାର । ତେଜସ୍ୱୀ ଯାଦବ ଏହି କାର୍ଯ୍ୟକ୍ରମରୁ ଦୂରେଇ ରହିବା ଫଳରେ ଅତିଥି ତାଲିକାରୁ ତାଙ୍କ ନାମକୁ ହଟାଇ ଦିଆଯାଇଥିଲା ।

ଏହାପରେ ପୁଣି ଦ୍ୱନ୍ଦ ବଢାଇଥିଲେ ନିତୀଶ୍ କୁମାର । ରାଷ୍ଟ୍ରପତି ନିର୍ବାଚନରେ ଏନଡିଏକୁ ସମର୍ଥନ କରି ନିତୀଶ କୁମାର ପୁରା ଗଣିତକୁ ଓଲଟପାଲଟ୍ କରିଦେଇଥିଲେ । ଗୋଟିଏ ପଟେ ଦୁର୍ନୀତି ଅଭିଯୋଗ ଆସିବା ପରେ ଖୋଲାଖୋଲି ଆରଜେଡିକୁ ସମାଲୋଚନା କରିଥିବା ବେଳେ ଲୋକଙ୍କ ସାମ୍ନାରେ ତଥ୍ୟ ରଖିବାକୁ କହିଥିଲେ ନିତୀଶ । ଯାହାକୁ ନେଇ ବିହାରରେ ଗଠନ ହୋଇଥିବା ମେଂଟ ସରକାର ଏକ ପ୍ରକାର ଦୋହଳି ଯାଇଥିଲା । ଏହା ପରେ ମୋଦିଙ୍କ ନିକଟତର ହେଉଛନ୍ତି ବୋଲି ଜୋରଦାର ଚର୍ଚ୍ଚା ହେଲା । ଆଉ ଏହି ଚର୍ଚ୍ଚାକୁ ବଢ଼ାଇ ଦେଇଥିଲା, ଯେତେବେଳେ ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ସମର୍ଥନ କଲେ । ଏହି ସବୁ ଘଟଣା ଜାତୀୟ ରାଜନୀତିର ମୋଡକୁ ବଦଳାଇ ଦେଇଥିଲା । ପ୍ରଶ୍ନ ଉଠିଲା କାହା ସାଙ୍ଗରେ ରହିବେ ନୀତିଶ । ମୋଦିଙ୍କ ସାଙ୍ଗରେ ରହିବେ ନା ରାହୁଲଙ୍କ ସାଙ୍ଗରେ ରହିବେ । ଆରଜେଡି ସହ ମତାନ୍ତର ବଢ଼ୁଥିବା ବେଳେ କଂଗ୍ରେସକୁ ସାଥୀ କରିବେ ନା’ ଭାରତୀୟ ଜନତା ପାର୍ଟି ସାଙ୍ଗରେ ଯିବେ ।

ଦୁର୍ନୀତିରେ ସମ୍ପୃକ୍ତିକୁ ନେଇ ତେଜସ୍ୱୀଙ୍କ ଇସ୍ତଫା ଜିଦରେ ନୀତିଶ ଅଟଳ ଥିବାବେଳେ ଆରଜେଡି ଇସ୍ତଫା ନଦେବା ଜିଦରେ ଅଟଳ । ତେବେ ତେଜସ୍ୱୀଙ୍କ ସ୍ଥାନରେ ଲାଲୁଙ୍କ ଦ୍ୱିତୀୟ ପୁଅ ତେଜପ୍ରତାପ ଯାଦବଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଅବସ୍ଥାପିତ କରିବାକୁ ମଧ୍ୟ ଲାଲୁ ଯୋଜନା କରିଥିବା ବେଳେ ନୀତିଶ ଏହାକୁ ଗ୍ରହଣ କରିବେ ନାହିଁ ବୋଲି ସ୍ପଷ୍ଟ ସୂଚନା ମିଳିଥିଲା । ଏବେ ଆରପାର ଲଢ଼େଇ ପାଇଁ ନୀତୀଶ ପ୍ରସ୍ତୁତ ହୋଇସାରିଥିବାରୁ ମିଳିତ ବିରୋଧୀ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ମଧ୍ୟ ସେ ସମର୍ଥନ କରିବେ ନାହିଁ ବୋଲି ଚର୍ଚ୍ଚା ହୋଇଥିଲା । ସେପଟେ ମହାମେଂଟରୁ ନୀତୀଶ ଓହରି ଆସିଲେ ସରକାରଙ୍କୁ ବିଜେପି ବାହାରୁ ସମର୍ଥନ ଦେବ ବୋଲି ଘୋଷଣା କରିସାରିଥିଲା ।

ବିଧାନସଭାରେ ଦଳୀୟ ସ୍ଥିତି : ସୁରକ୍ଷିତ ଅଛି ନୀତିଶଙ୍କ ସ୍ଥାନ
ସିଟ୍ ସଂଖ୍ୟା : ୨୪୩
ବହୁମତ ପାଇଁ ଅବଶ୍ୟକ : ୧୨୨
ଆରଜେଡି : ୮୦
ଜେଡିୟୁ : ୭୧
ବିଜେପି : ୫୩
କଂଗ୍ରେସ୍ : ୨୭ ଏବଂ ଅନ୍ୟାନ୍ୟ : ୦୫

ତିନିଟି ଦଳର ବିଧାୟକଙ୍କ ସଂଖ୍ୟା ୧୭୮ । ସରକାର ବନାଇବା ପାଇଁ ଆବଶ୍ୟକ ୧୨୨ ବିଧାୟକଙ୍କ ସମର୍ଥନ । ଯଦି ଆରଜେଡି ଠାରୁ ସଂପର୍କ ଭାଙ୍ଗି ନୀତିଶ ଏନଡିଏରେ ସାମିଲ୍ ହୁଅନ୍ତି ତେବେ କଂଗ୍ରେସର ୨୭ ବିଧାୟକ ବି ସରକାରରୁ ହଟିଯିବେ । ଏପରି ସ୍ଥଳେ ନୀତିଶଙ୍କୁ ନିଜ ସରକାର ବନାଇରଖିବାକୁ ହେଲେ ଆବଶ୍ୟକ ୫୧ ବିଧାୟକ । ବିଧାନସଭାରେ ବିଜେପି ପାଖରେ ଅଛନ୍ତି ୫୩ ବିଧାୟକ । ତେଣୁ ନୀତିଶ୍ ଏବଂ ବିଜେପି ମେଂଟ ହେଲେ ପୁଣି ଥରେ ବିହାରର ମଙ୍ଗ ଧରିପାରିବେ ନୀତିଶ୍ ।