୨୦୧୯ ସାଧାରଣ ନିର୍ବାଚନକୁ ନେଇ ତେଜୁଛି ରାଜନୀତି : ବିରୋଧୀଙ୍କ ମେଣ୍ଟକୁ ନେଇ ଚିନ୍ତାରେ ବିଜେପି, ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ଦଳୀୟ ନେତା

44

କନକ ବ୍ୟୁରୋ : ଆଗାମୀ ୨୦୧୯ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଦେଶର ସମସ୍ତ ରାଜନୀତି ଦଳ ନିଜନିଜ ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ । ଏହାସହ ଦଳୀୟ ନେତାମାନଙ୍କ ସହ ଘନଘନ ବୈଠକ ମଧ୍ୟ ହେଉଛି । ତେବେ ଆଗାମୀ ନିିର୍ବାଚନ ଅତ୍ୟନ୍ତ ଗୁୁରୁତ୍ୱପୂର୍ଣ୍ଣ ବୋଲି ଅନେକ ରାଜନୀତିକ ସମୀକ୍ଷକ କହୁଛନ୍ତି । ଅନେକ ଦଳ ଏବେଠାରୁ ସଭା ଓ ରାଲି ମଧ୍ୟ କରୁଛନ୍ତି । ବର୍ତ୍ତମାନ ସମୟରେ ବିହାରର ରାଜନୀତି ଉପରେ ସମସ୍ତେ ନଜର ରଖିଛନ୍ତି । କାରଣ ଭାରତୀୟ ଜନତା ଦଳ ସେଠାରେ କି ପ୍ରକାର ଭୂମିକା ଗ୍ରହଣ କରିବ ତାହା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ । ବିହାରରେ ମୋଟ ୪୦ ଟି ଲୋକସଭା ସିଟ୍ ରହିଛି । ପୂର୍ବ ସାଧାରଣ ନିର୍ବାଚନରେ ବିହାରରେ ୩୧ ଟି ସିଟରେ ଏନଡିଏ ବିଜୟ ହୋଇଥିବା ବେଳେ ବିଜେପି ୨୨ ଟିରେ ଓ ଅନ୍ୟ ଦଳ ଗୁଡିକ ୭ ଟି ଆସନରେ ବିଜୟ ହୋଇଥିଲା ।

୨୦୧୪ ରୁ ୨୦୧୮ ମସିହା ମଧ୍ୟରେ ଦେଶ ଅନେକ କ୍ଷେତ୍ରରେ ବଦଳିଥିବା ଦେଖାଯାଇଛି । ତେବେ ବିଜେପିର ବିଜୟ ରଥକୁ ଅଟକାଇବା ଲାଗି ବିରୋଧୀମାନେ ମଧ୍ୟ ଏକାଠି ହୋଇଛନ୍ତି । ତେଣୁ ୨୦୧୯ ସାଧାରଣ ନିର୍ବାଚନରେ କେଉଁ ଦଳ ଭଲ ପ୍ରଦର୍ଶନ କରିବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଲୋକସଭା ନିର୍ବାଚନ ପୂର୍ବରୁ ଏନଡିଏରେ ସାମିଲ ଥିବା ଅନେକ ଆଞ୍ଚଳିକ ଦଳ ଗୁଡିକ ମେଣ୍ଟରୁ ଓହରିଯାଇଛନ୍ତି । ୨୦୧୯ରେ ଶିବଶେନା ମଧ୍ୟ ଅଲଗା ନିର୍ବାଚନ ଲଢିବ ବୋଲି ଘୋଷଣା କରିଛି । ତେଣୁ ଏନଡିଏ ଏବେ ଚିନ୍ତା ପ୍ରକଟ କରିଛି ।

ବିହାରରେ ଜେଡିୟୁ କିନ୍ତୁ ନିଜର ଦାବି ପୂରଣ କରିବାରେ କୌଣସି ସୁଯୋଗ ହାତ ଛଡା କରୁନାହିଁ । ଚାଷୀମାନଙ୍କ ସୁବିଧା କରିବା ସହ କେନ୍ଦ୍ରଠାରୁ ଅଧିକ ସହାୟତା, ପେଟ୍ରୋଲ ଦର କମାଇବା ଆଦି ଅନେକ ଦାବି କରାଯାଉଛି । ଏହା ଛଡା ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ଦେବା ଲାଗି କେଜ୍ରିୱାଲଙ୍କ ଦାବୀକୁ ମଧ୍ୟ ସମର୍ଥନ କରିଛନ୍ତି ନୀତିଶ । ଏଥିରୁ ସ୍ପଷ୍ଟ ଭାବରେ ଜଣାପଡୁଛି ଯେ, ଜେଡୁୟୁ ଲୋକସଭା ଆସନର ଭାଗବଣ୍ଟାକୁ ଆଉ ଅପେକ୍ଷା କରିନପାରେ । ତେଣୁ ଏପରି ସମୟରେ ଏ ସମସ୍ତ ଦିଗରେ ଆଲୋଚନା ଲାଗି ଆଗାମୀ ଜୁଲାଇ ୧୨ ରେ ବିଜେପିର ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହା ନୀତିଶଙ୍କ ସହ ପାଟଣାରେ ଆଲୋଚନା କରିବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି ।

ଜେଡିୟୁ ବିହାରରେ ୧୫ ରୁ ୧୬ ଲୋକସଭା ଆସନ ସହ ଉତ୍ତରପ୍ରଦେଶ କିମ୍ବା ଝାଡଖଣ୍ଡରେ ମଧ୍ୟ ୪ ରୁ ୫ ଖଣ୍ଡ ଲୋକସଭା ଆସନ ଦାବି କରିବା ସହ କଂଗ୍ରେସ ସାଙ୍ଗରେ ମଧ୍ୟ କଥାବାର୍ତ୍ତା କରୁଛି ବୋଲି ଚର୍ଚ୍ଚା ଜୋର ଧରିଛି । ଆସନ୍ତା ୮ ତାରିଖରେ ଜେଡିୟୁର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ତେଣୁ ସେହି ବୈଠକରେ ସମସ୍ତ ନେତାଙ୍କ ସହ ଆଲୋଚନା ପରେ ନୀତିଶ ନିର୍ବାଚନ ପ୍ରସ୍ତୁତିକୁ ଜୋରଦାର କରିବେ ବୋଲି ଚର୍ଚ୍ଚା ଜୋର ଧରିଛି । ପ୍ରକାଶଥାଉକି ୨୦୧୩ ମସିହାରେ ଜେଡିୟୁ ଦିଲ୍ଲୀରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ କରିଥିଲା ଓ ସେଠାରେ ହଁ ମୋଦୀଙ୍କ ବିରୋଧରେ ଲଢେଇ କରିବାକୁ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ ନୀତିଶ ।