ବିହାରରେ ଏନଡିଏ ଆସନ ବୁଝାମଣାକୁ ନେଇ ଛିଡ଼ିଲା ଅଡୁଆ: ବିଜେପି ୧୭, ଜେଡ଼ିୟୁ ୧୭ ଓ ଏଲଜେପି ୬ ଆସନରେ ଲଢ଼ିବା ଚୂଡ଼ାନ୍ତ

ୟୁପି କିମ୍ବା ଝାରଖଣ୍ଡରୁ ରାଜ୍ୟସଭା ଯାଇପାରନ୍ତି ପାଶ୍ୱାନ

126

କନକ ବ୍ୟୁରୋ: ବିହାରରେ ଏନଡିଏ ଆସନ ବୁଝାମଣାକୁ ନେଇ ଛିଡ଼ିଲା ଅଡୁଆ । ୨୦୧୯ ନିର୍ବାଚନ ପାଇଁ ବିହାରରେ ଏନଡିଏ ମେଂଟ ସହଯୋଗୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଦୁର ହୋଇଛି । ଦିଲ୍ଲୀରେ ଆୟୋଜିତ ଏକ ବୈଠକ ପରେ କେଉଁ ଦଳ କେତୋଟି ଆସନରେ ଲଢ଼ିବ ସେ ନେଇ ଚୂଡ଼ାନ୍ତ ହୋଇଥିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସୂଚନା ଦେଇଛନ୍ତି ।

ନିଷ୍ପତି ଅନୁଯାୟୀ, ବିହାରର ୪୦ଟି ଲୋକସଭା ଆସନ ମଧ୍ୟରୁ ଭାରତୀୟ ଜନତା ପାର୍ଟି ବା ବିଜେପି ୧୭, ଜନତା ଦଳ ୟୁନାଇଟେଡ୍ ବି ଜେଡିୟୁ ୧୭ ଓ ଲୋକ ଜନଶକ୍ତି ପାର୍ଟି ବା ଏଲଜେପି ୬ଟି ଆସନରେ ପ୍ରାର୍ଥୀ ଦେବ । ଏହା ସହିତ ଏଲଜେପି ପ୍ରମୁଖ ରାମବିଳାସ ପାଶ୍ୱାନଙ୍କୁ ରାଜ୍ୟସଭାକୁ ପଠାଇବ ଏନଡିଏ । ତେବେ କିଏ କେଉଁ ଲୋକସଭା ଆସନରୁ ଲଢ଼ିବ ତାହା ଆଗାମୀ ଦିନରେ ନିଷ୍ପତି ନିଆଯିବ । ପୂର୍ବରୁ ଆସନ ବୁଝାମଣାକୁ ନେଇ ଏନଡିଏର ଅଂଶୀଦାର ଦଳ ଜେଡ଼ିୟୁ ଓ ଏଲଜେପି ନିଜ ଆଭିମୁଖ୍ୟ ଜାହିର କରିଥିଲେ ।

ସେହିପରି ଏନଡିଏରୁ ଓହରି ଉପେନ୍ଦ୍ର କୁଶୱାହା କଂଗ୍ରେସ ସହ ହାତ ମିଳାଇବା ପରେ ସମସ୍ତଙ୍କର ନଜର ଏଲଜେପି ମୁଖ୍ୟ ରାମବିଳାସ ପାଶ୍ୱାନଙ୍କ ଉପରେ ରହିଥିଲା । ଆଜି ବୈଠକରେ ଆସନ ଭାଗବଂଟାକୁ ନେଇ ଚୂଡ଼ାନ୍ତ ନିଷ୍ପତି ପରେ ଏନଡିଏ ଅନ୍ତତଃ ଆଶ୍ୱସ୍ତ ହେବା କୁହାଯାଉଛି ।