ସାର୍ପ ସୁଟରଙ୍କ ସହ ବିହାର ସ୍ୱାସ୍ଥ୍ୟମନ୍ତ୍ରୀ ତେଜପ୍ରତାପ : ସୋସିଆଲ ମିଡିଆରେ ଫଟୋ ଭାଇରାଲ

25

କନକ ବ୍ୟୁରୋ : ହତ୍ୟା ଅଭିଯୁକ୍ତ ଫେରାର ସାର୍ପ ସୁଟରଙ୍କ ସହ ମନ୍ତ୍ରୀ ତେଜ ପ୍ରତାପ ଯାଦବ । ବିହାରର ଫେରାର ସାର୍ପ ସୁଟର ମହମ୍ମଦ କୈଫ ଓରପ ବଂଟିଙ୍କ ସହ ମନ୍ତ୍ରୀ ତଥା ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ ପ୍ରତାପ ଯାଦବଙ୍କ ଫଟୋକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ସାମ୍ବାଦିକ ରାଜଦେବ ରଂଜନଙ୍କ ହତ୍ୟା ମମାଲାରେ ଅଭିଯୁକ୍ତ ମହମ୍ମଦ କୈଫକୁ ଖୋଜୁଛି ପୁଲିସ । ତେଜପ୍ରତାପଙ୍କ ସହ ମହମ୍ମଦ କୈଫର ଫଟୋ ଭାଇରାଲ ହେବା ପରେ ଲାଲୁଯାଦବଙ୍କ ଘରକୁ ମହମ୍ମଦର ଅବାଧ ପ୍ରବେଶ ଥିବା ଅଭିଯୋଗ ହୋଇଛି । ବିହାରର ସ୍ୱାସ୍ଥ୍ୟ ମନ୍ତ୍ରୀ ତେଜପ୍ରତାପ ଯାଦବଙ୍କ ସହ ଭାଇରାଲ ହୋଇଥିବା ଫଟୋଟି କେବେ ଓ କେଉଁଠାରେ ଉଠାଯାଇଥିବା ସେ ନେଇ ସମ୍ପୂର୍ଣ୍ଣ ସୂଚନା ମିଳିନାହିଁ ।

ମହମ୍ମଦ କୈଫ ସହ ନିଜ ଫଟୋ ଭାଇରାଲ ହେବା ପରେ ସ୍ପଷ୍ଟିକରଣ ଦେଇଛନ୍ତି ତେଜପ୍ରତାପ । ପ୍ରତିଦିନ ହଜାର ହଜାର ଲୋକ ତାଙ୍କ ସହ ଫଟୋ ଉଠାନ୍ତି ଏବଂ କେହି ଅପରାଧୀ ବୋଲି ତାଙ୍କୁ ମୁହଁରେ ଲେଖାହୋଇନଥାଏ ବୋଲି ସେ କହିଛନ୍ତି । ଏପଟେ ସ୍ୱାସ୍ଥ୍ୟ ମନ୍ତ୍ରୀ ତେଜପ୍ରତାପଙ୍କୁ କ୍ୟାବିନେଟରୁ ବରଖାସ୍ତ କରିବା ପାଇଁ ଦାବି କରିଛି ବିଜେପି । ତେବେ ତେଜପ୍ରତାପ ଓ ମହମ୍ମଦ କୈଫଙ୍କ ମଧ୍ୟରେ କ’ଣ ସମ୍ପର୍କ ରହିଛି ସେ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ସାମ୍ବାଦିକ ରାଜଦେବ ରଂଜନଙ୍କ ପତ୍ନୀ ।