ଉତ୍ତର-ପୂର୍ବ ଭାରତରେ ବନ୍ୟା ମୃତ୍ୟୁ ସଂଖ୍ୟା ୨ଶହରୁ ଅଧିକ ! ବିହାର ସର୍ବାଧିକ ପ୍ରଭାବିତ, ପାଣି ଘେରରେ ୧୭ଟି ଜିଲ୍ଲାର ଲକ୍ଷାଧିକ ଲୋକ

40

କନକ ବ୍ୟୁରୋ: ଉତ୍ତର ପୂର୍ବ ଭାରତରେ ବନ୍ୟାର ପ୍ରକୋପ । ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ ଓ ଆସାମରେ ପ୍ରଳୟଙ୍କରୀ ବନ୍ୟା ଆସିଛି । ଆଉ ଏହି ବନ୍ୟାରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏହି ୪ ରାଜ୍ୟରେ ବନ୍ୟାରେ ମୃତ୍ୟୁସଂଖ୍ୟା ୨ ଶହରୁ ଅଧିକ ହେଲାଣି । ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ବିହାର । କେବଳ ବିହାରରେ ମୃତ୍ୟୁସଂଖ୍ୟା ୧୫୩ । ରାଜ୍ୟର ୧୭ଟି ଜିଲ୍ଲାରେ ୧ କୋଟି ଲୋକ ପ୍ରଭାବିତ ହୋଇଛନ୍ତି । ରିଲିଫ ଓ ଉଦ୍ଧାର କାମ ପାଇଁ ସେନାକୁ ମୁତୟନ କରାଯାଇଛି ।

ଅଧିକାଂଶ ଅଂଚଳରେ ରିଲିଫ ପହଂଚିନଥିବାକୁ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ନେପାଳକୁ ଲାଗିଥିବା ସୀମାରେ ବନ୍ୟା ପରିସ୍ଥିତି ଜଟିଳ ହୋଇଛି । ବିଶେଷକରି ସୀତାମଢି, ଆରାରିଆ, ପଶ୍ଚିମ ଚମ୍ପାରଣ ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି । ଏବେବି ଲକ୍ଷାଧିକ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି । ତେବେ ପ୍ରଶାସନ ଲୋକଙ୍କ ପାଖରେ ପଂହଚିପାରିନାହିଁ । ଅଧିକ ବର୍ଷା ପାଇଁ ପାଣିପାଗ ବିଭାଗର ଚେତାବନୀ ପରେ ଲୋକଙ୍କ ଆତଙ୍କ ବଢିଯାଇଛି । ଉତ୍ତରପ୍ରଦେଶରେ ବି ବନ୍ୟା ସ୍ଥିତି ସଙ୍ଗୀନ ରହିଛ ିା ଉଦ୍ଧାର କାମରେ ସେନା ମୁତୟନ ହୋଇଛନ୍ତି । ବର୍ଷା କମିବା ଯୋଗୁଁ ଆସାମ ଓ ପଶ୍ଚିମବଙ୍ଗ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି ।

ସୂଚନା ମୁତାବକ, ନେପାଳ ପାଣି ଛାଡିବା ଫଳରେ ବିହାରର ବନ୍ୟା ପରିସ୍ଥିତି ଅଧିକ ସଙ୍ଗୀନ ହୋଇଛି । ରାଜ୍ୟରେ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା ୧୫୩ରେ ପଂହଚିଛି । ୧୭ ଟି ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି । ଜଳବନ୍ଦୀ ଥିବା ୧ କୋଟି ଲୋକଙ୍କୁ ଉଦ୍ଧାର କରିବା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ହୋଇଛି । ବିଶେଷକରି ନେପାଳକୁ ଲାଗିଥିବା ଉତ୍ତର-ପୂର୍ବ ଜିଲ୍ଲାଗୁଡିକରେ ପରିସ୍ଥିତି ସଙ୍ଗୀନ ହୋଇଛି । ରିଲିଫ ଓ ଉଦ୍ଧାର କାମରେ ସେନାକୁ ଲଗାଯାଇଛି । କିନ୍ତୁ ଅଧିକାଂଶ ସ୍ଥାନରେ ରିଲିଫ କି ସହାୟତା ପଂଚିପାରିନାହିଁ । ଫଳରେ ଲୋକେ ୪-୫ ଦିନ ହେଲା ଭୋକଓପାସରେ ଅଛନ୍ତି । ସରକାର ଦାବି କରୁଛନ୍ତି, ରିଲିଫ ପହଂଚିଛି । କିନ୍ତୁ ଲୋକେ ଏହା ପାଉନଥିବା ଅଭିଯୋଗ କରିଛନ୍ତି । ସେହିପରି ପଶ୍ଚିମ ବଙ୍ଗରେ ମଧ୍ୟ ସମାନ ପରିସ୍ଥିତି ।

ରାଜ୍ୟର ୬ଟି ଜିଲ୍ଲା ବନ୍ୟା ଦ୍ୱାରା ବିଶେଷ ପ୍ରଭାବିତ ହୋଇଥିବା ସରକାରୀ ଭାବେ କୁହାଯାଇଛି । ବିଭିନ୍ନ ସ୍ଥାନରେ ଗାଁ ଗଣ୍ଡାରେ ପାଣି ପଶି ଥିବା ବେଳେ ଏକର ଏକର ଚାଷ ଜମିରେ ବନ୍ୟା ପାଣି ମାଡିଯାଇଛି । ବନ୍ୟା ପରିସ୍ଥିତି ଏଭଳି ହୋଇଛି ଯେ, କେତେକ ଅଂଚଳରେ ବିଦ୍ୟୁତ ଯୋଗାଣ ବନ୍ଦ ରହିଛି । ବନ୍ୟା ଯୋଗୁଁ ବେସରକାରୀ ଭାବେ ୩୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେପଟେ, ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରିବାକୁ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ସରକାର ।

ଅନ୍ୟପଟେ, ବନ୍ୟାକ୍ଷତିଗ୍ରସ୍ତ ଅଂଚଳ ବୁଲି ଦେଖିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ । ଯୋଗୀ ଆଦିତ୍ୟ ନାଥ । ମୁଖ୍ୟମନ୍ତ୍ରୀ ବଳରାମପୁର, ତୁଳସୀପୁର ଓ ଉତରୋଲା ବନ୍ୟାଂଚଳ ବୁଲିଛନ୍ତି । ନିଜେ ମୁଖ୍ୟମନ୍ତ୍ରୀ ଡଙ୍ଗାରେ ବସି ଜଳ ପ୍ରଳୟ ଦେଖିବା ପରେ ବନ୍ୟାପ୍ରଭାବିତ ଲୋକଙ୍କୁ ଭେଟି ସମସ୍ୟା ପଚାରି ବୁଝିଛନ୍ତି । ବନ୍ୟା ପୀଡ଼ିତଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଯୋଗୀ ଆଦିତ୍ୟନାଥ । ଏଥିସହ ଯୁଦ୍ଧକାଳୀନ ଭିତିରେ ରିଲିଫ ଯୋଗାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।