ବାୟୁୁସେନା ପରେ ଏବେ ନୌସେନାରେ କମାଲ୍ କରିବେ ମହିଳା : ନୌସେନା ଦିବସରେ ପ୍ରଥମ ନୌସେନା ମହିଳା ପାଇଲଟ୍ ଭାବେ ଜାହାଜ ଚଲାଇବେ ଶିବାଙ୍ଗୀ ସ୍ୱରୁପ୍ ।

222

ଆସନ୍ତାକାଲି ନୌସେନା ଦିବସ । ଏହି ଦିବସ ଅବସରରେ ଚଳଚଞ୍ଚଳ ହୋଇଉଠିଛନ୍ତି ନୌବାହିନୀର ଯବାନ । ତେବେ ଆକାଶ ପରେ ଏବେ ସମୁଦ୍ର ଜଳରାଶିରେ ପରାକାଷ୍ଠା ଦେଖାଇବେ ଭାରତୀୟ ମହିଳା । ବାୟୁସେନା ପରେ ନୌସେନାକୁ ମିଳିବାକୁ ଯାଉଛି ଦେଶର ପ୍ରଥମ ମହିଳା ପାଇଲଟ । ସବ ଲେଫ୍ଟିନାଣ୍ଟ ଶିବାଙ୍ଗୀ ସ୍ୱରୁପଙ୍କୁ ନୌସେନାର ପ୍ରଥମ ମହିଳା ପାଇଲଟ ଭାବେ ଚୟନ କରାଯାଇଛି । ସେ ନୌସେନାର ପ୍ରଥମ ମହିଳା ପାଇଲଟ ଭାବେ ଯୋଗ ଦେଇଛନ୍ତି । ଏହାପରେ ସେ କୋଚିସ୍ଥିତ ନୌବାହିନୀର ଅପରେଶନ ଡ୍ୟୁଟିରେ ସାମିଲ ହୋଇ ଫିକ୍ସଡ୍ ୱିଙ୍ଗ ଡୋର୍ନିୟର ସର୍ଭିଲାନ୍ସ ବିମାନ ଉଡାଇଛନ୍ତି ।

ଏହି ବିମାନକୁ କମ୍ ଦ୍ରୁତଗାମୀ ସାମୁଦ୍ରିକ ମିଶନରେ ପଠାଯାଇଥାଏ । ଏଥିରେ ଆଡଭାନ୍ସ ସର୍ଭିଲାନ୍ସ ସିଷ୍ଟମ, ରାଡାର, ନେଟୱାର୍କିଂ ସିଷ୍ଟମ, ଇଲେକ୍ଟ୍ରୋନିକ ସେନ୍ସର ଲାଗିଥାଏ । ଯାହା ସମୁଦ୍ରର ଅନୁପ୍ରବେଶ ରୋକିବା, ଶତ୍ରୁ ଗତିବିଧି ଉପରେ ନଜର ରଖିବା ଦିଗରେ ବେଶ ସହାୟକ ହୋଇଥାଏ । ଗତ ବର୍ଷ ଜୁନରେ ଶିବାଙ୍ଗୀ ନୌସେନାରେ ଭର୍ତ୍ତି ହୋଇଥିଲେ । ନିକଟରେ ସେ ତାଙ୍କର ଅପେରସନାଲ ଟ୍ରେନିଂ ଶେଷ କରିଛନ୍ତି । ଡିସେମ୍ବର ୪ରେ ହେବାକୁ ଥିବା ନୌସେନା ଦିବସ ସମାରୋହରେ ବ୍ୟାଚ୍ ପିନ୍ଧା ଯିବା ପରେ ବିଧିବଦ୍ଧଭାବେ ତାଙ୍କୁ ଏହି ଦାୟିତ୍ୱ ମିଳିବ ।

ସୂଚନାନୁସାରେ, ବିହାରର ମୁଜଫରପୁର ବାସିନ୍ଦା ହେଉଛନ୍ତି ଶିବାଙ୍ଗୀ ସ୍ୱରୂପ । ସେ ୨୦୧୦ ରେ ଡିଏଭି ପବ୍ଲିକ୍ ସ୍କୁଲର ସିବିଏସଇ ୧୦ମ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ । ବିଜ୍ଞାନରେ ଦ୍ୱାଦଶ ପାସ୍ କରିବା ପରେ ସେ ଇଞ୍ଜିନିୟରିଂରେ କ୍ୟାରିଅର କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏମଟେକ ଡିଗ୍ରୀ ହାସଲ କରିବା ପରେ ଏସଏମବି ପରୀକ୍ଷା ସହାୟତାରେ ସେ ନୌସେନାରେ ସବ୍ ଲେଫ୍ଟିନାଣ୍ଟ ଭାବେ ଚୟନ ହୋଇଥିଲେ । ଟ୍ରେନିଂ ପରେ ତାଙ୍କୁ ପ୍ରଥମ ମହିଳା ପାଇଲଟ ଭାବେ ଚୟନ କରାଯାଇଛି । ଏଥି ସହିତ ଶିବାଙ୍ଗୀ ଦେଶର ପ୍ରଥମ ମହିଳା ପାଇଲଟ ହୋଇଛନ୍ତି । ସେହିଭଳି ଚଳିତ ବର୍ଷ ଭାବନା କାନ୍ତ ଭାରତୀୟ ବାୟୁସେନାର ପ୍ରଥମ ମହିଳା ପାଇଲଟ୍ ହୋଇଥିଲେ ।