ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ବିହାର ଗସ୍ତ : ନୀତିଶଙ୍କ ସହ ସିଟ ଭାଗବଣ୍ଟାକୁ ନେଇ କରିପାରନ୍ତି ଆଲୋଚନା

37

କନକ ବ୍ୟୁରୋ : ଭାରତୀୟ ଜନତା ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଝାଡଖଣ୍ଡରେ ଆଦିବାସୀଙ୍କ ସହ କଥା ଶୁଣିଲାପରେ ଗୁରୁବାର ବିହାରର ପାଟନାଠାରେ ପହଞ୍ଚିଛନ୍ତି ଶାହା । ପରେ ବିହାରର ମୁଖ୍ୟମନ୍ତ୍ରୀ ମଧ୍ୟ ରାଜ୍ୟ ଅତିଥି ଭବନରେ ପହଞ୍ଚିସାରିଛନ୍ତି ଓ ସେଠାରେ ଶାହା ନୀତିଶଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଥିବା ଜଣାପଡିଛି । ସେଠାରେ ଅନ୍ୟ ବିଜେପି ନେତା ମାନେ ମଧ୍ୟ ଉପସ୍ଥିତ ଥିବା ଜଣାପଡିଛି । ଏହାସହ ସେଠାକାର ବିଜେପି ନେତାଙ୍କ ସହ ଶାହା ବୈଠକ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ତେବେ ସକାଳ ଆଲୋଚନା ପରେ ରାତି ଭୋଜନରେ ମଧ୍ୟ ଶାହାଙ୍କ ସହ ଆଲୋଚନା ହେବାର ସ୍ଥିର କରାଯାଇଛି । ଅନୁମାନ କରାଯାଉଛି ଯେ , ଆଗାମୀ ନିର୍ବାଚନ ପାଇଁ ଆଜିର ବୈଠକରେ କାର୍ଯ୍ୟପନ୍ଥା ପ୍ରାୟ ସ୍ଥିର କରାଯାଇପାରେ । ତେବେ ଦିଲ୍ଲୀରେ ଜେଡିୟୁର ଜାତୀୟ କାର୍ଯ୍ୟକାରିଣୀ ସରିଲାପରେ ବିହାରର ସିଟ ଭାଗବଣ୍ଟାକୁ ନେଇ ବିବାଦ ଦେଖାଯାଇଥିଲା । ତେଣୁ ଶାହା ଉଭୟ ଦଳର ନେତାମାନଙ୍କ ସହ ମିଶି କିପରି ଭାବରେ ନିର୍ବାଚନ ମଇଦାନକୁ ଓହ୍ଲାଇବେ ସେନେଇ ଆଲୋଚନା କରିବେ ।

ତେବେ ପୂର୍ବରୁ ଜେଡିୟୁର ମୁଖପାତ୍ର କହିସାରିଛନ୍ତି ଯେ, ନୀତିଶ କୁମାର ହିଁ ବିହାରର ବିଜେପିର ଚେହେରା । ବିହାରରେ ସବୁଠାରୁ ଲୋକପ୍ରିୟ ହେଉଛନ୍ତି ନୀତିଶ କୁମାର । ତେବେ ଲୋକସଭା ନିର୍ବାଚନରେ ଜେଡିୟୁ ଅଧିକ ସିଟ୍ ଦାବି କରୁଥିବା ଜଣାପଡିଛି । ତେବେ ୨୦୧୯ ନିର୍ବାଚନରେ କିପରି ଭାବରେ ବିହାରରେ ବିଜେପି ଓ ଜେଡିୟୁ ଭଲ ପ୍ରଦର୍ଶନ କରିବେ ସେଥିପ୍ରତି ଧ୍ୟାନ ଦେଉଛନ୍ତି ଅମିତ୍ ଶାହା ।

ଶାହାଙ୍କ ଏହି ଗସ୍ତକୁ ବିରୋଧୀମାନେ ମଧ୍ୟ ନଜର ରଖିଛନ୍ତି । ତେବେ ସମସ୍ତ ନେତାଙ୍କର ଏହ ବୈଠକ ଉପରେ ନଜର ରହିଛି । କେତେକ ଆଶା ରଖିଛନ୍ତି ଏହି ଆଲୋଚନାପରେ ବିହାରର ଆସନ ଭାଗବଣ୍ଟା ହୋଇପାରିବ । କିନ୍ତୁ ଜେଡିୟୁର ଜଣେ ବରିଷ୍ଠ ନେତା କହିଛନ୍ତି ଯେ, ଆସନ ଭାଗବଣ୍ଟାକୁ ନେଇ ଆମର ନଜର ବିଜେପି ଉପରେ ରହିଛି । ବିହାରରେ ଅନେକ ଦଳ ଅଛନ୍ତି । ତେଣୁ ଆମେ ମାନେ ଏବେଠାରୁ ନିର୍ବାଚନ ପାଇଁ ପ୍ରସ୍ତୁତ ହେବାରେ ଆବଶ୍ୟକତା ରହିଛି । ନୀତିଶଙ୍କ ଏଜେଣ୍ଡା ପୁରା ସଫା ରହିଛି । ଆଗାମୀ ଦିନରେ ଆମେ ଓ ବିଜେପି ଏକାଠି ଲଢିବୁ ବୋଲି ନୀତିଶ କୁମାର କହିଛନ୍ତି । ତେବେ ମେଣ୍ଟରେ ସମସ୍ତଙ୍କୁ ସମାନ ଭାବରେ ଅଧିକାର ମିଳିବାର ଆବଶ୍ୟକତା ରହିଛି । ଏହା ପୂର୍ବରୁ ନୀତିଶ କୁମାର ମହାମେଣ୍ଟରେ ଲଢି ସରକାର ଗଠନ ମଧ୍ୟ କରିଛନ୍ତି । ତେଣୁ ଆମକୁ ମେଣ୍ଟରେ ସରକାର କରିବାରେ କୈାଣସି ଅସୁବିଧା ନାହିଁ ବୋଲି ଜେଡିୟୁ କହିଛି ।

ବର୍ତ୍ତମାନ ସମୟରେ କାହକୁ କେତୋଟି ସିଟ୍ ମିଳିବ ତାହା ସ୍ପଷ୍ଟ ହୋଇନାହିଁ । ତେଣୁ ଏହା ସ୍ପଷ୍ଟ ହେବାପରେ ଆମେ ଆମର ଦଳକୁ ପ୍ରସ୍ତୁତ କରିବୁ ବୋଲି ଜେଡିୟୁ କହିଛି ।