ବିହାର: ଡଙ୍ଗାବୁଡି ଘଟଣାରେ ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି

33

କନକ ବ୍ୟୁରୋ : ବିହାର ଡଙ୍ଗା ବୁଡି ଘଟଣାରେ ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି । ରାତି ତମାମ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । ଅନେକ ଯାତ୍ରୀ ଏବେ ବି ନିଖୋଜ ଥିବା କୁହାଯାଉଛି । ଏନଡିଆରଏଫ ଓ ଏସଡିଆରଏଫ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଗଙ୍ଗା ନୀଦରେ ଦୁଇଟି ଡଙ୍ଗା ବୁଡି ଯାଇଥିବା କୁହାଯାଉଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ୨ଟି ମୋଟର ବୋଟରେ ଦେଢଶହରୁ ଅଧିକ ଯାତ୍ରୀ ଥିଲେ । ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି ।

ପାଟନା ସହର ନିକଟ ଗଙ୍ଗା ନଦୀର ଆଇନ ମହାବିଦ୍ୟାଳୟ ଘାଟରେ ଡଙ୍ଗା ବୁଡିଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ଛାତ୍ର ଅଛନ୍ତି । ଏମାନଙ୍କ ପରିଚୟ ମିଳିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ପ୍ରଥମେ ଗୋଟିଏ ବୋଟରେ ପାଣି ପଶିଥିଲା । ଯାତ୍ରୀ ଭୟଭିତ ହୋଇ ଅନ୍ୟ ବୋଟକୁ ଡେଇଁ ପଡିଥିଲେ । ଫଳରେ ଭାରସାମ୍ୟ ହରାଇ ଦୁଇଟିଯାକ ମୋଟର ବୋଟ ମଝି ନଈରେ ବୁଡି ଯାଇଥିଲା । ଗୋଟିଏ ଡଙ୍ଗା ମିଳିଥିବାବେଳେ ଅନ୍ୟଟିର ପତା ମିଳୁନାହିଁ ।

ରାତିତମାମ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅନେକ ମୃତଦେହ ଉଦ୍ଧାର କରାଯାଇଥିବାବେଳେ, ଏବେ ବି ବହୁ ଯାତ୍ରୀଙ୍କ ପତ୍ତା ମିଳୁନାହିଁ । ଡଙ୍ଗାରେ କ୍ଷମତାଠାରୁ ଅଧିକ ଯାତ୍ରୀ ଥିଲେ । କିନ୍ତୁ କେତେ ସଂଖ୍ୟକ ଯାତ୍ରୀ ଥିଲେ ଜଣା ପଡୁନଥିବାରୁ ନିଖୋଜଙ୍କ ସଂପର୍କରେ ସଠିକ ତଥ୍ୟ ମିଳିପାରୁ ନାହିଁ । ଅନେକଙ୍କୁୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି  କରାଯାଇଛି । ପାଟନା ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଲୋକେ ନିଜ ନିକଟ ସଂପର୍କୀୟଙ୍କୁ ଖୋଜୁଥିବା ଦେଖାଯାଇଛି ।

ବିହାର ଡଙ୍ଗାବୁଡି ଘଟଣାରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟ କରି ସେ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ପ୍ରକାଶ କରିଛନ୍ତି । ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ଯ୍ୟକୁ ତଦାରଖ କରିବାକୁ ପରାମର୍ଶ ଦେଇଛନ୍ତି । ଦୁର୍ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ମୃତକଙ୍କ ପରିବାରକୁ ୨ଲକ୍ଷ ଓ ଗୁରୁତର ଆହତଙ୍କୁ ୫୦ ହଜାର ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ।