ପୁଲିସକୁ ଚ୍ୟାଲେଞ୍ଜ କଲେ ଲୁଟେରା : ପ୍ରଥମେ କାଟିଲେ ସିସିଟିଭିର ତାର , ତା’ପରେ ଏଟିଏମରୁ ଲୁଟିନେଲେ ୨୧ ଲକ୍ଷ ଟଙ୍କା

ଏଟିଏମ୍ ମେସିନ୍ କାଟି ତା’ ମଧ୍ୟରୁ ୨୧ଲକ୍ଷ ଟଙ୍କା ଲୁଟି ନେଇଥିଲେ ।

179

ବିହାରରେ ଭାଗଲପୁରରେ ପୁଣି ଥରେ ପୁଲିସକୁ ଚ୍ୟାଲେଞ୍ଜ କରିଛନ୍ତି ଏଟିଏମ୍ ଲୁଟେରା । ପୁଲିସ ଆଖିରେ ଧୁଳି ଦେଇ ଏଟିଏମରେ ଲାଗିଥିବା ସିସିଟିଭିର ତାର କାଟିବା ସହ ଏଟିଏମରୁ ୨୧ଲକ୍ଷ ଟଙ୍କା ଲୁଟିନେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୋମବାର ରାତିରେ ଏହି ଘଟଣା ଘଟିଥିବା ବେଳେ ଭାଗଲପୁରର ମୁଜାହିଦ୍ ଥାନା ଅନ୍ତର୍ଗତ ମୀରଜାହ୍ନତ ଅଞ୍ଚଳରେ ଥିବା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏଟିଏମରେ ଲୁଟେରାମାନେ କଳାକନା ବୁଲାଇ ଥିଲେ । ଏଟିଏମ୍ ଲୁଟିବା ପାଇଁ ଲୁଟେରାମାନେ ଗ୍ୟାସ୍ କଟିଂ ମେସିନର ବ୍ୟବହାର କରିଥିଲେ । ଯାହା ସାହାଯ୍ୟରେ ସେମାନେ ଏଟିଏମ୍ ମେସିନ୍ କାଟି ତା’ ମଧ୍ୟରୁ ୨୧ଲକ୍ଷ ଟଙ୍କା ଲୁଟି ନେଇଥିଲେ ।

ମଙ୍ଗଳବାର ପୁଲିସକୁ ସୂଚନା ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ପୁଲିସ । ପ୍ରାଥମିକ ତଦନ୍ତରୁ ଏଟିଏମ୍ ଲୁଟିବା ପାଇଁ ଗ୍ୟାସ୍ କଟିଂ ମେସିନର ବ୍ୟବହାର କରାଯାଇଥିବା କଥା ଜାଣିବା ସହ ଲୁଟେରାମାନେ ଲୁଟ୍ କରିବା ପୂର୍ବରୁ ସିସିଟିଭିର ତାର କାଟି ଦେଇଥିବା ଜଣା ପଡ଼ିଥିଲା । ଏହା ସହ ଚୋରି କରିବା ସମୟରେ କେହି ଯେମିତି ନ ଦେଖନ୍ତୁ ସେଥିପାଇଁ ସେମାନେ ଏଟିଏମ୍ କାଉଣ୍ଟରର ସଟର ମଧ୍ୟ ବନ୍ଦ କରି ଦେଇଥିଲେ । ଏହି ଏଟିଏମ୍ ଲୁଟ୍ ଘଟଣାରେ ଗୋଟେ ଗ୍ୟାଙ୍ଗ ସାମିଲ ଥିବା ଜାଣିବା ପରେ ଏବେ ସେମାନଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ପ୍ରୟାସ ଜାରି ରହିଥିବା ଜାଣିବାକୁ ମିଳିଛି।