ଚଳିତ ବର୍ଷର ସବୁଠୁ ବଡ ରେଡ୍ । କାର ଭିତରୁ ମିଳିଲା ୧୦୦ କୋଟି ଟଙ୍କା, ୧୦୦ କେଜି ସୁନା । ତଥାପି ସରିନି ଅପରେସନ

32

ଆୟକର ବିଭାଗ ପକ୍ଷରୁ ଏକ କମ୍ପାନି ଉପରେ ବଡ ଧରଣର ରେଡ୍ ମରାଯାଇଛି । ଚେନ୍ନାଇର ଏକ କନଷ୍ଟ୍ରକ୍ସନ ଫାର୍ମର ବିଭିନ୍ନ କାର୍ଯ୍ୟାଳୟରେ ଚଢ଼ାଉ କରାଯାଇ ନଗଦ ୧୦୦କୋଟି ଟଙ୍କା ଜବତ କରାଯାଇଛି। ଏହି ରେଡରେ କୋଟି କୋଟି ଟଙ୍କାର କଳାଧନର ଖୁଲାସା ହୋଇଛି । କେବଳ ୧୦୦ କୋଟି ଟଙ୍କା ନୁହେଁ, ଏହା ସହିତ ୧୦୦ କେଜି ଓଜନର ସୁନାବିସ୍କୁଟ ଓ ସୁନା ଅଳଙ୍କାର ମଧ୍ୟ ଜବତକରିଛି ଆୟକର ବିଭାଗ।

ଆୟକର ବିଭାଗ ପକ୍ଷରୁ କୁହାଯାଇଛି ଯେ ମେସର୍ସ ଏସପିକେ ଆଣ୍ଡ କମ୍ପାନୀ ତାମିଲନାଡୁରେ ରାସ୍ତା ଓ ରାଜପଥ ନିର୍ମାଣ କାର୍ୟ୍ୟ କରେ। କମ୍ପାନି ସରକାରୀ ସହଯୋଗରେ ଏହି କାର୍ଯ୍ୟ କରୁଛି। ଆୟକର ବିଭାଗ ପକ୍ଷରୁ ଏହି କମ୍ପାନିର ଚେନ୍ନାଇରେ ଥିବା ୧୭ଟି କାର୍ଯ୍ୟାଳୟ ସମେତ ମୋଟ୍ ୨୨ଟି ସ୍ଥାନରେ ଆୟକର ବିଭାଗ ଚେନ୍ନାଇ ଶାଖାର ଅଧିକାରୀମାନେଏକକାଳୀନ ରେଡ୍ କରିଥିଲେ। ରେଡ୍ ସମୟରେ ବର୍ତ୍ତମାନ ସୁଦ୍ଧା ନଗଦ ୧୦୦ କୋଟି ଟଙ୍କା ଓ ପ୍ରାୟ ୧୦୦ କେଜି ଓଜନର ସୁନା ବିସ୍କୁଟ ଓ ସୁନା ଅଳଙ୍କାର ଜବତ କରାଯାଇଛି।

ଆୟକର ବିଭାଗ ପକ୍ଷରୁ କୁହାଯାଇଛି ଯେ ଏହି ଟଙ୍କା ଗୁଡ଼ିକ କମ୍ପାନି ପରିସରରେ ପାର୍କିଂ କରାଯାଇଥିବା ବିଭିନ୍ନ କାରରେ ବ୍ୟାଗରେ ଭର୍ତ୍ତି କରି ରଖାଯାଇଥିଲା। ସେହିପରି ବହୁ ପରିମାଣର ସୁନା ବିସ୍କୁଟ ମଧ୍ୟ କାରରୁ ଜବତ କରାଯାଇଛି। ଏହି ଚଢ଼ାଉ ଆହୁରି ଗୋଟିଏ ଦିନ ଲାଗିବ ଓ ତା ପରେ ପ୍ରକୃତରେ କେତେ ଟଙ୍କା ଓ କେତେ ସୁନା ଜବତ ହେଲା ତାହା ସ୍ପଷ୍ଟ ହେବ ବୋଲି ଆୟକର ବିଭାଗ କହିଛି। ଅପରେସନ ପାର୍କିଂ ମନି ନାଁରେ ଆରମ୍ଭ ହୋଇଥିବା ଏହି ଅପରେସନରେ ଆୟକର ବିଭାଗକୁ ବଡ ଧରଣର ସଫଳତା ମିଳିଛି । କମ୍ପାନି ପାଖରେ ବିପୁଳ ମାତ୍ରାରେ କଳାଧନ ଥିବା ଆୟକର ବିଭାଗକୁ ପୂର୍ବରୁ ସୂଚନା ମିଳିଥିଲା । ଆୟଙ୍କର ଫାଙ୍କିବା ଅଭିଯୋଗରେ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଏହି ରେଡକୁ ଚଳିତ ବର୍ଷ ତଥା ବିମୁଦ୍ରାକରଣ ପରେ ସବୁଠୁ ବଡ ରେଡ ବୋଲି କୁହାଯାଉଛି । ଏହାପୂର୍ବରୁ ୨୦୧୬ ଡିସେମ୍ବର ମାସରେ ଚେନ୍ନାଇରେ ଆୟକର ବିଭାଗ ଚଢାଉ କରି ୧୦୬ କୋଟି ନଗଦ ଟଙ୍କା ଓ ୧୨୩ କିଲୋ ସୁନା ଜବତ କରିଥିଲା ।