୧୫ ଲକ୍ଷର ଚେକ୍ ପଠାଇଲେ, ୨୫ ହଜାର ମାଗିଲେ । ଚେକ୍ ଅସଲି ଥିଲା ନା ନକଲି?

24

ବ୍ୟାଙ୍କ ନାଁ କହି ଫୋନ୍ ଆସିବା, ଏଟିଏମ୍ କାର୍ଡ ନମ୍ବର ମାଗିବା ଓ ଓଟିପି ନମ୍ବର ସଂଗ୍ରହ କରି ଆକାଉଣ୍ଟରୁ ଟଙ୍କା ନେଇଯିବା ଭଳି ଠକେଇ ପ୍ରତିଦିନ ଘଟୁଥିବାର ନଜିର ରହିଛି। ଏ ନେଇ ଲୋକେ ସଚେତନ ହେବା ଯୋଗୁ ଠକମାନେ ଏବେ ଭିନ୍ନ କୌଶଳ ଅବଲମ୍ବନ କରିବା ଆରମ୍ଭ କରିଦେଇଛନ୍ତି। ଲକି ଡ୍ର’ ମାଧ୍ୟମରେ ପୁରସ୍କାର ଉଠିଛି କହି ଫୋନ୍ କରୁଛନ୍ତି। ବଡ ବଡ କଂପାନିର କାର, କୋଟି କୋଟି ଟଙ୍କାର ପୁରସ୍କାର ଉଠିଛି ବୋଲି ମେସେଜ୍ ଦେଉଛନ୍ତି। ବିଶ୍ୱାସ ଜନ୍ମାଇବା ପାଇଁ କାର ଫଟୋ, କାର ନନେଲେ ସେତିକି ପରିମାଣର ଚେକ୍ ସଂପୃକ୍ତ ବ୍ୟକ୍ତିଙ୍କ ନାମରେ ପଠାଇ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଉଛନ୍ତି।

ପୁରୀ ଜିଲ୍ଲା ଗୋପ ବ୍ଲକ ଆରେଣା ଗ୍ରାମର ବିଷ୍ଣୁ ଭୋଇ ନାମକ ଜଣେ ଶ୍ରମିକ ଏଭଳି ଠକାମିର ଶିକାର ହୋଇଛନ୍ତି। ପୁରସ୍କାର ଆଶାରେ ସେ ଠକଙ୍କ ଆକାଉଣ୍ଟକୁ ପ୍ରଥମେ ୨୫ ହଜାର ଟଙ୍କା ପଠାଇଥିଲେ। ଏବେ ସଂପୃକ୍ତ ସଂସ୍ଥା ଆଉ ୨୨ ହଜାର ଟଙ୍କା ଦାବି କରୁଛି। ତେବେ ଉକ୍ତ ସଂସ୍ଥା ପଠାଇଥିବା ଚେକ୍ ନକଲି ବୋଲି ଜଣାପଡିଛି। ଚେକରେ ଲେଖାଥିବା ଆକାଉଣ୍ଟ ନମ୍ବର ଠିକ୍ ଥିବା ବେଳେ ଚେକଟି ନକଲି ରହିଛି। ଚେକ୍ ତଳେ ନାଲି କାଳିରେ ଦସ୍ତଖତ କରାଯାଇଛି।

ସୂଚନା ମୁତାବକ, କିଛି ଦିନ ତଳେ ବିଷ୍ଣୁଙ୍କୁ ହରିଆନାରୁ ଏକ ଫୋନ୍ କଲ୍ ଆସିଥିଲା। ତାଙ୍କ ନାମରେ ଏକ ବିଏମଡବଲୁ କାର ପୁରସ୍କାର ଉଠିଛି । ଲକି ଡ୍ର’ରେ ତାଙ୍କୁ ଏହି ପୁରସ୍କାର ମିଳିଥିବା କୁହାଯାଇଥିଲା। ପରେ ତାଙ୍କ ଫୋନକୁ ଏକ ମେସେଜ୍ ମଧ୍ୟ ଆସିଥିଲା। ଏ ନେଇ ବିଷ୍ଣୁଙ୍କର ସନ୍ଦେହ ହୋଇଥିଲା। ସେ କିଛି ଆବେଦନ କରିନଥିବା, ଲଟେରୀ ଟିକଟ କାଟି ନଥିବା ବେଳେ ପୁରସ୍କାର କେମିତି ଉଠିଲା ବୋଲି ପ୍ରଶ୍ନ କରିଥିଲେ। ତେବେ ଠକ ସଂସ୍ଥା ତାର ଉତ୍ତର ମଧ୍ୟ ଯୋଗାଡ କରି ରଖିଥିଲା। ବିଷ୍ଣୁ ମେଦ ହ୍ରାସ ପାଇଁ ଏକ କଂପାନିରୁ ଅନଲାଇନରେ ଔଷଧ ମଗାଇଥିଲେ। ଠକ ସଂସ୍ଥା ତାଙ୍କୁ ଏହି ବିବରଣୀ ଦେବା ପରେ ବିଷ୍ଣୁଙ୍କ ବିଶ୍ୱାସ ଜନ୍ମିଥିଲା। ତେବେ ସେ ପୁରସ୍କାର ଜିତିଛନ୍ତି ବୋଲି କେମିତି ଜାଣିବେ ବୋଲି କହିବା ପରେ ସଂସ୍ଥା ପକ୍ଷରୁ ତାଙ୍କୁ କାର ନେବେ ନା ସେ ବାବଦରେ ଟଙ୍କା ନେବେ ବୋଲି ପଚରା ଯାଇଥିଲା। ବିଷ୍ଣୁ ଟଙ୍କା ନେବାକୁ କହିଥିଲେ। ବିଷ୍ଣୁଙ୍କ ନାମରେ ଏସବିଆଇର ୧୪ ଲକ୍ଷ ୮୦ ହଜାର ଟଙ୍କାର ଏକ ଚେକ୍ ଆସିଥିଲା।

ଚେକ୍ ପହଞ୍ଚିବା ପରେ ବିଷ୍ଣୁ ଖୁସି ହୋଇ ଯାଇଥିଲେ। ତେବେ ଏ ବାବଦରେ ପ୍ରସେସିଂ ଚାର୍ଜ ନ ଦେଲେ ଚେକ୍ ବାବଦରେ ଟଙ୍କା ଉଠାଣ ହୋଇପାରିବ ନାହିଁ ବୋଲି ତାଙ୍କୁ କୁହାଯାଇଥିଲା। ପୁରସ୍କାର ଟଙ୍କା ଲୋଭରେ ବିଷ୍ଣୁ ଆଉ କାଳବିଳମ୍ବ ନ କରି ୨୫ ହଜାର ଟଙ୍କା ଜମା କରିଥିଲେ। ପରେ ଚେକ୍ ନେଇ ବ୍ୟାଙ୍କକୁ ଯିବା ପରେ ସେ ଯାହା ଶୁଣିଲେ ତାଙ୍କର ହୋସ୍ ଉଡି ଯାଇଥିଲା। ବ୍ୟାଙ୍କ କର୍ତ୍ତୃପକ୍ଷ ଏହା ନକଲି ଚେକ୍ ବୋଲି କହିବା ସହିତ ଏହାକୁ ଫେରାଇ ଦେଇଥିଲେ। ବିଷ୍ଣୁ ଏ ସଂପର୍କରେ ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ। ମାତ୍ର ଏଭଳି ଠକେଇ ବହୁତ ହେଉଛି, ଏଥିରେ କିଛି ସାହାଯ୍ୟ କରିହେବ ନାହିଁ ବୋଲି ପୁଲିସ କହିବା ପରେ ବିଷ୍ଣୁ ମୁଣ୍ଡକାନ ଆଉଁସି ଚୁପ୍ ରହିଛନ୍ତି।