ବିଏମସି ନାଁରେ ବଡ ଲୁଟ୍ । ପାର୍କିଂ ନାଁରେ ଭୁବନେଶ୍ୱରବାସୀଙ୍କୁ ଲୁଟୁଛନ୍ତି ମିଛ ପାର୍କିଂ ମାଲିକ, ପ୍ରତିବାଦ କଲେ ଦେଖାଉଛନ୍ତି ନାଲିଆଖି । ଏଯାଏଁ କାର୍ଯ୍ୟାନୁଷ୍ଠାନ ଶୂନ ।

1,179

କନକ ବ୍ୟୁରୋ : ସ୍ମାର୍ଟସିଟିରେ ସାଂଘାତିକ ସ୍କାମ । ସବୁଦିନ,ସବୁବେଳେ ଓ ସବୁ ସମୟରେ ଏହି ସ୍କାମର ଶିକାର ହେଉଛନ୍ତି ସ୍ମାର୍ଟସିଟିବାସୀ । ନିର୍ମୁଳି ଲତା ଭଳି ପୂରା ରାଜଧାନୀରେ ଲଟେଇ ଯାଇଛନ୍ତି ଏହି ସ୍କାମର ଗ୍ୟାଙ୍ଗ୍ । ସହରର ଯେତିକି ବଢୁଛି, ଏହି ଗ୍ୟାଙ୍ଗର ପ୍ରାର୍ଦୁଭାବ ମଧ୍ୟ ସେତିକି ବଢି ବଢି ଚାଲିଛି । ଏମାନଙ୍କୁ ସହଜରେ ସଫା କରିବା ମଧ୍ୟ ଏବେ ପ୍ରଶାସନ ପାଇଁ କାଠିକର ପାଠ ହୋଇଛି । ହଁ ଆଜ୍ଞା ଆମେ କହୁଛୁ ବେଆଇନ ପାର୍କିଂ ଫି ନାଁରେ ରାଜଧାନୀବାସୀଙ୍କୁ ସକାଳୁ ରାତିଯାଏଁ ଲୁଟୁଥିବା କିଛି ପାର୍କିଂ ଲଟ୍ ମାଲିକଙ୍କ ବିଷୟରେ ।

ବିଏମସି ନାଁରେ ବଡ ଲୁଟ୍ । ପ୍ରତିଦିନ ସକାଳୁ ରାତି ଯାଏଁ ଏହି ଲୁଟର ଶିକାର ହେଉଛନ୍ତି ସ୍ମାର୍ଟସିଟିବାସୀ । ଘରୁ ଗାଡି ବାହାର କରି ରାଜଧାନୀ ରାସ୍ତା ଉପରକୁ ବାହାରିବା ମାତ୍ରେ ଏହି ଲୁଟର ଶିକାର ହେବାକୁ ପଡୁଛି । ରାଜଧାନୀ ରାସ୍ତା ଉପରେ ଗାଡି ରଖିବା ମାତ୍ରେ ଧାଇଁ ଆସୁଛନ୍ତି କିଛି ଅଜଣା ଚେହେରା । ଗାଡି ଷ୍ଟାର୍ଟ ବନ୍ଦ ହେବା ପୂର୍ବରୁ ରସିଦ ଖାତା ଧରି ହାଜର ହୋଇଯାଉଛନ୍ତି ଏଭଳି କିଛି ଚେହେରା । କିଛି ଭାବିବା ପୂର୍ବରୁ ହାତକୁ ରସିଦ ବଢାଇ ଦେଇ ଟଙ୍କା ମାଗୁଛନ୍ତି । ଆଉ ପଚାରିଲେ ଉତ୍ତର ମିଳୁଛି ବିଏମସି ପାର୍କିଂ ଫି ବାବଦକୁ ଟଙ୍କା ଦିଅ ।

ଗାଡି ଚାଳକଙ୍କୁ ପାର୍କିଂ ଫିର ରସିଦ ମିଳୁଛି ସତ । କିନ୍ତୁ ସ୍ଥାନ ବଦଳିବା ସହ ଏହି ରସିଦର ଚିତ୍ର ଓ ଚରିତ୍ର ବଦଳିଯାଉଛି । ରାଜଧାନୀର ଭିନ୍ନ ଭିନ୍ନ ପାର୍କିଂ ଏରିଆରେ ଭିନ୍ନ ଭିନ୍ନ ପ୍ରକାରର ପାର୍କିଂ ରସିଦ ଦେଖିବାକୁ ମିଳୁଛି । କେଉଁ ସ୍ଥାନରେ ପାର୍କିଂ ରସିଦ ଉପରେ କ୍ରମାଙ୍କ ନମ୍ବର ରହୁନାହିଁ ତ ପୁଣି କେଉଁଠି ପାର୍କିଂ ରସିଦ ମଧ୍ୟରେ ତାଳମେଳ ଦେଖିବାକୁ ମିଳୁନାହିଁ । ଏପରିକି ପାର୍କିଂ କରିବା ପରେ ଗାଡିର ଦାୟିତ୍ୱ ତାଙ୍କର ନୁହେଁ ବୋଲି ରସିଦରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି । ଯାହା ଗାଡି ଚାଳକଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି । ତେବେ ଗାଡି ଚାଳକଙ୍କ ମନରେ ବିଶ୍ୱାସ ଜନ୍ମାଇବା ଓ ଟଙ୍କା ଆଦାୟ କରିବା ପାଇଁ ରସିଦ ଉପରେ ବିଏମସିର ଲୋଗୋ ଲଗାଇ ନିଜକୁ ବିଏମସିର ପାର୍କିଂ ଫି ଆଦାୟକାରୀ ବୋଲି ଦର୍ଶାଉଛନ୍ତି । ଏପରିକି ବିଏମସିର ଆଇଡି କାର୍ଡ ଓ ପାର୍କିଂ ଫି ଆଦାୟ କରିବାର ଟେଣ୍ଡର ପେପର ଦେଖାଇବାକୁ କହିଲେ ଏମାନେ ନାଲିଆଖି ଦେଖାଇବାକୁ ମଧ୍ୟ ପଛାଉନାହାନ୍ତି ।

ରାଜଧାନୀର ପ୍ରତି ଗଳିକନ୍ଦିରେ ଏବେ ଏଭଳି ଗ୍ୟାଙ୍ଗ ସକ୍ରିୟ ହୋଇ ଉଠିଛି । ମିଛ ପାର୍କିଂ ମାଲିକଙ୍କ ଜାଲରେ ଏବେ ହଜାର ହଜାର ଗାଡି ଚାଳକ ପଡୁଛନ୍ତି । ଆଉ ଏହି ବାବଦରେ ବର୍ଷକୁ କୋଟି କୋଟି ଟଙ୍କା ଆଦାୟ କରୁଛନ୍ତି ଏହି ମିଛ ପାର୍କିଂ ମାଲିକ । ଦିନ ଦ୍ୱିପ୍ରହରରେ ଖୁଲମଖୁଲ୍ଲା ଏଭଳି ଲୁଟ୍ ଚାଲିଥିଲେ ମଧ୍ୟ ଏଯାଏଁ କାର୍ଯ୍ୟାନୁଷ୍ଠାନ ଶୂନ । ଏପରିକି ପୋଲିସର ଭୟ ଦେଖାଇଲେ ମଧ୍ୟ ଏମାନେ ଏହାକୁ ହସରେ ବାଏଁ ବାଏଁ ଉଡାଇ ଦେଉଛନ୍ତି । ଏପରିକି ସ୍ଥାନୀୟ ପୋଲିସର ଅଜାଣତରେ ଏଭଳି ଘଟଣା ଘଟୁଛି କି ବୋଲି ପ୍ରଶ୍ନ ଉଠାଇଛନ୍ତି କିଛି ରାଜଧାନୀ ବାସିନ୍ଦା । ସୋସିଆଲ ମିଡିଆରେ ଏହି ମିଛ ପାର୍କିଂ ଫି ଆଦାୟକାରୀଙ୍କୁ ନେଇ ଏବେ ଜୋରଦାର କ୍ୟାମ୍ପେନ ଆରମ୍ଭ ହୋଇଛି । ଏମାନଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନା ସବୁ ଦେଖି ବିଏମସି ଚୁପ ରହିବ ତାହା ସବୁଠୁ ବଡ ପ୍ରଶ୍ନ ଭାବେ ଉଭା ହୋଇଛି ।

ଆଉ ଏସବୁ ଭିତରେ ଏଭଳି ମିଛ ପାର୍କିଂ ମାଲିକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଅଣ୍ଟା ଭିଡିଛି ବିଏମସି । ସହରାଞ୍ଚଳରେ ଥିବା ବିଭିନ୍ନ ପାର୍କିଂ ସ୍ଥାନରେ ବେଆଇନ ଭାବେ ଟଙ୍କା ଆଦାୟ କରୁଥିବା ମିଛ ପାର୍କିଂ ମାଲିକମାନଙ୍କ ଉପରେ ଆକ୍ସନ ନେବାକୁ ବିଏମସି ଆରମ୍ଭ କରିଛି ପ୍ରୟାସ ।

ଭୁବନେଶ୍ୱରରେ ପ୍ରତିଦିନ ଏଭଳି ମିଛ ପାର୍କିଂ ଫିର ଶିକାର ହେଉଛନ୍ତି ଶହ ଶହ ଲୋକ । କିନ୍ତୁ ଏବେ ଆଉ ନୁହେଁ, ସଚେତନ ହୁଅନ୍ତୁ… ମିଛ ପାର୍କିଂ ଫି ବିରୋଧରେ ସ୍ୱର ଉଠାନ୍ତୁ… ।ପାର୍କିଂ ଫି ଆଦାୟକାରୀଙ୍କୁ ଆଇଡି କାର୍ଡ ସହ ଟେଣ୍ଡରର କାଗଜପତ୍ର ମାଗିବାକୁ ଭୁଲନ୍ତୁ ନାହିଁ । ଯଦି ବିନା କାଗଜପତ୍ର ଓ ଡ୍ରେସକୋର୍ଡରେ କେହି ଜୋରଜବରଦସ୍ତ ପାର୍କିଂ ଫି ଆଦାୟ କରୁଥାନ୍ତି ତେବେ ଥାନାରେ ଅଭିଯୋଗ କରନ୍ତୁ । ଏପରିକି କେଉଁ କେଉଁ ସ୍ଥାନରେ ଏଭଳି ବେଆଇନ ଭାବେ ପାର୍କିଂ ଫି ଆଦାୟ କରାଯାଉଛି ସେ ବାବଦରେ ଆପଣ ସୋସିଆଲ ମିଡିଆରେ ବିଏମସିକୁ ଟ୍ୟାଗ୍ କରି ଜଣାଇପାରିବେ । ଆମ ସମସ୍ତଙ୍କର ଏହି ଛୋଟିଆ ପ୍ରୟାସ ନିଶ୍ଚିତ ଭାବେ ମିଛ ପାର୍କିଂ ମାଲିକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରଶାସନକୁ ଚେତାଇ ଦେବ ।