ବଡ଼ ନେତା ବଡ଼ ପରୀକ୍ଷା । ବାଜି ଲାଗିଛି ନବୀନ ସରକାରଙ୍କ ୩ମନ୍ତ୍ରୀଙ୍କ ଭାଗ୍ୟ, ତୁଙ୍ଗ ନେତାଙ୍କ ଫଳାଫଳ ନେଇ ଚର୍ଚ୍ଚା ଆରମ୍ଭ ।

147

କନକ ବ୍ୟୁରୋ : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ମତ ସାବ୍ୟସ୍ତ କରିଛନ୍ତି ଜନତା । ୫ ବର୍ଷ ପାଇଁ ନେତାଙ୍କ ଭବିଷ୍ୟତ ସିଲ ହୋଇଯାଇଛି ଇଭିଏମରେ । ପ୍ରଥମ ପର୍ଯ୍ୟାୟରେ ତିନି ମନ୍ତ୍ରୀ ଓ କିଛି ତୁଙ୍ଗ ନେତାଙ୍କ ଭାଗ୍ୟର ଫଇସଲା କରିଛନ୍ତି ମତଦାତା । ମେ’ ୨୩ରେ ଇଭିଏମ୍ ଖୋଲା ହେବା ପରେ ଜଣାପଡିବ, କେଉଁ ନେତା ବାଜି ଜିତିଛନ୍ତି, ଆଉ କାହା ସପକ୍ଷରେ ନାହିଁ ଜନତାଙ୍କ ରାୟ । ନେତାଙ୍କ ଅଗ୍ନିପରୀକ୍ଷା । ଇଭିଏମରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ । ୫ ବର୍ଷରେ ଥରେ ପାଇଥିବା ଅଧିକାରକୁ ସାବ୍ୟସ୍ତ କରିଛନ୍ତି ଜନତା । ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ନେତାଙ୍କ ଭାଗ୍ୟ ସିଲ୍ ହୋଇଯାଇଛି ଇଭିଏମରେ ।

ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର । ବିଜେଡିର ଏହି ହେଭିୱେଟ୍ ନେତା ଦିଗପହଣ୍ଡି ବିଧାନସଭା ଆସନରୁ ପୁଣିଥରେ ନିଜ ଭାଗ୍ୟ ପରୀକ୍ଷା କରିଛନ୍ତି । ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ଟକ୍କର ଦେଇଛନ୍ତି ଜଣାଶୁଣା ଅଭିନେତ୍ରୀ ତଥା ବିଜେପି ପ୍ରାର୍ଥୀ ପିଙ୍କି ପ୍ରଧାନ । ସେହିପରି କଂଗ୍ରେସର ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ପଣ୍ଡା ମଧ୍ୟ ଅଛନ୍ତି ଦିଗପହଣ୍ଡି ରଣାଙ୍ଗନରେ ।

ମନ୍ତ୍ରୀ ଉଷା ଦେବୀ । ଚିକିଟି ବିଧାନସଭା ଆସନରୁ ନିଜ ଭାଗ୍ୟ ପରୀକ୍ଷା କରିଛନ୍ତି ଉଷା ଦେବୀ । ତାଙ୍କୁ ଟକ୍କର ଦେଉଛନ୍ତି, କଂଗ୍ରେସର ସୁବାସ ଚନ୍ଦ୍ର ରାଉତ ଓ ବିଜେପି ପ୍ରାର୍ଥୀ ମନୋରଂଜନ ଦ୍ୟାନସାମନ୍ତରା । ମନ୍ତ୍ରୀ ରମେଶ ମାଝୀ । ନବରଙ୍ଗପୁର ଲୋକସଭା ଆସନରେ ନିଜର ଭାଗ୍ୟ ପରଖୁଛନ୍ତି ରମେଶ ମାଝି । ଏହି ଆସନରେ ତାଙ୍କୁ ଟକ୍କର ଦେଇଛନ୍ତି କଂଗ୍ରେସର ହେଭିୱେଟ୍ ନେତା ପ୍ରଦୀପ ମାଝି ଓ ବିଜେପି ପ୍ରାର୍ଥୀ ବଳଭଦ୍ର ମାଝି ।

ସେହିପରି କଳାହାଣ୍ଡି ଲୋକସଭା ଆସନରେ ହୋଇଛି ବଡ଼ ଟକ୍କର । ପଶ୍ଚିମ ଓଡ଼ିଶାର ଏହି ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀରେ ତିନି ହେଭିୱେଟ୍ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଜନତା । ବିଜେଡିର ପୁଷ୍ପେନ୍ଦ୍ର ସିଂଦେଓ, ବିଜେପି ପ୍ରାର୍ଥୀ ବସନ୍ତ ପଣ୍ଡା ଓ କଂଗ୍ରେସର ଭକ୍ତଚରଣ ଦାସଙ୍କ ମଧ୍ୟରେ ହୋଇଛି ମୁକାବିଲା ।

ବ୍ରହ୍ମପୁର ଲୋକସଭା ଆସନରୁ ବରିଷ୍ଠ ନେତା ତଥା ବିଜେଡି ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁଙ୍କ ରାଜନୈତିକ ଭବିଷ୍ୟତ ନିର୍ଦ୍ଧାରଣ କରିଛନ୍ତି ଭୋଟର । ଏହି ଆସନରୁ ତାଙ୍କୁ ଟକ୍କର ଦେଇଛନ୍ତି ବିଜେପିର ଭୃଗୁ ବକ୍ସିପାତ୍ର ଓ କଂଗ୍ରେସ ପ୍ରାର୍ଥୀ ଭି ଚନ୍ଦ୍ରଶେଖର ନାଇଡୁ । ସେହିପରି ବ୍ରହ୍ମପୁର ବିଧାନସଭା ଆସନରେ ନିଜ ଭାଗ୍ୟ ପରୀକ୍ଷା କରିଛନ୍ତି ବିଜେଡି ପ୍ରାର୍ଥୀ ବିକ୍ରମ ପଣ୍ଡା । ଆଉ କୋରାପୁଟ ଲୋକସଭା ପାଇଁ ଲଢ଼ୁଥିବା ବିଜେପି ପ୍ରାର୍ଥୀ ତଥା ପୂର୍ବତନ ସାଂସଦ ଜୟରାମ ପାଙ୍ଗିଙ୍କ ଭାଗ୍ୟ ମଧ୍ୟ ସିଲ ହୋଇଛି ଇଭିଏମରେ । ମତ ଦେଇ ସାରିଛନ୍ତି ଜନତା, ଆଶା ଓ ଆଶଙ୍କା ମଧ୍ୟରେ ରହିଛନ୍ତି ନେତା । ମେ’ ୨୩ରେ ଇଭିଏମ୍ ଖୋଲା ହେବା ପରେ ଜଣାପଡିବ କାହା ସପକ୍ଷରେ ରହିଛି ଜନମତ ।