କଟକରେ ହେବ କଡା ଟକ୍କର ! ଲୋକସଭା ଆସନ ପାଇଁ ମଇଦାନରେ ହେଭିୱେଟ୍ ନେତା, ଏଯାଏଁ ପ୍ରାର୍ଥୀ ଘୋଷଣା କରିନି କଂଗ୍ରେସ ।

160

କନକ ବ୍ୟୁରୋ : କଟକ ଲୋକସଭା ଆସନରେ ହେବାକୁ ଯାଉଛି ଜୋରଦାର ଲଢେଇ । ବିଜେଡି ଭର୍ତ୍ତୃହରି ମହତାବଙ୍କୁ ପୁଣିଥରେ ପ୍ରାର୍ଥୀ କରିଥିବା ବେଳେ ବିଜେପି ଆଣିଛି ନୂଆ ମୁହଁ । ପ୍ରକାଶ ମିଶ୍ରଙ୍କୁ ପ୍ରାର୍ଥୀ କରିଛି ଦଳ । ଦୁଇ ହେଭିୱେଟଙ୍କ ମଧ୍ୟରେ କଡା ଟକ୍କର ହେବାକୁ ଥିବା ବେଳେ କଂଗ୍ରେସର କିଏ ହେବ କଟକ ଲୋକସଭା ପ୍ରାର୍ଥୀ ସେନେଇ କୌଣସି ନିଷ୍ପତି ହୋଇନାହିଁ । ବିଜେଡି ପୁଣିଥରେ ଜିତିବା ନେଇ ଭର୍ତ୍ତୃହରି ଦୃଢ ନିଶ୍ଚିତ ଥିବା ବେଳେ କ୍ୟାମ୍ପେନିଂରେ ଫୁଲ ଦମରେ ଲାଗିଛନ୍ତି ପ୍ରକାଶ ମିଶ୍ର ।

କଟକରେ ହେବ କଡା ଟକ୍କର । ଲୋକସଭା ଆସନ ଲଢେଇରେ ମୈଦାନରେ ଅଛନ୍ତି ଦୁଇ ହେଭିୱେଟ ଆଇପିଏସ ପ୍ରକାଶ ମିଶ୍ର ଓ ପାଂଚ ପାଂଚ ଥରର ସାଂସଦ ଭର୍ତୃହରି ମହତାବ । ପ୍ରକାଶ ମିଶ୍ର ବିଜେପିରୁ ପ୍ରାର୍ଥୀ ହୋଇଥିବା ବେଳେ ଭର୍ତ୍ତୃହରିଙ୍କୁ ପୁଣି ଥରେ ରିପିଟ କରିଛି ବିଜେଡି । ଭର୍ତୃହରି ମହତାବ ଏହି ଆସନରୁ  ବିଜେଡି ଟିକେଟରେ ଲଗାତାର ୧୯୯୮ ମସିହାରୁ ଜିତିଆସୁଛନ୍ତି । ଏଥର ବି ତାଙ୍କୁ ଟିକେଟ ଦେଇଛି ବିଜୁ ଜନତା ଦଳ । ଟିକେଟ ପାଇବା ପରେ ଭର୍ତ୍ତୃହରି କହିଛନ୍ତି, ସେ ଲୋକଙ୍କ ପାଖକୁ ଯିବେ । ଏହି ଆସନରେ ବିଜେଡି ଜିତିବ । କଂଗ୍ରେସ ଓ ବିଜେପି ଦ୍ୱିତୀୟ ସ୍ଥାନ ହାସଲ କରିବାକୁ ଲଢେଇ କରୁଛନ୍ତି ବୋଲି କହିଛନ୍ତି ଭର୍ତ୍ତୃହରି ।

ସେପଟେ ଏଥର ନୂଆମୁହଁ ଦେଇଛି ବିଜେପି । ଗତ ନିର୍ବାଚନରେ ଏହି ଆସନରୁ  ସମୀର ଦେ ଲଢିଥିଲେ । ଏଥର କିନ୍ତୁ ଅଳ୍ପଦିନ ତଳେ ଦଳରେ ସାମିଲ ହୋଇଥିବା ପୂର୍ବତନ ଓଡିଶା ପୋଲିସ ଡିଜି ଆଇପିଏସ ପ୍ରକାଶ ମିଶ୍ରଙ୍କୁ ଲୋକସଭା ପ୍ରାର୍ଥୀ କରିଛି ବିଜେପି । ଆଉ ଟିକେଟ ପାଇବା ପରେ ପ୍ରକାଶ ମିଶ୍ର ଘରକୁ ଘର ବୁଲି କ୍ୟାମ୍ପେନ ବି ଆରମ୍ଭ କରିଦେଇଛନ୍ତି । ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଆଧାରରେ ସେ ଭୋଟରଙ୍କ ପାଖରେ ପଂହଚିବାକୁ ଉଦ୍ୟମ କରୁଛନ୍ତି । ତେବେ କଟକ ଲୋକସଭା ଆସନ ପାଇଁ କଂଗ୍ରେସ କିନ୍ତୁ ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ । କିଏ ହେବ କଂଗ୍ରେସର ପ୍ରାର୍ଥୀ ତାକୁ ନେଇ ଚାଲିଛି ଚର୍ଚ୍ଚା । ଗତଥର ଏଠାରେ ଅଭିନେତ୍ରୀ ଅପରାଜିତା ମହାନ୍ତି କଂଗ୍ରେସରୁ ଲଢି ଦ୍ୱିତୀୟ ସ୍ଥାନରେ ଥିଲେ । ତେବେ ବିଜେପି ପ୍ରକାଶ ମିଶ୍ରଙ୍କୁ ମୈଦାନକୁ ଓହ୍ଲାଇବା ପରେ ମୁକାବିଲା ତୀବ୍ର ହୋଇଛି ।