ବଲାଙ୍ଗୀର ଦେଖିବ ରାଜପରିବାରର ମହାଲଢେଇ  । କ୍ଷମତା ସିଂହାସନ ପାଇଁ ମୈଦାନକୁ ଓହ୍ଲାଇବେ ଭାଉଜ-ଦିଅର  ।

656

କନକ ବ୍ୟୁରୋ : ବଲାଙ୍ଗୀର ଲୋକସଭା ଆସନରେ ୨୦୧୯ରେ ପୁଣିଥରେ ଦେଖିବାକୁ ମିଳିବ ଭାଉଜ-ଦିଅର ଲଢେଇ ।  ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ପରେ ବଲାଙ୍ଗୀର ଆସନରେ ରାଜପରିବାରର ଭାଉଜ ଓ ଦିଅରଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳୁଛି । ଆଉ ୨୦୧୯ରେ ମଧ୍ୟ ପୁଣିଥରେ ଏହାର ପୁନରାବୃତ୍ତି ଦେଖିବାକୁ ପାଇବେ ବଲଙ୍ଗୀରବାସୀ । ଦିଅର ତଥା ବଲାଙ୍ଗୀର ରାଜକୁମାର କଳିକେଶ ନାରାୟଣ ସିଂହଦେଓ ଓ ଭାଉଜ ତଥା ପାଟଣାଗଡା ରାଣୀ ସଙ୍ଗୀତା ସିଂହଦେଓ ତୃତୀୟ ଥର ପାଇଁ ନିର୍ବାଚନ ମୈଦାନରେ ମୁହାଁମୁହିଁ ହେବାକୁ ଯାଉଛନ୍ତି । ତେବେ ଗତ ଦୁଇଟି ନିର୍ବାଚନରେ ଭାଉଜ ସଙ୍ଗୀତାଙ୍କୁ ହରାଇ ଦିଅର କଳିକେଶ ବିଜେଡି ବାନା ଉଡାଇଥିବା ବେଳେ ଚଳିତଥର ବଲାଙ୍ଗୀରରେ କାଣ୍ଟେ କି ଟକ୍କର ଦେଖିବାକୁ ମିଳିବ ।

ବଲାଙ୍ଗୀରର ସଚେତନ ଭୋଟର ଏଠାରେ ପ୍ରତ୍ୟେକ ଦଳକୁ ସୁଯୋଗ ଦେଇଛନ୍ତି । ତେବେ ୨୦୧୯ ନିର୍ବାଚନ ମହାଯୁଦ୍ଧ ପାଇଁ ବିଜେପି ଓ ବିଜେଡି ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ପୁଣିଥରେ ଭାଉଜ ଓ ଦିଅରଙ୍କ ମଧ୍ୟରେ ସିଂହାସନ ହାତେଇବା ପାଇଁ ଲଢେଇ ଦେଖିବାକୁ ମିଳିବ । ପୂର୍ବରୁ ଏହି ଆସନରେ ବିଜେପି-ବିଜେଡି ମେଣ୍ଟ ଥିବା ବେଳେ ପାଟଣାଗଡ ରାଣୀ ତଥା ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ପତ୍ନୀ ସଙ୍ଗୀତା ସିଂହଦେଓ ଲଗାତାର ୧୯୯୮ରୁ ୨୦୦୯ ପର୍ଯ୍ୟନ୍ତ ବିଜୟର ହ୍ୟାଟ୍ରିକ ମାରିଥିଲେ ।

ତେବେ ବିଜେପି-ବିଜେଡି ମେଣ୍ଟ ଭାଙ୍ଗିବା ପରେ ବଦଳିଥିଲା ସଙ୍ଗୀତ ସିଂହଦେଓଙ୍କର ଭାଗ୍ୟ । ରାଜନୀତିର ଏହି ପୋଖତ ଖେଳାଳିଙ୍କ ଫେଲ ମାରିଥିଲା ନିର୍ବାଚନ ରଣନୀତି । ମେଣ୍ଟ ଭାଙ୍ଗିବା ପରେ ସଙ୍ଗୀତାକୁ ବିଜେପି ପ୍ରାର୍ଥୀ କରିଥିବା ବେଳେ ଦିଅର ତଥା ବଲାଙ୍ଗୀର ରାଜକୁମାର କଳିକେଶ ନାରାୟଣ ସିଂହଦେଓଙ୍କୁ ସଙ୍ଗୀତାଙ୍କ ବିରୋଧରେ ପ୍ରାର୍ଥୀ କରି ବିଜେଡି ଛାଡିଥିଲା ବଡ ବ୍ରହ୍ମାସ୍ତ୍ର । ଯେଉଁଥିରେ ବାଜି ମଧ୍ୟ ମାରିଥିଲା ବିଜେଡି । ପ୍ରଥମ ଥର ପାଇଁ ସାଂସଦ ପ୍ରାର୍ଥୀ ହୋଇଥିବା କଳିକେଶ ଭାଉଜ ସଙ୍ଗୀତାଙ୍କୁ ମାତ୍ ଦେଇ ବିଜେଡିର ବିଜୟ ଅଭିଯାନ ଆରମ୍ଭ କରିଥିଲେ । ଆଉ ଏହାପରେ କଳିକେଶଙ୍କ ବିଜୟ ରଥରେ ଲାଗିନଥିଲା ବ୍ରେକ । ୨୦୧୪ରେ ମଧ୍ୟ ପୁର୍ନବାର ଭାଉଜ ସଙ୍ଗୀତାଙ୍କୁ ମାତ୍ ଦେଇ ଦିଲ୍ଲୀ ଦରବାରରେ ପହଞ୍ଚିଥିଲେ କଳିକେଶ ।

ତେବେ ଏହାପୂର୍ବରୁ କଳିକେଶଙ୍କୁ ୨୦୦୪ରେ ନିର୍ବାଚନମଣ୍ଡଳୀ ପୁର୍ନଗଠନ ପୂର୍ବରୁ ଥିବା ସଇଁତଳା ଆସନରୁ ବିଧାୟକ ପ୍ରାର୍ଥୀ କରିଥିଲା ବିଜେଡି । ଏବଂ ପ୍ରଥମ ଲଢେଇରେ ବାଜି ମାରି ବିଧାନସଭାରେ ଏଣ୍ଟ୍ରି କରିଥିଲେ କଳିକେଶ । ଏସବୁ ଭିତରେ କିନ୍ତୁ ୨୦୧୯ ନିର୍ବାଚନ ରୋଚକ ସ୍ଥିତିରେ ପହଞ୍ଚିଛି । ଗୋଟିଏ ପଟେ କଳିକେଶଙ୍କ ବିରୋଧରେ ଜନ ଅସନ୍ତୋଷ କିଛି ମାତ୍ରାରେ ଦେଖିବାକୁ ମିଳୁଥିବା ବେଳେ ସଙ୍ଗୀତା ନିଜର ସଙ୍ଗଠନକୁ ଏହାମଧ୍ୟରେ ସୁଦୃଢ କରିବାରେ ଲାଗିଛନ୍ତି । ଏହାଛଡା ଦିଅର କଳିକେଶ ନବୀନଙ୍କ ନାଁରେ ନିର୍ବାଚନ ନୌକା ପାର ହେବାକୁ ଲକ୍ଷ୍ୟ ରଖିଥିବା ବେଳେ ଭାଉଜ ସଙ୍ଗୀତା ମୋଦିଙ୍କ ମ୍ୟାଜିକ ଉପରେ ଭରସା କରି ମୈଦାନକୁ ଓହ୍ଲାଇବାକୁ ଲକ୍ଷ୍ୟ ରଖିଛି ।