ଦେଶର ସବୁଠାରୁ ବଡ ଦୁର୍ନୀତିରେ ନାହାନ୍ତି ଅଭିଯୁକ୍ତ । ଟୁଜି ଦୁର୍ନୀତିରେ ସମସ୍ତ ଅଭିଯୁକ୍ତ ଦୋଷମୁକ୍ତ । 

53

ଟୁଜି ଦୁର୍ନୀତି ମାମଲାରେ ସିବିଆଇ ସ୍ୱତନ୍ତ୍ର କୋର୍ଟର  ରାୟ ଆସିଛି । କୋର୍ଟ  ସମସ୍ତଙ୍କ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି । ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏ.ରାଜା ଓ ଡିଏମକେ ସାଂସଦ କାନିମୋଝି ବି ଦୋଷମୁକ୍ତ ହୋଇଛନ୍ତି । ଅର୍ଥାତ ଦେଶର ସବୁଠାରୁ ବଡ ଦୁର୍ନୀତିରେ କେହି ଦୋଷୀ ନୁହନ୍ତି । ମାମଲାରେ  ପ୍ରମାଣର ଅଭାବ ଦର୍ଶାଇ  ସିବିଆଇ କୋର୍ଟ ରାଜା ଓ କାନିମୋଝିଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି ।

ଦେଶର ସବୁଠାରୁ ବଡ ଦୁର୍ନୀତି । ୨୦୧୦ରେ ହୋଇଥିବା ଏହି ଦୁର୍ନୀତି ସରକାରଙ୍କୁ ଆକ୍ରମଣ କରିବା ପାଇଁ ବିରୋଧୀଙ୍କ ବଡ ଅସ୍ତ୍ର ପାଲଟିଥିଲା । ଦେଶର ଏହା ବିରାଟ ରାଜନୈତିକ ପରିବର୍ତନ ଆଣିଥିଲା । ଏହି ଦୁର୍ନୀତି  ସେତେବେଳର ସରକାରଙ୍କ ନିଦ ହଜାଇ ଦେଇଥିଲା । ଟୁଜି ଦୁର୍ନୀତିକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଚାଲିଲା ଚର୍ଚ୍ଚା । ଏଥିପାଇଁ ୟୁପିଏ ସରକାରକୁ ପରାଜୟର ମୁହଁ ଦେଖିବାକୁ ମିଳିଥିଲା । ମାମଲାରେ ତତକାଳୀନ ଟେଲିକମ ମନ୍ତ୍ରୀ ଏ.ରାଜା ଓ ଡିଏମକେ ସାଂସଦ କାନିମୋଇକୁ ଜେଲ ଯିବାକୁ ପଡିଥିଲା । ଦେଶକୁ ୧ଲକ୍ଷ୭୬ ହଜାର କୋଟି ଭାରତୀୟ ରାଜକୋଷରୁ କ୍ଷତି ହୋଇଥିଲା । କିନ୍ତୁ ସ୍ୱତନ୍ତ୍ର ସିବିଆଇ ଅଦାଲତଙ୍କ ରାୟ ପରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମୁଖ୍ୟ ଅଭିଯୁକ୍ତ ପୂୂର୍ବତନ କେନ୍ଦ୍ରମନ୍ତ୍ରୀ ଏ.ରାଜା ଓ ଡିଏମକେ ସାଂସଦ କାନିମୋଝି ନିର୍ଦ୍ଦୋଷ ହେବା ପରେ ଏହି ରାୟକୁ ସନ୍ଦେହ ସୃଷ୍ଟି ହୋଇଛି ।

ତେବେ ଟୁଜି ଭଳି ବିରାଟ ସ୍କାମରେ ଦୋଷୀ କିଏ ? ୧ଲକ୍ଷ ୭୬ ହଜାର କୋଟି ଟଙ୍କା ଗଲା କୁଆଡେ?  ତଦନ୍ତ ବାଟବଣା ହୋଇନାହିଁ ତ ? ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷ ହେଲେ କିପରି ?କେଉଁ ଆଧାରରେ ସେତେବେଳର ତଦନ୍ତକାରୀ  ଅଧିକାରୀ ତଦନ୍ତ କରିଥିଲେ? ସୁପ୍ରିମକୋର୍ଟ ବି ଆବଂଟନକୁ ତ୍ରୁଟିପୂର୍ଣ୍ଣ ବୋଲି କହିଥିବା ବେଳେ କିପରି ସମସ୍ତ ଅଭିଯୁକ୍ତ  ନିର୍ଦ୍ଦୋଷ ହୋଇଥିଲେ ? ଏଭଳି ଅନେକ ପ୍ରଶ୍ନର ବୁଢିଆଣୀ ଜାଲ ଭିତରେ ଛନ୍ଦି ହୋଇପଡିଛି ଟୁଜି ଦୁର୍ନୀତିର ରାୟ ।

୨୦୧୦ ବହୁ ଚର୍ଚ୍ଚିତ ଟୁଜି ଦୁର୍ନୀତି ମାମଲା ସାମ୍ନାକୁ ଆସିଥିଲା । ଟୁଜି ନାଁରେ ଦେଶକୁ ୧ ଲକ୍ଷ ୭୬ ହଜାର କୋଟିର କ୍ଷତି ସହବିାକୁ ପଡିଥିଲା । ଟୁଜି ଦୁର୍ନୀତି ପ୍ରଥମେ ୨୦୧୦ରେ ସାମ୍ନାକୁ ଆସିଥିଲା ।  ସିଏଜି ରିପୋର୍ଟରେ କୁହାଯାଇଥିଲା, ତତକାଳୀନ ଟେଲିକମ ମନ୍ତ୍ରୀ ଥିବା ସମୟରେ ଟୁଜି ସେପକ୍ଟ୍ରମ ଆବଂଟନ ବେଳେ ଦୁର୍ନୀତି ହୋଇଥିଲା । ଆଉ ଏହା ଯୋଗୁଁ ଦେଶକୁ ୧ ଲକ୍ଷ ୭୬ ହଜାର କୋଟିର କ୍ଷତି ପଂହଚିଥିଲା । ଏବେ ମାମଲାରେ ସମସ୍ତେ  ଦୋଷମୁକ୍ତ ହେବା ପରେ ତଦନ୍ତ ନେଇ ପ୍ରଶ୍ନ ଉଠିଛି ।

ବିରୋଧୀ ବିଜେପି କଡା  ସମାଲୋଚନା କରିଥିଲା । ଦେଶରେ ବହୁଥିବା ସରକାର ବିରୋଧୀ ହାୱାକୁ ଇନ୍ଧନ ଯୋଗାଇଥିଲା ଟୁଜି ଦୁର୍ନୀତି  । ସାଧାରଣ ଜନତା ଠାରୁ ବୁଦ୍ଧିଜୀବୀ , ରାଜନେତା  ସମସ୍ତେ ହତାବାକ ହୋଇପଡିଥିଲେ ଦେଶର ସବୁଠାରୁ ବଡ ସ୍କାମରେ । ଯାହାର କଡା ଜବାବ ଦେଇଥିଲେ ଭାରତବାସୀ । ତତକାଳୀନ ପ୍ରଧାନମନ୍ତ୍ରୀ  ମନମୋହନ ସିଂଙ୍କୁ ମଧ୍ୟ ସମାଲୋଚନା ହେବାକୁ ପଡିଥିଲା ଏହି ମାମଲାରେ । ଶାସନ ଗାଦିରେ ଫୋପାଡି ଦେଇଥିଲେ  ୟୁପିଏ ସରକାରଙ୍କୁ । ଫଳରେ ଏହାର ଫାଇଦା ନେଇଥିଲା ବିଜେପି ।

ଟୁଜି ଦୁର୍ନୀତି ରାୟ ପରେ କଂଗ୍ରେସର ପାଲଟା ଆକ୍ରମଣ । ସିବିଆଇ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିବା ପରେ ଶାସକ ଦଳକୁ ଜୋରଦାର ଆକ୍ରମଣ କରିଛି ବିରୋଧି କଂଗ୍ରେସ । ବିଜେପିକୁ ଜବାବ ମାଗିଛନ୍ତି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ୍ । ସଂସଦର ଉଭୟ ସଦନରେ ହଙ୍ଗାମା କରିଛନ୍ତି କଂଗ୍ରେସ ସାଂସଦ । ରାଜ୍ୟସଭାରେ ଜୋରଦାର ନାରାବାଜି କରିଛନ୍ତି କଂଗ୍ରେସ ସଦସ୍ୟ । ଟୁଜି ମାମଲାର ରାୟ କଂଗ୍ରେସର ନୈତିକ ବିଜୟ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ । ବିଜେପି ଦେଶକୁ କ୍ଷମା ମାଗୁ ବୋଲି ସେ ଦାବି କରିଛନ୍ତି । କଂଗ୍ରେସର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଏହି ପ୍ରସଙ୍ଗରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ଟୁଜି ଦୁର୍ନୀତି ନେଇ ସମସ୍ତେ ଦୋଷମୁକ୍ତ ହେବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ପ୍ରତିକ୍ରିୟା ରଖିଛନ୍ତି ।  ସେ କହିଛନ୍ତି, ମୋ ବିରୋଧରେ ସମସ୍ତ ଅଭିଯୋଗ ଭୁଲ ସାବ୍ୟସ୍ତ ହୋଇଛି । ନିଷ୍ପତିର ସମ୍ମାନ କରୁଛି । ଟୁ ଜି ଦୁର୍ନୀତି ରାୟକୁ ନେଇ ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ କହିଛନ୍ତି କୋର୍ଟ କେବଳ ପ୍ରମାଣ ଦେଖେ । ତେବେ ଯଦି ସରକାରଙ୍କ ପାଖରେ ଅଧିକ ପ୍ରମାଣ ଅଛି ଉପର କୋର୍ଟକୁ ଯିବା ଉଚିତ ବୋଲି କହିଛନ୍ତି ଆନ୍ନା ।

ରାୟ ଘୋଷଣା ହେବା ସମୟରେ ପଟିଆଲା ହାଉସସ୍ଥିତ ଅଦାଲତ ପ୍ରକୋଷ୍ଠରେ ସମସ୍ତ ମୁଖ୍ୟ ଅଭିଯୁକ୍ତ ଉପସ୍ଥିତ ଥିଲେ। ଏହି ମାମଲାରେ କୋର୍ଟ ସମସ୍ତଙ୍କୁ ଦୋଷମୁକ୍ତ କରିବା ସହ ଯଦି ଭବିଷ୍ୟତରେ ଏହି ରାୟ ବିରୋଧରେ ଉଚ୍ଚ ନ୍ୟାଳୟରେ ଆପତ୍ତି କରାଯାଏ ସେଠାରେ ଉପସ୍ଥିତ ହେବା ପାଇଁ ପ୍ରତ୍ୟେକ ୫ ଲକ୍ଷ ଟଙ୍କାର ବେଲବଣ୍ଡ ଉପସ୍ଥାପନ କରିବାକୁ ନିର୍ଦେଶ ଦେଇଛି।

ଏହି ମାମଲାରେ ଦୋଷମୁକ୍ତ ହୋଇଥିବା ଅନ୍ୟମାନେ ହେଲେ ଟେଲିକମ ସେକ୍ରେଟାରି ସିଦ୍ଧାର୍ଥ ବେହୁରା, ରାଜାଙ୍କର ପୂର୍ବତନ ବ୍ୟକ୍ତିଗତ ସଚିବ ଆର. କେ. ଚାନ୍ଦୋଲିଆ, ସ୍ୱାନ ଟେଲିକମ ପ୍ରମୋଟରର ଶାହିଦ ଉସମାନ ବାଲଓ୍ଵା ଏବଂ ବିନୋଦ ଗୋଏଙ୍କା, ୟୁନିଟେକ ଲିମିଟେଡର ଏମଡି ସଞ୍ଜୟ ଚନ୍ଦ୍ର ଏବଂ ରିଲାଏନସ ଅନୀଲ ଧିରୁଭାଇ ଅମ୍ବାନି ଗ୍ରୁପର ତିନି ଜଣ ଶୀର୍ଷସ୍ଥରୀୟ ଅଧିକାରୀ ଗୌତମ ଦୋଶି, ସୁରେନ୍ଦ୍ର ପିପାରା ଏବଂ ହରି ନାୟର।

କୁସେଗାଓଁ ଫ୍ରୁଟସ ଆଣ୍ଡ ଭେଜିଟେବଲ ପ୍ରାଇଭେଟ ଲିମିଟେଡର ଅସିଫ ବଲଓ୍ଵା ଏବଂ ରାଜୀବ ଅଗ୍ରଓ୍ଵାଲ, କାଲାଇଗ୍ନାର ଟିଭିର ନିର୍ଦେଶକ ଶରଦ କୁମାର ଏବଂ ବଲିଉଡ ପ୍ରଯୋଜକ କରିମ ମୋରାନି ମଧ୍ୟ ଏହି ମାମଲାରେ ସମ୍ପୃକ୍ତ ଥିଲେ ।ସ୍ପେସାଲ ଜଜ ସାଇନିଙ୍କ ନିକଟରେ ଥିଲା ତିନୋଟି ମାମଲା। ଦୁଇଟି ରୁଜୁ କରିଥିଲା ସିବିଆଇ। ଆଉ ଗୋଟିଏ ରୁଜୁ କରିଥିଲା ପ୍ରବର୍ତ୍ତନ ନିର୍ଦେଶାଳୟ। ସିବିଆଇର ପ୍ରଥମ ମାମଲା ଥିଲା ଟୁ-ଜି ଦୁର୍ନୀତି। ଏଥିରେ ରାଜା ଓ କାନିମୋଝୀଙ୍କ ସମ୍ପୃକ୍ତି ସ୍ପଷ୍ଟ କରାଯାଇଥିଲା।ସିବିଆଇର ଦ୍ୱିତୀୟ ମାମଲାଟି ଥିଲା ଏସାର ଗ୍ରୁପଏବଂ ଲୁପ ଟେଲିକମ ଏବଂ ସରାଫଙ୍କ ବିରୋଧରେ। ଅଦାଲତ ଏମାନଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ ଧାରା ୪୨୦ ଅଧୀନସ୍ଥ ଅପରାଧିକ ଷଡ଼ଯନ୍ତ୍ର ମାମଲା ଧାରା ୧୨୦ ବି ଚାର୍ଜ କରିଥିଲା ।

ଏବେ ଆସନ୍ତୁ ଜାଣିବା କ’ଣ ଥିଲା ଟୁଜି ଦୁର୍ନୀତି ? 

୨୦୧୦ରେ ସିଏଜି ଟୁଜି ଦୁର୍ନୀତିର ଖୁଲାସା କରିଥିଲେ । ଏ.ରାଜା ମନ୍ତ୍ରୀ ଥିବାବେଳେ ଅନୁକମ୍ପା ଦେଖାଇ ଟୁଜି ଲାଇସେନ୍ସ ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଥିଲା । ମାମଲାରେ ଡିଏମକେ ସାଂସଦ କାନିମୋଝି ବି ଅଭିଯୁକ୍ତ ଥିଲେ । ୨୦୧୨ରେ ସୁପ୍ରିମକୋର୍ଟ ଆବଂଟିତ ହୋଇଥିବା ୧୨୨ ଲାଇସେନ୍ସକୁ ରଦ୍ଦ କରିଦେଇଥିଲେ । ଏପ୍ରିଲ ୨୦୧୧ରେ ସିବିଆଇ କୋର୍ଟ ୮ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ କରିଥିଲା । ମାମଲାରେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଦୟାଲୁ ଆମ୍ମା ଓ ପୂର୍ବତନ ଟେଲିକମ ସଚିବ ସିଦ୍ଦାର୍ଥ ବେହୁରା ବି ଦୋଷମୁକ୍ତ ହୋଇଛନ୍ତି । ଏହା ପରେ ସିବିଆଇର ତଦନ୍ତ ନେଇ ପ୍ରଶ୍ନ ଉଠିଛି । ବିଜେପିକୁ ହମଲା କରିବା ପାଇଁ କଂଗ୍ରେସକୁ ବଡ ଏକ ଅସ୍ତ୍ର ମିଳିଯାଇଛି । ତାମିଲନାଡୁରେ ବି ଡିଏମକେକୁ ସଞ୍ଜିବନି ମିଳିଛି ।