ବିଶ୍ୱକପରେ ବିରାଟ ବାହିନୀ ପାଇଁ ଆଗକୁ ବଡ ଚ୍ୟାଲେଞ୍ଜ । ଆସନ୍ତା ୧୦ ଦିନରେ ଭାରତର ୪ଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ।

620

କନକ ବ୍ୟୁରୋ : ବିଶ୍ୱକପ୍ କ୍ରିକେଟରେ ଭାରତ ପାଇଁ ଆଗକୁ ଆସୁଛି ଅଧିକ ଚ୍ୟାଲେଂଜ । ଆସନ୍ତା ୧୦ ଦିନ ମଧ୍ୟରେ ନିଜର ଅବଶିଷ୍ଟ ୪ଟି ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ । ଗୁରୁବାର ୱେଷ୍ଟ ଇଣ୍ଡିଜକୁ ଭେଟିବା ପରେ ୩୦ ତାରିଖରେ ଆୟୋଜକ ଇଂଲଣ୍ଡ, ଜୁଲାଇ ୨ରେ ବାଂଲାଦେଶ ଏବଂ ଜୁଲାଇ ୬ ତାରିଖରେ ଶ୍ରୀଲଙ୍କା ବିରୋଧରେ ମ୍ୟାଚ୍ ଖେଳିବ ଭାରତ । ତେବେ ଲଗାତାର ମ୍ୟାଚ ଖେଳି ଭାରତୀୟ ଦଳକୁ ଧୈର୍ଯ୍ୟ, ସହନଶୀଳତା ଓ କୌଶଳର କଡା ପରୀକ୍ଷା ଦେବାକୁ ପଡିବ ।

ଅନ୍ୟ ଦଳଗୁଡିକ ଠାରୁ ବିଳମ୍ବରେ ଅଭିଯାନ ଆରମ୍ଭ କରିଥିବା ଟିମ୍ ଇଣ୍ଡିଆ ଆଫଗାନିସ୍ଥାନ ବିପକ୍ଷରେ କଡା ମୁକାବିଲା ଛଡା ଅନ୍ୟ ୪ଟି ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଥିଲା । ପ୍ରତି ମ୍ୟାଚରେ ଆଧିପତ୍ୟ ଜାହିର କରିଥିଲା । କିନ୍ତୁ ଆଫଗାନିସ୍ଥାନ ମ୍ୟାଚରେ ଦଳର ଦୋଷ ଦୁର୍ବଳତା ପଦାକୁ ଆସିଥିଲା । ତେବେ ବର୍ମିଂହାମରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ମ୍ୟାଚ୍ ଚଳିତ ବିଶ୍ୱକପର ଆଉ ଏକ ପ୍ରତୀକ୍ଷିତ ମ୍ୟାଚ । ଘରୋଇ ପରିବେଶରେ ଭାରତକୁ ପରାସ୍ତ କରିବା ପାଇଁ ନିଶ୍ଚୟ ଇଂଲଣ୍ଡ ଚେଷ୍ଟା କରିବ । ଏହି ବିଜୟ ସେମାନଙ୍କ ପାଇଁ ସେମିଫାଇନାଲ ବାଟ ଫିଟାଇପାରେ । ସେପଟେ ପ୍ରତିମ୍ୟାଚ ଭାରତ ପାଇଁ ଅଧିକ ଚ୍ୟାଲେଂଜ ସୃଷ୍ଟି କରିବ । ବାଂଲାଦେଶର ସଫଳତମ ଅଲରାଉଣ୍ଡର ସକିବ ଅଲ୍ ହାସନ୍ ଭାରତକୁ ଆସନ୍ତା ମ୍ୟାଚ୍ ପାଇଁ ଚେତାବନୀ ଦେଇଛନ୍ତି । ଭାରତର ବିଜୟ ରାସ୍ତାରେ ବାଂଲାଦେଶ କଂଟା ହୋଇ ଠିଆ ହେବ ବୋଲି ସେ କହିଛନ୍ତି ।