ଗହଣା ପ୍ରତିଷ୍ଠାନ ପାଇଁ ଆଡ୍ କରି ଅଡୁଆରେ ବିଗ୍-ବି ଓ ଝିଅ ଶ୍ୱେତା : ବିଜ୍ଞାପନକୁ ବିରୋଧ କଲା ବ୍ୟାଙ୍କ ଅଫିସର୍ସ ମହାସଂଘ

51

ବିଜ୍ଞାପନ କରି ବିବାଦରେ ଅମିତାଭ ବଚ୍ଚନ ଓ ଝିଅ ଶ୍ୱେତା ବଚ୍ଚନ । ଏକ ଗହଣା ପ୍ରତିଷ୍ଠାନ ପାଇଁ ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଓ ତାଙ୍କ ଝିଅ ଶ୍ୱେତା ବଚ୍ଚନ ନନ୍ଦା କରିଥିବା ବିଜ୍ଞାପନକୁ ନେଇ ଏହି ବିବାଦ ସୃଷ୍ଟି ହୋଇଛି । ଏହି ଦେଢ଼ ମିନିଟର ବିଜ୍ଞାପନକୁ ଏକ ବ୍ୟାଙ୍କ ମହାସଂଘ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ସର୍ବଭାରତୀୟ ବ୍ୟାଙ୍କ ଅଫିସର ମହାସଂଘ ତରଫରୁ କୁହାଯାଇଛି ଏହି ଆଡଭର୍ଟାଇଜ୍ ଦ୍ୱାରା ବ୍ୟାଙ୍କରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଖରାପ ଢ଼ଙ୍ଗରେ ପ୍ରଦର୍ଶିତ କରାଯାଇଛି ।

ବିଜ୍ଞାପନ କରିଥିବା ଗହଣା ପ୍ରତିଷ୍ଠାନ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମହାସଂଘ ପକ୍ଷରୁ ଧମକ ଦିଆଯାଇଛି । ତେବେ ବିବାଦ ସୃ୍ଷ୍ଟି ହେବା ପରେ ଗହଣା ପ୍ରତିଷ୍ଠାନ ପକ୍ଷରୁ ସଫେଇ ଦିଆଯାଇଛି । କୁହାଯାଇଛି ବିଜ୍ଞାପନଟି ସମ୍ପୂର୍ଣ୍ଣ ରୂପେ କାଳ୍ପନିକ । ଏଥିରେ କୈାଣସି ସ୍ଥାନରେ ବ୍ୟାଙ୍କକୁ ଖରାପ ଦୃଷ୍ଟିରେ ଉପସ୍ଥାପିତ କରିବା ପାଇଁ ଉଦ୍ୟମ କରାଯାଇନାହିଁ । ଏହି ବିଜ୍ଞାପନରେ ଅମିତାଭ ଜଣେ ବୃଦ୍ଧ ଭୂମିକାରେ ଅଭିନୟ କରିଥିବାବେଳେ ଶ୍ୱେତା ତାଙ୍କ ଝିଅ ଭୂମିକାରେ ନଜର ଆସିଛନ୍ତି । ବିଜ୍ଞାପନରେ ଦେଖାଯାଉଛି ବାପ ଝିଅ ଅଟୋରେ ଆସି ଏକ ବ୍ୟାଙ୍କ ଶାଖାକୁ ଯାଇଛନ୍ତି । ବୃଦ୍ଧ ଜଣଙ୍କ ପେନସନ୍ ଖାତାରେ ଅଧିକ ଟଙ୍କା ଆସିଥିଲା । ସେମାନେ ସେହି ଟଙ୍କାକୁ ଫେରସ୍ତ କରିବାକୁ ଯାଇଛନ୍ତି । କିନ୍ତୁ ସେଠାରେ ତାଙ୍କୁ ବ୍ୟାଙ୍କ କର୍ମଚାରୀ ଦୁର୍ବବ୍ୟହାର କରୁଛନ୍ତି । ତାପରେ ଶାଖା ପରିଚାଳକଙ୍କୁ ଏନେଇ ଅବଗତ କରାଉଛନ୍ତି ଅମିତାଭ । ହେଲେ ପରିଚାଳକ ହସିବା ସହ ଅତି ବେପରୁଆ ଭାବରେ କହୁଛନ୍ତି ଅଧିକ ଟଙ୍କା ଆସିଥାଉ କିଏ ଜାଣୁଛି । କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରିିନାହାଁନ୍ତି ବାପ ଝିଅ । ଆଉ କହିଛନ୍ତି କେହି ଜାଣୁ ବା ନଜାଣୁ ସେ ଜାଣୁଛନ୍ତି ଏହା ଭୁଲ ।