ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବଡ଼ ଘୋଷଣା ! ମହିଳାଙ୍କୁ ମିଳିବ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ।

21

କନକ ବ୍ୟୁରୋ : ମୋଦି ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାକୁ ପ୍ରତ୍ୟାଖ୍ୟାନ କରି ରାଜ୍ୟ ସରକାର ନିଜସ୍ୱ ସ୍ୱାସ୍ଥ୍ୟ ଯୋଜନା ଘୋଷଣା କରିବା ପରେ ଆଜି ଆଉ ଏକ ପାଦ ଆଗେଇଛନ୍ତି ନବୀନ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କ ପାଇଁ ୭ ଲକ୍ଷ ଟଙ୍କା ଯାଏଁ ଚିକିତ୍ସା ସୁବିଧା ମିଳିବ ବୋଲି ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହିଳାଙ୍କ ସ୍ୱାସ୍ଥ୍ୟ ସମସ୍ୟା ଅଧିକ ତେଣୁ ଅଧିକ ଚିକିତ୍ସା ସହାୟତା ଯୋଗାଇବା ନେଇ ଅନୁରୋଧ କରିଥିଲେ ମାଲକାନଗିରି କାଲିମେଳାର ଜଣେ ମହିଳା । ଏହାପରେ ସରକାର ଏହି ନିଷ୍ପତି ନେଇଥିବା କୁହାଯାଉଥିବା ବେଳେ ବିରୋଧୀ କିନ୍ତୁ ଏହାକୁ ମାନିବାକୁ ନାରାଜ ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କୁ ମିଳିବ ଅଧିକ ଚିକିତ୍ସା ସୁବିଧା । ଏହି ଯୋଜନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସେବାର ବ୍ୟବସ୍ଥା ଥିବା ବେଳେ ମହିଳାଙ୍କ ପାଇଁ ଏହି ବୃଦ୍ଧି ପାଇ ୭ ଲକ୍ଷ ହେବ । ମୋଦି କେୟାରକୁ ପ୍ରତ୍ୟାଖ୍ୟାନ କରି ରାଜ୍ୟ ସରକାର ନିଜର ମାଗଣା ସ୍ୱାସ୍ଥ୍ୟ ବୀମା ଘୋଷଣା ପରେ ଆଉ ଏକ ପାଦ ଆଗେଇଛନ୍ତି ନବୀନ । ମାଲକାନଗିରି କାଲିମେଳାର ଜଣେ ମହିଳା ମମତା ପଡ଼ିଆମୀଙ୍କ ଅନୁରୋଧ ପରେ ଏଭଳି ନିଷ୍ପତି ନିଆଯାଇଥିବା କୁହାଯାଉଛି । ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂରେ ଭାଗ ନେଇ ମମତା ଯୁକ୍ତି ବାଢ଼ିଥିଲେ ଯେ ମହିଳାଙ୍କ ସ୍ୱାସ୍ଥ୍ୟ ସମସ୍ୟା ଅଧିକ, ତେଣୁ ଅଧିକ ଚିକିତ୍ସା ସହାୟତା ଦିଆଯାଉ ।

ମମତାଙ୍କ ଯୁକ୍ତି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଭାବିତ କରିଥିଲା ବୋଲି ସରକାର କହୁଥିବା ବେଳେ ବିରୋଧୀ କିନ୍ତୁ ଏହାକୁ ମାନିବାକୁ ନାରାଜ । ବିରୋଧୀଙ୍କ ଅଭିଯୋଗ, ବଜେଟ୍ ନଥାଇ ବିଭିନ୍ନ ଯୋଜନା ଘୋଷଣା କରି ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛନ୍ତି ସରକାର ।

ମୋଦିଙ୍କ ମେଗା ସ୍ୱାସ୍ଥ୍ୟ ଯୋଜନା ଆୟୁଷ୍ମାନ ଭାରତ କେବେ କାର୍ଯ୍ୟକାରୀ ହେବ, ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ । ତେବେ ଅଗଷ୍ଟ ୧୫ ତାରିଖରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି ନବୀନ । ଏଥିରେ ପ୍ରାୟ ୭୦ ଲକ୍ଷ ପରିବାର ଏବଂ ପାଖାପାଖି ସାଢ଼େ ୩ କୋଟି ଲୋକ ଉପକୃତ ହେବା ନେଇ ଲକ୍ଷ୍ୟ ରଖାଯାଇଛି ।