ଦେଶରେ ପ୍ରଥମ । ସମୁଦ୍ର ତଳେ ନିର୍ମାଣ ହେବ ଟନେଲ, ଗଡିବ ବୁଲେଟ ଟ୍ରେନ ।

1,044

ରାଷ୍ଟ୍ରୀୟ ଉଚ୍ଚ ଗତି ରେଳ ନିଗମ ଲିମିଟେଡ (ଏନଏଚଏସଆରସିଏଲ) ମୁମ୍ବାଇ-ଅହମ୍ମଦାବାଦ ବୁଲେଟ ଟ୍ରେନ ପ୍ରୋଜେକ୍ଟରେ ସମୁଦ୍ର ତଳେ ଟନେଲ ନିର୍ମାଣ କରିବାକୁ ଟେଣ୍ଡର ଡାକିଛନ୍ତି । ଏହା ଭାରତର ପ୍ରଥମ ଟନେଲ ହେବ ଯାହା ସମୁଦ୍ର ତଳେ ନିର୍ମାଣ ହେବାକୁ ଯାଉଛି । ବୁଲେଟ ଟ୍ରେନ ପ୍ରୋଜେକ୍ଟ ଅନୁଯାୟୀ, ଏହି ଟନେଲ ୭ କିଲୋମିଟର ପର୍ଯ୍ୟନ୍ତ ନିର୍ମାଣ କରାଯିବ । ଥାନେ ଫ୍ରିକ ଅଞ୍ଚଳରେ ଏହି ଟନେଲର ନିର୍ମାଣ ହେବ ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, (ଏନଏଚଏସଆରସିଏଲ) ଗତ ମଙ୍ଗଳବାର ଏହି ଟନେଲର ନିର୍ମାଣ ପାଇଁ ନୋଟିଫିକେସନ ଜାରି କରିଛନ୍ତି । ଏହି ନୋଟିଫିକେସନ ଅନୁଯାୟୀ, ସାଢେ ୩ ବର୍ଷ ମଧ୍ୟରେ ଟନେଲ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ପଡିବ । ଏହି ଅବଧି ମଧ୍ୟରେ ଟନେଲ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ହେବ । କାରଣ ବୁଲେଟ ଟ୍ରେନ ପ୍ରୋଜେକ୍ଟର ଡେଡଲାଇନ ୨୦୨୨ ପର୍ଯ୍ୟନ୍ତ ରହିଛି ।

ତେବେ ମୋଦି ସରକାରଙ୍କ ଏହି ବୁଲେଟ ଟ୍ରେନ ପ୍ରୋଜେକ୍ଟ ପାଇଁ ଜମି ଅଧିଗ୍ରହଣ ସବୁଠୁ ବଡ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ଗୁଜରାଟ ଓ ମହାରାଷ୍ଟ୍ରର କିଛି ଗାଁରେ ଜମି ଅଧିଗ୍ରହଣକୁ ନେଇ ବିରୋଧ ଦେଖିବାକୁ ମିଳୁଛି । କୃଷକ ମାନେ ନିଜ ଜମି ପାଇଁ ଅଧିକ ଟଙ୍କା କ୍ଷତିପୂରଣ ମାଗୁଥିବା ନେଇ ପୂର୍ବରୁ ଖବର ସାମ୍ନାକୁ ଆସିଥିଲା । ମୁମ୍ବାଇରୁ ଅହମ୍ମଦାବାଦକୁ ଚାଲିବାକୁ ଥିବା ଏହି ବୁଲେଟ ଟ୍ରେନ ପ୍ରୋଜେକ୍ଟ ପାଇଁ ଭାରତ ୮୮ ହଜାର କୋଟି ଟଙ୍କା ଜାପାନ ଠାରୁ ରଣ ଆଣିଛି । ଏହି ବୁଲେଟ ଟ୍ରେନ ପ୍ରୋଜେକ୍ଟ ପାଇଁ ୧ ଲକ୍ଷ କୋଟି ଟଙ୍କାର ବଜେଟ ରହିଥିବା ବେଳେ ବାକି ଟଙ୍କା କେନ୍ଦ୍ର ସରକାର ବହନ କରିବେ ।