ବିଭୁ ଦେଲେ କଂଗ୍ରେସକୁ ବଡ ଝଟକା । ଟିକେଟ ପାଇଲେ, ତଥାପି ଦଳ ଛାଡିଲେ ।

634

କନକ ବ୍ୟୁରୋ : ଟିକେଟ ପାଇଲେ ତଥାପି କଂଗ୍ରେସର ହାତ ଛାଡିଲେ ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ । କଂଗ୍ରେସରୁ ଇସ୍ତଫା ଦେଲେ ବିଭୁ ତରାଇ । ତିର୍ତ୍ତୋଲ ଆସନରୁ କଂଗ୍ରେସର ବିଧାୟକ ପ୍ରାର୍ଥୀ ଥିବା ବିଭୁ ଆଜି କଂଗ୍ରେସ ଛାଡିଛନ୍ତି । ଟିକେଟ ବଣ୍ଟନକୁ ନେଇ ଅସନ୍ତୁଷ୍ଟ ଥିବା ବିଭୁ ନିଜ ଇସ୍ତଫା ପତ୍ର ପିସିସି ସଭାପତିଙ୍କ ନିକଟକୁ ପଠାଇଛନ୍ତି ।

ପୂର୍ବରୁ ତିର୍ତ୍ତୋଲ ଆସନ ପାଇଁ ବିଭୁଙ୍କୁ ବିଧାୟକ ପ୍ରାର୍ଥୀ କରିଥିଲା କଂଗ୍ରେସ । କିନ୍ତୁ ଜଗତସିଂହପୁରରୁ ସାଂସଦ ପ୍ରାର୍ଥୀ ପାଇଁ ଆଶାୟୀ ଥିଲେ ବିଭୁ । କିନ୍ତୁ ଟିକେଟ ନ ମିଳିବା ପରେ ନିଜର ଅସନ୍ତୋଷ ଦଳର ହାଇକମାଣ୍ଡଙ୍କୁ ଜଣାଇଥିଲେ ବିଭୁ । କିନ୍ତୁ ଘୋଷଣା ହୋଇଥିବା ପ୍ରାର୍ଥୀରେ କୌଣସି ପରିବର୍ତ୍ତନ ହେବା ପରେ କଂଗ୍ରେସର ହାତ ଛାଡିଛନ୍ତି ବିଭୁ ।

୨୦୦୯ ମସିହାରେ ବିଭୁ ତରାଇ ସିପିଆଇ ଟିକେଟରେ ଜଗତସିଂହପୁର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ତେବେ ୨୦୧୪ରେ ପଟ୍ଟ ପରିବର୍ତ୍ତନ କରି କଂଗ୍ରେସରେ ଯୋଗ ଦେଇ ଟିକେଟ ହାତେଇଥିଲେ ବିଭୁ । କିନ୍ତୁ ବିଜେଡିର କୁଳମଣି ସାମଲଙ୍କ ଠାରୁ ବଡ ବ୍ୟବଧାନରେ ମାତ୍ ଖାଇଥିଲେ ବିଭୁ । ତେବେ ଚଳିତଥର ପୁଣିଥରେ ସାଂସଦ ପ୍ରାର୍ଥୀ ହେବାକୁ ବିଭୁ ଆଶା କରିଥିଲେ ମଧ୍ୟ ଦଳ ତାଙ୍କୁ ତିର୍ତ୍ତୋଲରୁ ବିଧାୟକ ପ୍ରାର୍ଥୀ କରିଥିଲା । ଯାହାକୁ ନେଇ ଅସନ୍ତୁଷ୍ଟ ଥିଲେ ବିଭୁ । ଟିକେଟ ମିଳିବା ପରେ ମଧ୍ୟ ବିଭୁ ଦଳ ଛାଡି କଂଗ୍ରେସକୁ ଦେଇଛନ୍ତି ବଡ ଝଟକା । ଏହାପୂର୍ବରୁ ବିଜେପିର ଦୁଇ ପ୍ରାର୍ଥୀ ଟିକେଟ ପାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ବିଜେଡିରେ ଯୋଗ ଦେଇଥିଲେ । ଆଉ ଏବେ ଟିକେଟ ପାଇ ଦଳ ଛାଡିବା ନେତାଙ୍କ ତାଲିକାରେ ବିଭୁ ତରାଇଙ୍କ ନାଁ ଯୋଡି ହୋଇଛି ।