ବୈଜୟନ୍ତଙ୍କ ଭୂତ କମ୍ପାନିକୁ ନେଇ ଭୁପେନ୍ଦ୍ର ସିଂହ ପଟେଲଙ୍କ ପ୍ରଶ୍ନ । କହିଲେ ବାହମାସ ଲିଙ୍କର ତଦନ୍ତ କେବେ, ଟିକସ ଫାଙ୍କି ମାମଲାରେ କେବେ ହେବ କାର୍ଯ୍ୟାନୁଷ୍ଠାନ ?

166

କନକ ବ୍ୟୁରୋ : ପୂର୍ବତନ ସାଂସଦ ଓ ଶିଳ୍ପପତି ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ମନିଂ ଲଣ୍ଡରିଂ ଅଭିଯୋଗ ଆଣିଥିବା ସୂଚନା ଅଧିକାର କର୍ମୀ ତଥା ଅନୁସନ୍ଧାନକାରୀ ସାମ୍ବାଦିକ ଭୁପେନ୍ଦ୍ର ସିଂହ ପଟେଲ ଗୁରୁବାର ଭୁବନେଶ୍ୱରରେ ଏକ ପ୍ରେସମିଟ୍ କରିଛନ୍ତି । ପଟେଲ ଅଭିଯୋଗ କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଓ ତାଙ୍କ ପତ୍ନୀ ଜାଗୀ ମଙ୍ଗତ ପଣ୍ଡା ବାହମାସ ଦ୍ୱୀପରେ ଖୋଳପା କମ୍ପାନୀ ବା ସେଲ୍ କମ୍ପାନୀ ତିଆରି କରାଇ ପ୍ରାୟ ୧୭କୋଟି ଟଙ୍କାର କଳା ଟଙ୍କାକୁ ଧଳା କରି ଓଟିଭି, ଓରଟେଲ. ମେଟ୍ରୋ ସ୍କାଇନେଟ୍ ସମେତ ବିଭିନ୍ନ କମ୍ପାନୀରେ ଲଗାଇଛନ୍ତି । ଗୋଟିଏ ଗୋଟିଏ ସେୟାରର ମୂଲ୍ୟ ୧୦୦ ଟଙ୍କା ଥିବା ବେଳେ ମାତ୍ର ଦେଢ଼ ଟଙ୍କା ଫେରିପାଇଲା ପରେ ବି ବାହାମାସର ନିବେଶକାରୀ କମ୍ପାନୀ କୌଣସି ପ୍ରକାର ବିରୋଧ କରୁନଥିବା ଏହା ଦର୍ଶାଉଛି । ଏଭଳି ଖୋଳପା କମ୍ପାନୀ ନେଇ ସେ ୪୧ ଦିନ ତଳେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ସିବିଆଇ, ଇଡି, ବ୍ଲାକ୍ ମନି ତଦନ୍ତ ପାଇଁ ଥିବା ଏସଆଇଟିଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ ।

୨ ବର୍ଷ ତଳେ ବାହାମାସରେ ପଂଜୀକୃତ ହୋଇଥିବା ୧୩ ଲକ୍ଷ ଖୋଳପା କମ୍ପାନୀ ସଂପର୍କରେ ଇଣ୍ଟରନେସନାଲ କନସୋର୍ଟିୟମ୍ ଅଫ୍ ଜର୍ଣର୍ାଲିଷ୍ଟସ୍୍ ବା “ଆଇସିଆଇଜେ’ ପର୍ଦ୍ଦାଫାସ୍ କଲା ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ବିରୋଧରେ ତଦନ୍ତ ହୋଇଥିଲା ଓ ସେ ପଦ ହରାଇଥିଲେ । ମାତ୍ର ଭାରତରେ ଏ ନେଇ କୌଣସି ପଦକ୍ଷେପ ନିଆଯାଇନାହିଁ । ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗ ଦେବା ପରେ ଏ ନେଇ ତଦନ୍ତ ଆଗକୁ ଯିବ କି ନାହିଁ ସେ ପ୍ରଶ୍ନ ଉଠାଇଛନ୍ତି ।

ଅନ୍ୟପଟରେ ବିଜେପି ପକ୍ଷରୁ ଏହି ପ୍ରେସମିଟ୍ ପ୍ରାୟୋଜିତ ଥିଲା ବୋଲି ଅଭିଯୋଗ କରାଯାଇଛି । ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ତାଙ୍କୁ ଏଠାକୁ ଆଣିବାରେ କିଏ ଫ୍ଲାଇଟ୍ ଖର୍ଚ୍ଚ ଦେଇଥିଲେ ଓ ହୋଟେଲ ଖର୍ଚ୍ଚ ଦେଇଥିଲେ ତାହା ଦେଖିବାକୁ ପଡ଼ିବ । ତେବେ ଏହାର ଜବାବରେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ପୀତାମ୍ବର ଯେଉଁଭଳି ମନ୍ତବ୍ୟ ଦେଉଛନ୍ତି ତାହା ତାଙ୍କର ଅତ୍ୟନ୍ତ ନିମ୍ନ ମାନସିକତା ଓ ଅଭ୍ୟାସଗତ ଭାବେ ଅସଭ୍ୟ,ଅଶାଳୀନ ମନ୍ତବ୍ୟ ଦେବାର ଆଚରଣକୁ ପଦାରେ ପକାଇଛି । ହତାଶା ଓ ନିରାଶ ଭାବ ପୀତାମ୍ବରଙ୍କୁ ଏତେ ଘାରିଛି ଯେ, ସେ ତାଙ୍କର ଆଇନ୍ ପାଠ ଭୁଲିଯାଇ ବିନା କୌଣସି ତଥ୍ୟ ଆଧାରରେ ଏପ୍ରକାର ହାସ୍ୟାସ୍ପଦ ବକ୍ତବ୍ୟ ଦେଉଛନ୍ତି ।

ଏହା ପୂର୍ବରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଇଣ୍ଡିଆନ ଏକ୍ସପ୍ରେସର ଖବର ସାମ୍ନାକୁ ଆଣି କହିଥିଲେ, ଗତ ମାସ ୮ ତାରିଖରେ ବୈଜୟନ୍ତଙ୍କ ବିରୋଧରେ ମନି ଲଣ୍ଡରିଂ ବା ଟିକସ ଫାଙ୍କି ଅଭିଯୋଗ ସାମ୍ନାକୁ ଆସିଥିଲା । ଜାତୀୟ ଗଣମାଧ୍ୟମ ଇଣ୍ଡିଆନ ଏକ୍ସପ୍ରେସରେ ଏନେଇ ଖବର ପ୍ରକାଶ ପାଇଥିଲା । କିନ୍ତୁ ଖବର ପ୍ରକାଶ ପାଇବାର ମାତ୍ର ଗୋଟିଏ ମାସ ନ ପୁରୁଣୁ ବୈଜୟନ୍ତ ଏବେ ବିଜେପିରେ ଯୋଗ ଦେଇଛନ୍ତି । ଲାଗୁଛି ସତେ ଯେମିତି ସମସ୍ତ କଳାଧନ ବିଜେପି ଦଳକୁ ନ ଫେରିବା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ଶାହା ଅଟକିବେ ନାହିଁ ।
ବୈଜୟନ୍ତଙ୍କ ବିରୋଧରେ ବଡ ଅଭିଯୋଗ :
ଗତମାସରେ ଜାତୀୟ ଗଣମାଧ୍ୟମ ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ଜାଲ କଂପାନୀ କରି ଅଜଣା ସୋର୍ସରୁ ୧୭ କୋଟି ୭୨ ଲକ୍ଷ ଟଙ୍କା ହାସଲ କରିଛନ୍ତି ବୈଜୟନ୍ତ । ବାହାମାସ୍ ରେଜିଷ୍ଟ୍ରାର୍ ଅଫ୍ କଂପାନୀ ରେକର୍ଡ ଅନୁସାରେ ୧୯୯୩ ମସିହାରେ ‘ଫିନ୍ଲେ’, ୧୯୯୫ ମସିହାରେ ‘ମେଶିନା’ ଓ ୨୦୦୩ ମସିହାରେ ‘ପିକିକା’ ନାଁରେ ଗଠନ ହୋଇଥିଲା ସେଲ୍ କଂପାନୀ । ସବୁ କଂପାନୀର ଠିକଣା ଥିଲା ଗୋଟିଏ, ଆଉ ଏଥିରେ ଥିଲେ ପ୍ରକ୍ସି ଅଫିସ ବିୟରର୍ । ଏଜେଂଟ୍ କର୍ପୋରେଟ୍ ସର୍ଭିସ ଇଂଟରନେସନାଲ୍ ଜରିଆରେ ଏହି କଂପାନୀ ଗଢ଼ା ଯାଇଥିଲା । ଏହି ଜାଲ୍ କଂପାନୀ ଜରିଆରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା, ତାଙ୍କ ପତ୍ନୀ ଜଗି ମଙ୍ଗତ ପଣ୍ଡା ଏବଂ ତାଙ୍କର ସହଯୋଗୀ ମଂଜୁଳା ଦେବୀଙ୍କ ନାଁରେ ମନି ଲଣ୍ଡରିଂ ଅଭିଯୋଗ ଆସିଛି । ବାହାମାସର ତିନି ଜାଲ୍ କଂପାନୀ ଓ ତା’ର ଦୁଇ ଭାରତୀୟ ସହଯୋଗୀ କଂପାନୀ-ପଣ୍ଡା ଇନଭେଷ୍ଟମେଂଟ୍ସ ଓ ମେଟ୍ରୋ ସ୍କାଏନେଟ୍ ଜରିଆରେ ଓରଟେଲ୍ ଇକ୍ୟୁଟି ସେୟାର ଆକାରରେ ୯କୋଟି ୪୬ ଲକ୍ଷ ଟଙ୍କା ହାସଲ କରିଥିଲେ ।

ଗତ ଜାନୁଆରୀରେ ଆୟକର ବିଭାଗରେ ହୋଇଥିବା ଅଭିଯୋଗରେ କୁହାଯାଇଛି, ମନି ଲଣ୍ଡରିଂ ଆଇନ, ବ୍ଲାକ ମନି ଆଇନ ଏବଂ ଆୟକର ଆଇନକୁ ସେମାନେ ଉଲଙ୍ଘନ କରିଛନ୍ତି । ଅଭିଯୋଗ ଅନୁସାରେ, ମିଛ କମ୍ପାନୀ ଜରିଆରେ ଏମାନେ ୧୭ କୋଟି ୭୨ଲକ୍ଷ ଟଙ୍କା ହାସଲ କରିଛନ୍ତି । କିନ୍ତୁ ଏହି ଟଙ୍କା ପ୍ରକୃତରେ କେଉଁଠାରୁ ଆସୁଛି ତାର କୌ÷ଣସି ରେକର୍ଡ ନାହିଁ ବୋଲି ଅଭିଯୋଗ ହୋଇଥିଲା । ଏହାପରେ ସେହି ଟଙ୍କାର ସେୟାରକୁ ଅତି କମ୍ ମୂଲ୍ୟରେ ବୈଜୟନ୍ତ ପଣ୍ଡା ଓ ତାଙ୍କ ପତ୍ନୀ ଜାଗି ମଙ୍ଗତ ପଣ୍ଡାଙ୍କୁ ମିଳିଥିବା ଅଭିଯୋଗ ହୋଇଥିଲା । ଜାତୀୟ ଗଣମାଧ୍ୟମ ଇଣ୍ଡିଆନ ଏକ୍ସପ୍ରେସରେ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ହଟଚମଟ ସୃଷ୍ଟି ହୋଇଥିଲା । ଏପରିକି ଏହି ମାମଲା ସଂସଦରେ ମଧ୍ୟ ଉଠାଇଥିଲେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ।