ପରୀକ୍ଷା ଦେବେ ଭୂମିକା ! ଅଭିନୟରୁ ନେଲେ ବିରତି !

358

ଓଲିଉଡର ଚର୍ଚ୍ଚିତ ଚେହେରା ଭୂମିକା ଦାଶ । ଚଳିତ ବର୍ଷ ଦୁଇ ଦୁଇଟି ସୁପରହିଟ ଫିଲ୍ମର ନାୟିକା ବନିଥିବା ଟିନଏଜ ହିରୋଇନ ଭୂମିକା ଦାଶ ଏବେ ଟିକେ ବ୍ରେକ ନେଇଛନ୍ତି । ସେ ୨୦୧୭ରେ ସବୁଠୁ ବଡ ହିଟ ମୁଭି କୁହାଯାଉଥିବା ‘ତୁ ମୋ ଲଭଷ୍ଟୋରି’ରେ ହିରୋଇନ ଭାବେ ଏଣ୍ଟ୍ରି କରିଥିଲେ । ଏଥିରେ ତାଙ୍କୁ ନବାଗତ ନାୟକ ସ୍ୱରାଜଙ୍କ ବିପକ୍ଷରେ ଦେଖିବାକୁ ମିଲିଥିଲା । ଏହା ପରେ ଭୂମିକାଙ୍କୁ ସୁପରଷ୍ଟାର ବାବୁସାନଙ୍କ ସହ ଦେଖିବାକୁ ମିଲିଥିଲା ଏ ବର୍ଷ ପୂଜା ବଜାରରେ ରିଲିଜ ହୋଇଥିବା ସିନେମା ‘ହିରୋ ନଂ୧’ରେ । ଉଭୟ ‘ତୁ ମୋ ଲଭ ଷ୍ଟୋରି’ ଓ ‘ହିରୋ ନଂ୧’ର ନିର୍ଦ୍ଦେଶକ ଜଣେ, ସେ ହେଉଛନ୍ତି ତାପସ ସରଘରିଆ ।

ତାପସ ପୁଣି ଭୂମିକାଙ୍କୁ ନେଇ ବାବୁସାନଙ୍କ ସହ ଏକ ଫିଲ୍ମ କରିବାକୁ ଚାହୁଁ ଥିଲେ । ହେଲେ ତାହା ସମ୍ଭବ ହୋଇପାରି ନାହିଁ । ଯଦି ସେଭଳି ଘଟିଥାଆନ୍ତା ତେବେ ଭୂମିକା ତାପସ ଯୋଡ଼ିର ହାଟ୍ରିକ ହୋଇଥାନ୍ତା ଏବଂ ଓଲିଉଡରେ ଏକ ବିରଳ ରେକର୍ଡ ସୃଷ୍ଟି କରିଥାନ୍ତା । ତାହା ହେଲା ଯେ ଗୋଟିଏ ବର୍ଷ ଭିତରେ ଜଣେ ନିର୍ଦ୍ଦେଶକଙ୍କ ସହ ଜରେ ନିର୍ଦ୍ଦିଷ୍ଟ ନାୟିକା ଲଗାତାର ତିନୋଟି ସିନେମାରେ କାମ କରିବାର ରେକର୍ଡ । ଏହା ଅବଶ୍ୟ ଭିନ୍ନ କଥା ଯେ ସରଘରିଆ ଏବେ ବାବୁସାନଙ୍କ ସହ ସୁପ୍ରିୟାଙ୍କୁ ନେଇ ‘ଓନଲି ପ୍ୟାର’ ତିଆରି କରୁଛନ୍ତି ।

ତେବେ ଭୂମିକା ଓଲିଉଡ ଏବଂ ଆକ୍ଟିଂ ଦୁନିଆରୁ ଟିକେ ବ୍ରେକ ନେଇଛନ୍ତି । ସେ ଏବେ ଦଶମ ଶ୍ରେଣୀର ଛାତ୍ରୀ । ଏ ବର୍ଷ ସିବିଏସଇ ବୋର୍ଡ ପରୀକ୍ଷା । ଏଣୁ ଅନ୍ତତଃ ପକ୍ଷେ ଦଶମ ଶ୍ରେଣୀର ପରୀକ୍ଷା ନସରିବା ଯାଏଁ କୌଣସି ନୂଆ ଓଡ଼ିଆ ସିନେମାରେ କାମ କରିବେନି ବୋଲି ଜଣା ପଡ଼ିଛି । ଏବେ ଦେଖିବାକୁ ବକି ରହିଲା ସେ ଆଗକୁ କେଉଁ ଓଡ଼ିଆ ସିନେମାରେ କାମ କରୁଛନ୍ତି ।