ସାବଧାନ୍ ! ଆପଣଙ୍କ ପକେଟରେ ବି ଥାଇପାରେ ନକଲି ନୋଟ୍, ରାଜଧାନୀରୁ ଜବତ ହେଲା ଜେରକ୍ସ ମେସିନ୍

19

କନକ ବ୍ୟୁରୋ : ସାବଧାନ୍ ! ଆପଣଙ୍କ ପକେଟରେ ବି ଥାଇପାରେ ନକଲି ୫୦୦ଟଙ୍କିଆ ନୋଟ୍ । କାରଣ ରାଜଧାନୀରେ ଛପା ହେଉଛି ନକଲି ୫ ଶହ ଟଙ୍କିଆ । ସାଲିଆସାହିର ଜଣଙ୍କ ଘରେ ଚଢଉ କରି ଛପା ପାଇଁ ବ୍ୟବହାର ହେଉଥିବା ଜେରକ୍ସ ମେସିନ ଓ କାଗଜ ଜବତ ହୋଇଥିବା ସୂଚନା ମିଳିଛି । ଏଭଳି ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ବାରିପଦାରୁ ନକଲି ନୋଟ୍ କାରବାର କରୁଥିବା ଅଭିଯୋଗରେ ଶାଗେନ ଟୁଡୁ ଗିରଫ ହେବା ପରେ । ଶାଗେନଙ୍କୁ ନେଇ ରାଜଧାନୀର କେତେକ ସ୍ଥାନରେ ଚଢଉ କରିଥିଲା ବାରିପଦା ପୋଲିସ । ଶାଗେନଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିଥିଲା ପୋଲିସ ।

ଶାଗେନର ବୟାନ ଅନୁସାରେ ଭୁବନେଶ୍ୱରର ସାଲିଆସାହିର ଜଣଙ୍କ ଘରେ ଚଢଉ କରି ଛପା ପାଇଁ ବ୍ୟବହାର ହେଉଥିବା ଜେରକ୍ସ ମେସିନ ଓ କାଗଜ ଜବତ କରିଥିବା ସୂଚନା ମିଳିଛି । ଗତ ୯ ତାରିଖ ଦିନ ବାରିପଦା ଟାଉନ୍ ଥାନା ପୋଲିସ ଶୁନଗଡିଆ ଅଂଚଳରୁ ଶାଗେନ୍ ଟୁଡୁକୁ ଗିରଫ କରିଥିବା ବେଳେ ତାହାଠୁ ୩୨ଟି ନୂଆ ୫୦୦ ଟଙ୍କିଆ ଜାର୍ ନୋଟ୍ ଜବତ କରିଥିଲା । ଆଦିବାସୀଙ୍କୁ ଟାର୍ଗେଟ କରି ଏହି କାରବାର ସେ କରୁଥିବା କୁହାଯାଉଛି । ତେବେ ଆଜି ରିମାଣ୍ଡ ଅବଧି ଶେଷ ହେବାରୁ ଶାଗେନକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।