ଲଗାଣ ବର୍ଷାରେ ରାଜଧାନୀ ଭୁବନେଶ୍ୱରର ହାଲ୍ ବେହାଲ୍ !

21

କନକ ବ୍ୟୁରୋ : ଲଗାଣ ବର୍ଷାରେ ରାଜଧାନୀ ଭୁବନେଶ୍ୱରର ହାଲ୍ ବେହାଲ୍ । ଲଘୁଚାପ ବର୍ଷାରେ ସ୍ମାର୍ଟ ସିଟିର ସ୍ମାର୍ଟ ଚେହେରା ପଦାରେ ପଡିଛି । ରାସ୍ତାରେ ଲହଡି ଭାଙ୍ଗୁଛି ଅଂଟାଏ ଉଚ୍ଚର ବର୍ଷାଜଳ । ପାଣିର ସୁଅ ଏତେ ପ୍ରଖର ଯେ ରାସ୍ତା ପାର ହେବାକୁ ଡରୁଛନ୍ତି ସ୍ଥାନୀୟ ବାସିନ୍ଦା । ଏକ ପ୍ରକାର ଜଳବନ୍ଦୀ ହୋଇ ରହିଛନ୍ତି ୧୦୦ରୁ ଉର୍ଦ୍ଧ୍ୱ ପରିବାର । ଦୀର୍ଘ ଦିନ ହେବ ଏହି ଅଂଚଳରେ ବର୍ଷାଦିନେ ଏଭଳି ସମସ୍ୟା ଲାଗି ରହିଥିଲେ ମଧ୍ୟ କୈଣସି ପ୍ରତିକାର କରାଯାଉନାହିଁ ।

ସମାନ ସ୍ଥିତି ଦେଖାଦେଇଛି ଚନ୍ଦ୍ରଶେଖରପୁରର ନନ୍ଦନ ବିହାର ଅଂଚଳରେ । ଘର ଭିତରେ ପଶିଛି ବର୍ଷାଜଳ । ପାଣିରେ ଭାସୁଛି ଘରକରଣା ସାମଗ୍ରୀ । ଲଗାଣ ବର୍ଷା ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଂଚଳ ବାସିନ୍ଦା । ଖାଲି ଏହି ଦୁଇଟି ଅଂଚଳ ନୁହେଁ ରାଜଧାନୀର ଅଧିକାଂଶ ଖାଲୁଆ ଅଂଚଳରେ ବର୍ଷା ପାଣି ପଶି ଜନଜୀବନକୁ ପ୍ରଭାବିତ କରିଛି ।