ସ୍ମାର୍ଟସିଟିର ସ୍ମାର୍ଟ ବ୍ୟବସ୍ଥା !ସହିଦନଗରରୁ ସାରା ଭୁବନେଶ୍ୱର ହେବ କଣ୍ଟ୍ରୋଲ

901

କନକ ବ୍ୟୁରୋ : ସାରା ଭାରତରେ ବର୍ତ୍ତମାନ ଓଡିଶାର ପରିଚୟ ଏକ ଭିନ୍ନ ସ୍ଥରରେ ରହିଥିବାବେଳେ ଏବେ ଆଉ ଏକ ବଡ ଉପଲବ୍ଧି ହାସଲ କରିବା ଦିଗରେ ପାଦ ଥାପିଛି ଓଡିଶା । ଦେଶର ପ୍ରଥମ ସ୍ମାର୍ଟସିଟି ଭାବେ ଆଖ୍ୟା ପାଇଥିବା ରାଜଧାନୀ ଭୁବନେଶ୍ୱରରେ ଏବେ ବଦଳିଯିବ ଗମନାଗମନ ଠାରୁ ଆରମ୍ଭ କରି ଜରୁରୀକାଳୀନ ମୁକାବିଲା ସହିତ ସାମ୍ନା କରିବାର ପ୍ରକ୍ରିୟା । କାରଣ ଏଥିପାଇଁ ଦେଶର ପ୍ରଥମ ସ୍ମାର୍ଟ କମାଣ୍ଡ ସେଣ୍ଟର ବା ଅପରେସନ ସେଣ୍ଟର କାର୍ୟ୍ୟ ଚୁଡାନ୍ତ ପର୍ୟ୍ୟାୟରେ ପହଁଚିଛି । ରାଜଧାନୀର ପ୍ରମୂଖ ସ୍ଥାନରେ ଯେଉଁଠାରେ ଜନଗହଳି ଅତ୍ୟଧିକ ରହୁଛି ସେଠାରେ ଲୋକଙ୍କ ଗିତିବିଧି ଏବଂ ସମସ୍ୟାରେ ପଡିଥିବା ବ୍ୟକ୍ତିଙ୍କୁ ସହାୟତା ପ୍ରଦାନ କରିବା ପାଇଁ ସଜାଗ ରହିବ ଏହି ସ୍ୱତନ୍ତ୍ର ଦଳ । ଯଦି ହଠାତ ରାଜଧାନୀର ଯେ କୌଣସି ସ୍ଥାନରେ ଦୁର୍ଘଟଣା ଘଟିଲେ ତୁରନ୍ତ ସେଠାରେ ଜରୁରୀ କାଳୀନ ସହାୟତା ଦଳ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦେବା ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ , ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥା ତଦାରଖ କରାଯିବ । ଏଥିପାଇଁ ସହିଦନଗର ସ୍ଥିତ ବିଏମସି ଭବାନୀ ମଲ ଠାରେ ଅସ୍ଥାୟୀଭାବେ ସେଣ୍ଟ୍ରୋଲାଇଜଡ କମାଣ୍ଡ ସେଣ୍ଟର(ସିସିସିସି) ନିର୍ମାଣ କାର୍ୟ୍ୟ ଶେଷ ପର୍ୟ୍ୟାୟରେ ପହଁଚିଛି ।

ସୂଚନା ମୁତାବକ ୧୦୦ଫୁଟ ଚଉଡା ସହ ୭୦ ଇଞ୍ଚ ପ୍ୟାନେଲ ବିଶିଷ୍ଟ ୩୨ଟି ବିଶାଳ ୱାଲ ଭିଡିଓ ସେଟଅପ ଜରିଆରେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସେବା ଯୋଗାଇବା ପାଇଁ ଏହି ଅପରେସନ ସେଣ୍ଟରୁ ହିଁ ଅପରେଟ କରାଯିବ । ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଜରିଆରେ ଏହି କଣ୍ଟୋଲ ରୁମରେବସି ଲୋକଙ୍କ ପ୍ରତ୍ୟେକ ଗିତିବିଧି ଉପରେ ନଜର ରଖାଯାଇପାରିବ । ଭୁବନେଶ୍ୱର ଅପରେସନ ସେଣ୍ଟରରେ ରାଜ୍ୟ ଓ କେନ୍ଦ୍ରର ପାଖାପାଖି ୨୦ରୁ ଅଧିକ କର୍ମଚାରୀ ନିୟୋଜିତ ହେବେ ବୋଲି ସୂଚନା ମିଳିଛି ।

ଏହି ଅପରେସନ ସେଣ୍ଟରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିଦର୍ଶନ କରିଥିଲେ । ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ, ବିଡିଏ ଓ ବିଏମସିର ବରିଷ୍ଠ ଅଧିକାରୀଙ୍କ ସହ ଯାଇ ମୁଖ୍ୟମନ୍ତ୍ରୀ ଅପରେସନ ସେଣ୍ଟର ବୁଲି ଦେଖିଛନ୍ତି । ଏହାସହିତ ନିର୍ମାଣ କାର୍ୟ୍ୟକୁ ସମୀକ୍ଷା କରିଛନ୍ତି । ସିସିସିସି ଭାବେ ପରିଚିତ ଭୁବନେଶ୍ୱର ଅପରେସନ ସେଣ୍ଟର ଦେଶର ଅନ୍ୟ ସହର ତୁଳନାରେ ସବୁଠାରୁ ବୃହତ ସେଣ୍ଟର । ଏହି ସେଣ୍ଟର କାର୍ୟ୍ୟକ୍ଷମ ହେବାଦ୍ୱାରା ରାଜଧାନୀର ଟ୍ରାଫିକ ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା, ଗମନା ଗମନ, ଅତ୍ୟାବଶ୍ୟକ ସେବା, ବିପର୍ୟ୍ୟୟକୁ ପରିଚାଳନା କରିବା ସହଜ ହେବ । ପୋଲିସ, ଅଗ୍ନିଶମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଓ ଅନ୍ୟାନ୍ୟ ଏଜେନ୍ସି ସହ ସମନ୍ୱୟ ରଖି ଏସବୁ କାର୍ୟ୍ୟ ସମ୍ପାଦିତ କରାଯିବ । ଭୁବନେଶ୍ୱର ଅପରେସନ ସେଣ୍ଟର ନିର୍ମାଣ କାର୍ୟ୍ୟ ଚୁଡାନ୍ତ ପର୍ୟ୍ୟାୟରେ ପହଁଚିଥିବାବେଳେ ଖୁବଶୀଘ୍ର ଏହାକୁ ଉଦଘାଟନ କରାଯିବ ବୋଲି ବିଡିଏ ଉପାଧ୍ୟକ୍ଷ କ୍ରିଷନ କୁମାର କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପରିଦର୍ଶନ ସମୟରେ ସ୍ମାର୍ଟସିଟିର ସିଇଓ ଆର. ଭିନିଲ କ୍ରିଷ୍ଣା ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ କଣ୍ଟ୍ରୋଲ ରୁମ ବିଷୟରେ ସୂଚନା ଦେଇଥିଲେ ।