ଅନ୍ତର୍ଜାତୀୟ ବିମାନ ସେବାରେ ଲାଗିଲା ବ୍ରେକ । ଭୁବନେଶ୍ୱରରୁ ବ୍ୟାଙ୍କକ ବିମାନ ଉଡାଣ ସେବା ବନ୍ଦ କଲା ଏୟାର ଇଣ୍ଡିଆ

132

କନକ ବ୍ୟୁରୋ : ବନ୍ଦ ହେଲା ବ୍ୟାଙ୍କକକୁ ବିମାନ ସେବା । ଭୁବନେଶ୍ୱରରୁ ବ୍ୟାଙ୍କକ ଯାଉଥିବା ଏୟାର ଇଣ୍ଡିଆର ବିମାନ ସେବାକୁ ହଠାତ୍ ବନ୍ଦ କରି ଦିଆଯାଇଛି । ପ୍ରାୟ ୭ ମାସ କାଳ ସପ୍ତାହକୁ ତିନି ଦିନ ବ୍ୟାଙ୍କକକୁ ବିମାନ ଉଡ଼ାଣ କରିବା ପରେ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ପରିଚାଳନାଗତ ସମସ୍ୟା ଦେଖାଇ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ ସେବା ବନ୍ଦ କରିଦେଇଛନ୍ତି।

ଭୁବନେଶ୍ୱରରୁ ବ୍ୟାଙ୍କକକୁ ରବିବାର ଶେଷ ଥର ପାଇଁ ବିମାନ ଉଡ଼ାଣ ହୋଇଥିବାବେଳେ ଆଜି ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ବିଜୁ ପଟ୍ଟନାୟକ ବିମାନବନ୍ଦର ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ ଜୁଲାଇ ୧୬ରୁ ସେପ୍ଟେମ୍ବର ୩୦ ତାରିଖ ପର୍ୟ୍ୟନ୍ତ ପରିଚାଳନାଗତ ସମସ୍ୟା ଯୋଗୁଁ ଏହି ରୁଟରେ ବିମାନ ଉଡ଼ାଣ କରିବନି। ସେହିପରି ଭୁବନେଶ୍ୱରରୁ ବେଙ୍ଗାଲୁରକୁ ଉଡ଼ାଣ କରୁଥିବା ଏହି ବିମାନର ଉଡ଼ାଣ ବି ସେପ୍ଟେମ୍ବର ୩୦ ତାରିଖ ପର୍ୟ୍ୟନ୍ତ ବାତିଲ୍ କରାଯାଇଛି। ଏହି ସମୟରେ କୌଣସି ବୁକିଂ ନରଖିବାକୁ ସମସ୍ତ ଟୁର୍ ଅପରେଟର ଏବଂ ଟ୍ରାଭେଲ୍ ଏଜେନ୍ସିଗୁଡ଼ିକୁ ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି।

ଏନେଇ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତାଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ସେପ୍ଟେମ୍ବର ୩୦ ପର୍ୟ୍ୟନ୍ତ ବିମାନ ଉଡ଼ାଣ ବନ୍ଦ ରହିଲା ବୋଲି ଜଣାଇଛନ୍ତି। କିନ୍ତୁ କେବେ ପୁଣି ବିମାନ ଉଡ଼ାଣ ଆରମ୍ଭ ହେବ ସେନେଇ କିଛି ସ୍ପଷ୍ଟ ଭାବେ ଜଣାଇ ନାହାନ୍ତି।ଏନେଇ ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ଏୟାର ଇଣ୍ଡିଆକୁ କେବେ ବି ଭରସାଯୋଗ୍ୟ ସଂସ୍ଥା ଭାବେ ଆମେ ନେଇପାରିନୁ। ସେମାନେ ହଠାତ୍ ବିମାନ ଉଡ଼ାଣ ବନ୍ଦ କରୁଛନ୍ତି। ବାରମ୍ବାର ଏପରି ହେଲାଣି। ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ ରାଜ୍ୟ ସରକାରଙ୍କଠାରୁ କୌଣସି ସବସିଡି ନେଉନଥିବାରୁ ଆମେ କିଛି ବି କହିପାରିବୁନି। ତେଣୁ ଏବେ ବ୍ୟାଙ୍କକକୁ କିପରି ଅଧିକ ବିମାନ ସେବା ଆରମ୍ଭ ହେବ ସେଥିପାଇଁ ଅନ୍ୟ ବିମାନ ଉଡ଼ାଣ ସଂସ୍ଥା ସହ ଆଲୋଚନା କରିବୁ। ଏୟାର ଏସିଆ ଏହି ରୁଟରେ ବିମାନ ଉଡ଼ାଣ କରିବାକୁ ଆଗ୍ରହ ଦେଖାଇଥିଲା। ତେଣୁ ପ୍ରଥମେ ଏୟାର ଏସିଆ ସହ ଆଲୋଚନା କରାଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ ଡିସେମ୍ବର ୧୦, ୨୦୧୭ରେ ଏୟାର ଇଣ୍ଡିଆ ଭୁବନେଶ୍ୱରକୁ ବିମାନ ଉଡ଼ାଣ ଆରମ୍ଭ କରିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ଏହି ଉଡ଼ାଣର ଉଦଘାଟନ କରିଥିଲେ। ଅଧିକାଂଶ ସମୟରେ ବିମାନର ସମସ୍ତ ସିଟ୍ ବିକ୍ରି ହେଉଥିଲା। ହେଲେ ହଠାତ୍ କାହିଁକି ବିମାନ ଉଡ଼ାଣ ବନ୍ଦ କରାଗଲା ସେନେଇ କେହି ଠିକ୍ ଉତ୍ତର ଦେଇପାରୁନାହାନ୍ତି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏୟାର ଇଣ୍ଡିଆ ଏବେ ହଜ୍ ଯାତ୍ରା ପାଇଁ ବିଭିନ୍ନ ରୁଟରେ ବିମାନ ବାତିଲ୍ କରୁଥିବାବେଳେ ସେଥିପାଇଁ ଭୁବନେଶ୍ୱର-ବ୍ୟାଙ୍କକ୍ ରୁଟ୍ରେ ବିମାନ ଉଡ଼ାଣ ବାତିଲ୍ କରିଛି।