ଦିଦିଙ୍କ ଦୂତଙ୍କୁ ଡର ! ବିଜେପି କହିଲା ତ୍ରୁଣମୂଳ କଂଗ୍ରେସ୍ କରିପାରେ ଦଳୀୟ ଅଫିସ୍ ଉପରେ ଆକ୍ରମଣ

42

କନକ ବ୍ୟୁରୋ : ଟିଏମସି ସାଂସଦ ସୁଦୀପ ବନ୍ଦୋପାଧ୍ୟାୟଙ୍କ ସିବିଆଇ ରିମାଣ୍ଡ ଶେଷ ହୋଇଛି । ରୋଜଭ୍ୟାଲି ଚିଟଫଣ୍ଡ ମାମଲାରେ ତାଙ୍କୁ ପୁଣି ୮ଦିନ ରିମାଣ୍ଡରେ ନେଇ ପଚରା ଉଚରା କରିବାକୁ ଚାହୁଁଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ତେବେ ସୁଦୀପ ବନ୍ଦୋପାଧ୍ୟାୟ ଓ ତାପସ ପାଲଙ୍କ ଗିରଫଦାରି ପ୍ରତିବାଦରେ ସିବିଆଇ କାର୍ଯ୍ୟାଳୟ ଆଗରେ ହଙ୍ଗାମା କରିଛନ୍ତି ଟିଏମସି କର୍ମୀ ।

ମୋଦି ସରକାରଙ୍କ ଇଙ୍ଗିତରେ ଦୁଇ ନେତାଙ୍କୁ ଗିରଫ କରାଯାଇଥିବା ଅଭିଯୋଗ କରିଛନ୍ତି । ସେହିପରି ଆସନ୍ତାକାଲି ଭୁବନେଶ୍ୱର ଲୋୟର ପିଏମଜିରେ ବଡଧରଣର ବିକ୍ଷୋଭ ପାଇଁ ପ୍ରସ୍ତୁତି କରୁଛି ଦଳ । ତେବେ ତୃଣମୂଳ କଂଗ୍ରେସର ବିକ୍ଷୋଭ କାର୍ଯ୍ୟକ୍ରମକୁ ନେଇ ଆଶଙ୍କାରେ ବିଜେପି । ଦଳର ମୁଖପାତ୍ର କହିଛନ୍ତି, ବିଜେଡିର ସମର୍ଥନ ନେଇ ତୃଣମୂଳ କଂଗ୍ରେସର କର୍ମୀମାନେ ବିଜେପି ଅଫିସରେ ଆକ୍ରମଣ କରିପାରନ୍ତି ।

ଚକ୍ରାନ୍ତ କରି ରୋଜଭ୍ୟାଲି ଚିଟଫଣ୍ଡ ଦୁର୍ନୀତିରେ ପଶ୍ଚିମବଙ୍ଗ ସାଂସଦ ସୁଦୀପ ବନ୍ଦୋପାଧାୟଙ୍କୁ ଗିରଫ କରାଯାଇଥିବା ଅଭିଯୋଗ କରିଛି ଟିଏମସି । ଏନେଇ ଭୁବନେଶ୍ୱର ସମେତ ଦେଶର ୧୦ଟି ସ୍ଥାନରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ କରିବ ଦଳ । ସଂସଦରେ ନିର୍ଭିକ ଭାବେ ବିମୁଦ୍ରାକରଣ ବିରୋଧରେ ସ୍ୱର ଉଠାଇଥିବାରୁ ଦଳର ଦୁଇ ସାଂସଦଙ୍କୁ ଟାର୍ଗେଟ କରାଯାଇଥିବା ଅଭିଯୋଗ ହୋଇଛି ।

ତୃଣମୂଳ କଂଗ୍ରେସ ପଶ୍ଚିମ ବଙ୍ଗର ଶକ୍ତିଶାଳୀ ଆଂଚଳିକ ଦଳ । ହେଲେ ଓଡିଶାରେ ନା ଏହାର ସ୍ଥିତି ଅଛି, ନା ସଂଗଠନ । ଏପରି ସ୍ଥିତିରେ ଏହି ଆନ୍ଦୋଳନ ପାଇଁ ଓଡିଶାରେ ଟିଏମସି କେଉଁଠୁ ଆଣିବ କର୍ମୀ? ବିଜେପିର ଅଭିଯୋଗ ଟିଏମସିକୁ କର୍ମୀ ଯୋଗାଇବ ବିଜୁ ଜନତା ଦଳ । ଏପରିକି ଟିଏମସିର ଆନ୍ଦୋଳନକୁ ସଫଳ କରିବା ପାଇଁ ପ୍ରାଶାସନିକ କଳ ବି ଲାଗିବେ ବୋଲି ବିଜେପି ନେତା କହିଛନ୍ତି ।

ତାପସ ପାଲ ଓ ସୁଦୀପ ବନ୍ଦୋପାଧାୟଙ୍କ ଗିରଫଦାରୀ ପରେ ନିୟମିତ ଭାବେ ସିବିଆଇ ଅଫିସ ଆଗରେ ବିକ୍ଷୋଭ କରୁଛନ୍ତି ଟିଏମସିର ବଙ୍ଗୀୟ ନେତା । ପ୍ରଶ୍ନ ଉଠୁଛି, ଭୁବନେଶ୍ୱରରେ ହେବାକୁ ଥିବା ମୋଦି ବିରୋଧୀ ଆନ୍ଦୋଳନକୁ କିପରି ସଫଳ କରି ନିଜ ସ୍ଥିତି ଜାହିର କରିବ ଟିଏମସି ।