ନବୀନଙ୍କ ପାଇଁ ରାସ୍ତା ବଦଳିଲା ! ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କବଚ ପାଇଁ ଗୃହ ବିଭାଗର ଯୋଜନା

359

କନକ ବ୍ୟୁରୋ : ବଦଳିବ ନବୀନ ନିବାସ ରାସ୍ତା । ବାରମ୍ବାର ନବୀନ ନିବାସ ଆଡକୁ ମୁହାଁଉଥିବା ଆନ୍ଦୋଳନକାରୀଙ୍କ ପାଇଁ ସବୁ ଦିନିଆ ସମାଧାନ ଖୋଜି ବାହାର କରିଛି ଗୃହ ବିଭାଗ । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପାଇଁ ବଢ଼ିବ ସୁରକ୍ଷା ବ୍ୟବସ୍ଥା । ଏଥିପାଇଁ ନିର୍ମାଣ ହେବ ନୂଆ ରାସ୍ତା । ନବୀନ ନିବାସ ସମ୍ମୁଖରେ ଥିବା ପାଚେରୀ ଭାଙ୍ଗି ବିମାନବନ୍ଦର ଛକରୁ ପୁନାମା ଗେଟ୍ ପର୍ଯ୍ୟନ୍ତ ନିର୍ମାଣ ହେବ ନୂଆ ରାସ୍ତା ।

ବିଭିନ୍ନ ସମୟରେ ନବୀନ ନିବାସ ଆଡକୁ ଧଶେଇ ପଶିବାକୁ ଉଦ୍ୟମ କରୁଛନ୍ତି ଆନ୍ଦୋଳନକାରୀ । ମୁଖ୍ୟ ଫାଟକ ସମ୍ମୁଖରେ ଧାରଣ ବି ଦିଆଯାଉଛି । ଏପରିକି କେତେ ଜଣ ଆତ୍ମହୂତି ଦେବା ମଧ୍ୟ ଉଦ୍ୟମ କରିଛନ୍ତି । ଏଣିକି ସାଧାରଣ ଲୋକଙ୍କ ପାଇଁ ନବୀନ ନିବାସ ନିକଟକୁ ଯିବା ତ ଦୂରର କଥା, ମୁଖ୍ୟ ଫାଟକ ଦେଖିବା ବି ମୁସ୍କିଲ ହେବ । ସୁରକ୍ଷା ଦୃଷ୍ଟିରୁ ବଦଳିବ ନବୀନ ନିବାସର ଚିତ୍ର ।

ନୂଆ ରାସ୍ତାରେ ଗଡ଼ିବ କଡ଼ା ସୁରକ୍ଷା ଭିତରେ ଯାଉଥିବା ମୁଖ୍ୟମନ୍ତ୍ରୀଙ୍କ ନାଲିବତୀ ଗାଡ଼ି । ନୂଆ ରାସ୍ତା ପାଇଁ ବିମାନବନ୍ଦର କର୍ତୃପକ୍ଷଙ୍କ ସହ ହେବ ଜମି ଅଦଳବଦଳ । ସାଧାରଣ ପ୍ରଶାସନ ବିଭାଗ ଏଥିପାଇଁ ପ୍ରାୟ ସଢ଼େ ୩ ଏକର ଜମି ବଦଳ କରିବାକୁ ନିଷ୍ପତି ନେଇଛି । ଜମି ହସ୍ତାସ୍ତର ପରେ ନୂଆ ରାସ୍ତା ନିର୍ମାଣ ହେବ ଏବଂ ସିଲ୍ ହେବ ରାସ୍ତା ।

ନବୀନ ନିବାସ ଭିଭିଆଇପି ସୁରକ୍ଷା ବଳୟ ଭିତରେ ଯାଉଥିବାରୁ ଏଠାରେ ବର୍ଷତମାମ୍ ୧୪୪ ଧାରା ଜାରି ହୋଇଥାଏ । ଏଣିକି ଏହି ରାସ୍ତାରେ ବିକ୍ଷୋଭ, ଆନ୍ଦୋଳନ ତ ଦୂରର କଥା ସାଧାରଣ ଲୋକଙ୍କ ଯାତାୟତ ମଧ୍ୟ ବନ୍ଦ କରିଦିଆଯିବ ।