ରାଜଧାନୀର ରିଂ ରୋଡ୍! ରାଜ୍ୟ ସରକାର ଓ ଜାତୀୟ ରାଜପଥ ପ୍ରାଧିକରଣର ମିଳିତ ଉଦ୍ୟମରେ ଚୁଡାନ୍ତ ହେଲା ପ୍ରକଳ୍ପ

39

କନକ ବ୍ୟୁରୋ : ରାଜଧାନୀକୁ ଘେରିବ ରିଂ ରୋଡ୍ । ରାଜଧାନୀରେ ବଢୁଥିବା ଟ୍ରାଫିକ୍ ସମସ୍ୟାକୁ ଦେଖି ରାଜ୍ୟ ସରକାର ଓ ରାଷ୍ଟ୍ରୀୟ ରାଜପଥ ପ୍ରାଧିକରଣ ନିର୍ମାଣ କରିବାକୁ ଯାଉଛନ୍ତି ଏହି ପ୍ରକଳ୍ପ । ଏହି ରାସ୍ତା ନିର୍ମାଣ ହେଲେ ମୁଖ୍ୟତଃ ଭୁବନେଶ୍ୱର ଓ କଟକ ସହର ମଧ୍ୟ ଦେଇ ଯାଇଥିବା ରାଜପଥକୁ ଟ୍ରାଫିକ୍ ସମସ୍ୟା ଦୂର କରାଯାଇପାରିବ ।

ରାଜଧାନୀର ବ୍ୟସ୍ତବହୁଳ ରାଜରାସ୍ତା । ଦିନକୁ ଦିନ ବଢୁଛି ଟ୍ରାଫିକ୍ ସମସ୍ୟା । ସହରର ପରିଧି ବଢିବା ସହ ଏହା ମଧ୍ୟ ଦେଇ ଯାଇଥିବା ରାଷ୍ଟ୍ରୀୟ ରାଜପଥରେ ମଧ୍ୟ ବଢୁଛି ଗାଡି ମୋଟରର ସଂଖ୍ୟା । ଆନ୍ତଃରାଜ୍ୟ ସଡକ ପଥ ବ୍ୟବହାର କରୁଥିବା ଭାରୀଯାନ ସହର ମଧ୍ୟ ଦେଇ ଚଳାଚଳ କରୁଥିବାରୁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବା ସହ ବଢୁଛି ଦୁର୍ଘଟଣା । ତେବେ ଏହି ସମସ୍ୟା ଖୁବ୍ ଶୀଘ୍ର ଦୂର ହେବାକୁ ଯାଉଛି । କାରଣ ରାଷ୍ଟ୍ରୀୟ ରାଜପଥ ପ୍ରାଧିକରଣ ନିର୍ମାଣ କରିବାକୁ ଯାଉଛନ୍ତି ଏକ ରିଂ ରୋଡ୍ ।

ଏହି ରାସ୍ତା ଖୋର୍ଦ୍ଧା ନିକଟ ପଲ୍ଲା ତୋଟାପଡାରୁ ବାହାରି ଚୈାଦ୍ୱାର ନିକଟରେ ସଂଯୋଗ କରାଯିବ । କିନ୍ତୁ ଏହାକୁ କଟକ ଟାଙ୍ଗୀ ପର୍ଯ୍ୟନ୍ତ ସଂପ୍ରସାରଣ କରିବା ପାଇଁ ପ୍ରାଧିକରଣ ଏବେ ଚିନ୍ତା କରୁଛନ୍ତି । ଏ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ୍ ଗଡକରୀଙ୍କୁ ଚିଠି ଲେଖିବା ପରେ ଏହାକୁ ନୀତିଗତ ସ୍ୱୀକୃତି ମଧ୍ୟ ମିଳିଯାଇଛି ।

ତେବେ ଏନେଇ ସମସ୍ତ ରୂପରେଖ ଚୂଡାନ୍ତ ହୋଇ ସାରିଥିବା ବେଳେ କେବଳ ଚୈାଦ୍ୱାର ଠାରୁ ଟାଙ୍ଗୀ ପର୍ଯ୍ୟନ୍ତ ପରିବର୍ଦ୍ଧିତ ରିଂ ରୋଡ ଏବେ ମଂଜୁରୀ ଅପେକ୍ଷାରେ ଅଛି । ମଂଜୁରୀ ମିଳିବା ପରେ ଖୁବ୍ ଶୀଘ୍ର ଏହାକୁ ପୂର୍ଣ୍ଣାଙ୍ଗ କରାଯିବ ବୋଲି ରାଷ୍ଟ୍ରୀୟ ରାଜପଥ ପ୍ରାଧିକରଣ କର୍ତୃପକ୍ଷ ଆଶା ରଖିିଛନ୍ତି ।