କ୍ୟାପିଟାଲ ହସ୍ପିଟାଲରେ ଏକାକୀ ଲଢୁଛି ଭୁବନେଶ୍ୱର ବିସ୍ମୟ : ସେପଟେ କମିସନରେଟ୍ ପୁଲିସ୍ ଆରମ୍ଭ କରିଛି ତନାଘନା

26

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : କ୍ୟାପିଟାଲ ହସ୍ପିଟାଲର ଏସଏନସିୟୁ ଭିତରେ ଭୁବନେଶ୍ୱରର ବିସ୍ମୟ । ପାଖରେ ମାଆ ନାହିଁ । ତେଣୁ ଡାକ୍ତରୀ ବିଜ୍ଞାନର ଅତ୍ୟାଧୁନିକ ଯନ୍ତ୍ର ମାପୁଛି ତା ହୃତସ୍ପନ୍ଦନକୁ । ଆଉ ସେ ସେମିତି ନିସ୍ତେଜ୍ ହୋଇ ପଡି ରହିଛି ବେଡ୍ ଉପରେ । ମାଆ ଥାଇବି ମାଆ ଛେଉଣ୍ଡ ହେବା କେତେ ଯେ କରୁଣ ହୋଇପାରେ ,ଏହା ସେହି ବିସ୍ମୟ ଶିଶୁଟିକୁ ଦେଖିଲେ ହିଁ ଜଣେ ଜାଣିପାରିବ । ପରିଚୟ ଦେବାକୁ ପାଖରେ କେହି ନାହିଁ । ତେଣୁ ଅନ୍ଧାରୀ କୂଅରୁ ଉଦ୍ଧାର ପରେ ସେ ହୋଇ ପଡିଛି ଅପରିଚିତ ।

ସେପଟେ ଜଳେଶ୍ୱର ବସ୍ତିର ଏ ଘଟଣା ପଛରେ ଲୁଚି ରହିଥିବା କାହାଣୀକୁ ଖୋଜୁଛି ପୁଲିସ । କାରଣ ସଦ୍ୟଜାତ ଶିଶୁଟିକୁ ନିଜେ ମା , ମାରିଦେବାକୁ ଉଦ୍ୟମ କରିବା ଘଟଣା ଅବିଶ୍ୱାସ ଭଳି ଲାଗୁଛି । କୁହାଯାଉଛି କାଳେ ଶିଶୁଟିକୁ ବାପାର ପରିଚୟ ନଦେଇ ପାରିବାର ଭୟ ହିଁ ଏଭଳି ଘଟଣାକୁ ଜନ୍ମ ଦେଇଥିଲା । ତେଣୁ ଅନ୍ୟ ଜଣେ ପୁରୁଷଙ୍କ ସହ ଏ ମହିଳାଙ୍କ ଘନିଷ୍ଠତା ବି ଘଟଣାକୁ ଆହୁରି ରହସ୍ୟମୟ କରି ଦେଇଛି । ହେଲେ ପ୍ରଶ୍ନ ଉଠୁଛି ବସ୍ତିର ବିସ୍ମୟକୁ ଆପଣେଇ ନେବାକୁ କିଏ ଆଗେଇ ଆସିବ ।