ସ୍ତ୍ରୀକୁ ଧର୍ଷଣ କଲେ ସ୍ୱାମୀ ! ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନାରେ ମର୍ଚ୍ଚାଂଟ ନେଭିର କ୍ୟାପଟେନ୍ ଅଟକ

27

vlcsnap-2017-01-14-18h53m32s126କନକ ବ୍ୟୁରୋ : ସ୍ୱାମୀ ଧର୍ଷଣକାରୀ । ସ୍ତ୍ରୀ ପୀଡିତା । ପବିତ୍ର ଦାମ୍ପତ୍ୟ ଜୀବନରେ କଳଙ୍କର ଛିଟା । ୧୦ବର୍ଷ ଧରି ବୈବାହିକ ଜୀବନ କାଟିବା ପରେ ସ୍ୱାମୀ ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ । ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନାରେ ସ୍ତ୍ରୀ ଏତଲା ଦେବା ପରେ ସ୍ୱାମୀକୁ ଅଟକ ରଖିଛି ପୁଲିସ୍ । ସ୍ତ୍ରୀ କହିଛନ୍ତି , ମର୍ଚ୍ଚାଣ୍ଟ ନେଭିରେ କ୍ୟାପଟେନ୍ ଭାବେ କାମ କରୁଥିବା ସ୍ୱାମୀ ବର୍ଷକୁ ୪ମାସ ରହନ୍ତି ସାଥୀରେ । ହେଲେ ଡ୍ୟୁଟି ସାରି ଘରକୁ ଫେରିବା ବେଳକୁ ସ୍ୱାମୀ ପାଲଟି ଯାଆନ୍ତି ସଇତାନ୍ । ଜୋରଜବରଦସ୍ତ ଶାରୀରିକ ସଂପର୍କ ରଖିବାକୁ ଚେଷ୍ଟା କରନ୍ତି । ଆଉ ବିରୋଧ କଲେ ଜୀବନରେ ମାରି ଦେବାକୁ ଉଦ୍ୟମ କରନ୍ତି ।

କେବଳ ସେତିକି ନୁହେଁ ଦୁଇ ଦୁଇଟି ଝିଅର ବାପା ହେବା ପରେ ବି କ୍ୟାପଟେନ୍ ସ୍ୱାମୀର ଯୌତୁକ ନିଶା ଯାଇନି । ଗଲା କିଛି ବର୍ଷ ହେଲା ବାପଘରୁ ଜମି ଆଣିବାକୁ ବାଧ୍ୟ କରୁଛନ୍ତି । ଏପରିକି ମଦ ପିଇ ସେ ଅନ୍ୟ ଯୁବତୀଙ୍କ ସହ ଅନୈତିକ ସଂପର୍କ ରଖୁଥିବା ମଧ୍ୟ ଅଭିଯୋଗ କରିଛନ୍ତି ସ୍ତ୍ରୀ । ତେଣୁ ଦୁଇ ଦୁଇଟି ଝିଅକୁ ନେଇ ଏଭଳି ଜଣେ ଲମ୍ପଟ ସ୍ୱାମୀଙ୍କ ପାଖରେ ବାକି ଜୀବନ ବିତାଇ ପାରିବେ ନାହିଁ ବୋଲି କହିଛନ୍ତି ।

ସେପଟେ ପୀଡିତା ପତ୍ନୀଙ୍କ ଅଭିଯୋଗ ପାଇବା ପରେ ଲକ୍ଷ୍ମୀସାଗର ପୁଲିସ୍ ଅଭିଯୁକ୍ତ ସ୍ୱାମୀକୁ ଥାନାକୁ ଡାକି ପଚରାଉଚରା ଆରମ୍ଭ କରିଛି । ତେବେ ଆଶ୍ଚର୍ଯ୍ୟର କଥା , ସ୍ତ୍ରୀର ଏଭଳି ସାଂଘାତିକ ଅଭିଯୋଗକୁ ଅସ୍ୱୀକାର ବି କରୁ ନାହାଁନ୍ତି ସ୍ୱାମୀ ।

ମାରିଟାଲ୍ ରେପକୁ ନେଇ ଦେଶର ଆଇନ୍ ଅଦାଲତରେ ଚାଲିଛି ବିତର୍କର ଝଡ । ଏଭଳି ସ୍ଥିତିରେ ଆମ ରାଜ୍ୟରେ ପ୍ରଥମ ପାଇଁ ସ୍ୱାମୀଙ୍କ ବିରୋଧରେ ସ୍ତ୍ରୀ ଆଣିଛନ୍ତି ଧର୍ଷଣର ଅଭିଯୋଗ ।