ରାଜ୍ୟ ପାଇଁ ଖୁସିଖବର ! ବିଶ୍ୱର ଟପ୍-୨୦ ସ୍ମାର୍ଟ ସିଟିରେ ସ୍ଥାନ ପାଇଲା ଭୁବନେଶ୍ୱର, ଦେଶର ଏକମାତ୍ର ସ୍ମାର୍ଟ ସିଟି ଭାବେ ବେଷ୍ଟ ପରଫରମିଙ୍ଗ ସ୍ମାର୍ଟ ସିଟି ତାଲିକାରେ ପାଇଲା ସ୍ଥାନ

112

କନକ ବ୍ୟୁରୋ : ସାରା ବିଶ୍ୱରେ ହୋଇଥିବା ସ୍ମାର୍ଟସିଟି ତାଲିକାରେ ଭୁବନେଶ୍ୱରରୁ ସ୍ଥାନ ଟପ ୨୦ରେ ସ୍ଥାନ ପାଇଛି । ବିଶ୍ୱର ସମସ୍ତ ସ୍ମାର୍ଟ ସିଟିର ଗମନାଗମନ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା, ନିରାପତ୍ତା, ଉତ୍ପାଦକତା ଭଳି ମାପକାଠିକୁ ନେଇ ଇଂଲଣ୍ଡର ଜୁନିପର୍ ରିସର୍ଚ୍ଚ ପକ୍ଷରୁ ହୋଇଥିବା ସର୍ଭେରେ ଭୁବନେଶ୍ୱର ଶ୍ରେଷ୍ଠ ୨୦ ସ୍ମାର୍ଟ ସିଟି ଭିତରେ ସ୍ଥାନ ପାଇଛି। ଭାରତର ଏକମାତ୍ର ସ୍ମାର୍ଟ ସିଟି ଭାବେ ଭୁବନେଶ୍ୱର ‘ବେଷ୍ଟ୍ ପରଫରମିଙ୍ଗ୍ ସ୍ମାର୍ଟ ସିଟି’ ତାଲିକାରେ ସ୍ଥାନ ପାଇ ଦେଶର ଗୌରବ ବୃଦ୍ଧି କରିଛି।

ଏହି ସର୍ଭେରେ ନିଆଯାଇଥିବା ୪ଟିଯାକ ମାପକାଠିରେ ସିଙ୍ଗାପୁର ପ୍ରଥମ ସ୍ଥାନରେ ରହିଛି । ଭୁବନେଶ୍ୱର ଗମନାଗମନଓ ସ୍ୱାସ୍ଥ୍ୟସେବା ଓ ଉତ୍ପାଦକତାରେ ୨୦ ତମ ସ୍ଥାନରେ ରହିଛି । ନିରାପତାରେ ବାର୍ସିଲୋନା, ବର୍ଲିନ, ପୋର୍ଟଲ୍୍ୟାଣ୍ଡ ଓ ମେକ୍ସିକୋ ଭଳି ସହରକୁ ପଛରେ ପକାଇ ୧୩ ତମ ସ୍ଥାନରେ ରହିଛି । ତେଣୁ ହାରାହାରି ଭାବେ ଭୁବନେଶ୍ୱର ଶ୍ରେଷ୍ଠ ୨୦ ତାଲିକାରେ ୧୯ ତମ ସ୍ଥାନରେ ରହିଛିା
ଏହି ଖବର ଆସିବା ପରେ ବିଏମସି କାର୍ଯ୍ୟାଳୟ ଉତ୍ସବ ମୁଖରିତ ହୋଇ ପଡିଛି । କାର୍ଯ୍ୟାଳୟ ପରିସରରେ ମେୟର ଅନନ୍ତ ନାରାୟଣ ଜେନାଙ୍କ ସହିତ ବହୁ କର୍ପୋଟେର ସାମିଲ ହୋଇ ବାଣ ଫୁଟାଇ ବା ସହିତ ମିଠା ବାଂଟିଥିଲେ । ବିଶ୍ୱକପ ହକି ପୁର୍ବରୁ ରାଜଧାନୀର ମୁଖ୍ୟ ରାସ୍ତା ଏବଂ ବହୁ ଛକକୁ ନୁତନ ରୁପରେ ଶୋଭା ପାଇବ ବୋଲି ଜଣାପଡିଛି ।

ସ୍ମାର୍ଟ ସିଟି ଭୁବନେଶ୍ୱରର ଏହି ସଫଳତା ନେଇ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ କୁହାଯାଇଛି ଯେ, ସ୍ମାର୍ଟ ସିଟି ବାସିନ୍ଦାଙ୍କୁ ଗୁଣାତ୍ମକ ସେବା ଯୋଗାଇବା ପାଇଁ ବିଏମସି ଓ ବିଡିଏ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଏବଂ ସ୍ମାର୍ଟ ସିଟି ଯୋଜନାରେ ହେବାକୁ ଥିବାକୁ ପ୍ରକଳ୍ପ ପାଇଁ ଏହି ସଫଳତା ମିଳିଛି। ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ଏବଂ ୟୁଏନଏଫପିଏ ସହଯୋଗରେ ମହିଳା ଏବଂ ଯୁବତୀମାନଙ୍କୁ ଆତ୍ମରକ୍ଷା ପ୍ରଶିକ୍ଷଣ ଦିଆଯାଇଛି। ଏହାବାଦ୍ ରାଜଧାନୀର ବିଭିନ୍ନ ସ୍ଥାନରେ ସିସିଟିଭି ଲାଗିଛି, ଇଣ୍ଟେଲିଜେଣ୍ଟ ସିଟି ଅପରେସନସ ଆଣ୍ଡ ମ୍ୟାନେଜମେଣ୍ଟ୍ ସେଣ୍ଟର (ଆଇସିଓଏମସି) ମାଧ୍ୟମରେ ପୂରା ରାଜଧାନୀ ଉପରେ ନଜର ରଖିବାକୁ ଯୋଜନା ହୋଇଛି। ଏହି ଦୃଷ୍ଟିରୁ ଭୁବନେଶ୍ୱର ନିରାପତ୍ତା ମାପକାଠିରେ ଅନ୍ୟ ୭ଟି ସ୍ମାର୍ଟ ସିଟିକୁ ପଛରେ ପକାଇ ୧୩ତମ ସ୍ଥାନ ହାସଲ କରିଛି।

ସୂଚନାଯୋଗ୍ୟ ଯେ, ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ହୋଇଥିବା ସ୍ମାର୍ଟ ସିଟି ଚୟନ ପ୍ରତିଯୋଗିତାରେ ଭୁବନେଶ୍ୱର ପ୍ରଥମ ସ୍ଥାନ ହାସଲ କରିଥିବାବେଳେ ୨୦୧୬ରେ ବାର୍ସିଲୋନାରେ ହୋଇଥିବା ଓ୍ଵାର୍ଲଡ ସ୍ମାର୍ଟ ସିଟି ଆଓ୍ଵାର୍ଡ ପ୍ରତିଯୋଗିତାରେ ଭୁବନେଶ୍ୱର ଫାଇନାଲ ରାଉଣ୍ଡକୁ ଯାଇଥିଲା। ଗତବର୍ଷ ଆମେରିକାନ ପ୍ଲାନିଂ ଆସୋସିଏସନ୍ ପକ୍ଷରୁ ମଧ୍ୟ ଭୁବନେଶ୍ୱରକୁ ଇଣ୍ଟରନ୍ୟାସନାଲ ପ୍ଲାନିଂ ଏକ୍ସଲେନ୍ସ ଆଓ୍ଵାର୍ଡ ମିଳିଥିଲା।