୫୦ ବର୍ଷ ପରେ ବଦଳିଲା ଭୁବନେଶ୍ୱର ରାମ ମନ୍ଦିରର ପରିଚାଳନା ! ଗଢା ହେବ ନୂଆ ଅନ୍ତରୀଣ ଟ୍ରଷ୍ଟ ବୋର୍ଡ, ନିର୍ଦ୍ଦେଶ ଦେଲେ ଦେବୋତ୍ତର କମିଶନର ।

209

କନକ ବ୍ୟୁରୋ : ୫୦ ବର୍ଷ ତଳେ ଭୁବନେଶ୍ୱରରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ରାମ ମନ୍ଦିର ସେବା ସମିତିକୁ ମାଗଣାରେ ମିିଳିଥିଲା ସରକାରୀ ଜମି । ମନ୍ଦିର ପରିଚାଳନା ପାଇଁ ରହିଥିବା ପରିଚାଳନା ସମିତି ଆୟ-ବ୍ୟୟରେ ସ୍ୱଚ୍ଛତା ରଖୁନଥିବା ଅଭିଯୋଗ ହେବା ପରେ ପୁୁରୁଣା ପରିଚାଳନା ବୋର୍ଡକୁ ଭାଙ୍ଗି ଦେଇ ଏକ ଅନ୍ତରୀଣ ଟ୍ରଷ୍ଟ ବୋର୍ଡ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦେବୋତର କମିଶନର । ଏହି ୫ ଜଣିଆ ଟ୍ରଷ୍ଟ ବୋର୍ଡରୁ ଜଣେ ଅନ୍ତରୀଣ ମ୍ୟାନେଜିଂ ଟ୍ରଷ୍ଟି ଏବେ ମନ୍ଦିର ପରିଚାଳନା କରିବେ ।

ଭାଙ୍ଗିଲା ଭୁବନେଶ୍ୱର ରାମ ମନ୍ଦିରର ପରିଚାଳନା ସମିତି । ଗଢ଼ା ହେବ ନୂଆ ଅନ୍ତରୀଣ ଟ୍ରଷ୍ଟ ବୋର୍ଡ । ଟ୍ରଷ୍ଟ ବୋର୍ଡ ଗଢ଼ିବାକୁ ନିର୍ଦ୍ଦେଶ ଦେଲେ ଦେବୋତ୍ତର କମିଶନର । ଭୁବନେଶ୍ୱରର ରାମ ମନ୍ଦିର । ହଜାର ହଜାର ଲୋକଙ୍କ ଭକ୍ତି ଓ ଆସ୍ଥାର ପ୍ରତୀକ ଥିବା ଏହି ମନ୍ଦିରର ଆର୍ଥିକ ପରିଚାଳନାରେ ସ୍ୱଚ୍ଛତା ନଥିବା ଅଭିଯୋଗ ହେଉଥିଲା । ଅଭିଯୋଗର ସରଜମିନ୍ ଯାଂଚ୍ ପରେ ପୁରୁଣା ପରିଚାଳନା ସମିତିକୁ ଭାଙ୍ଗି ଦେଇଛନ୍ତିି ରାଜ୍ୟର ଦେବୋତ୍ତର କମିଶନର । କମିଶନର ତାଙ୍କର ରାୟରେ ଏକ ନୂଆ ୫-ଜଣିଆ ଅନ୍ତରୀଣ ଟ୍ରଷ୍ଟ ବୋର୍ଡ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେମାନଙ୍କ ଭିତରୁ ନିର୍ବାଚିତ ଜଣେ ଅନ୍ତରୀଣ ମ୍ୟାନେଜିଂ ଟ୍ରଷ୍ଟି ଏବେ ମନ୍ଦିର ପରିଚାଳନା ଦାୟିତ୍ୱ ନେବେ ।

ଭୁବନେଶ୍ୱରରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ସାଧାରଣ ପ୍ରଶାସନ ବିଭାଗ ୧୯୬୯ ମସିହାରେ “ରାମ ମନ୍ଦିର ସେବା ସମିତି’କୁ ମାଗଣାରେ ୧.୧୯ ଏକର ଜମି ଦେଇଥିଲେ । କମିଶନରଙ୍କ ନିକଟରେ ମନ୍ଦିରର ଆୟ-ବ୍ୟୟରେ ଅନିୟମିତତା ଓ ବ୍ୟବସାୟିକ କାରବାର ନେଇ ପିଟିସନ୍ ହେବା ପରେ ସେପ୍ଟେମ୍ବର ମାସରେ ମନ୍ଦିରର ଖାତା-ପତ୍ର ଯାଂଚ୍ କରିଥିଲେ କମିଶନର । ରାଜ୍ୟର ପ୍ରାୟ ୨ ହଜାର ମନ୍ଦିର ଓ ମଠର ପରିଚାଳନାକୁ ତଦାରଖ କରୁଥିବା ଦେବୋତ୍ତର କମିଶନ ସବୁ ପକ୍ଷକୁ ଶୁଣିବା ପରେ ଜାନୁଆରୀ ୨ରେ ପୂର୍ବ ପରିଚାଳନା ବୋର୍ଡକୁ ଭାଙ୍ଗି ଦେଇଥିଲେ ।