ଭୁବନେଶ୍ୱରରେ ମା’ଙ୍କର ମହାସପ୍ତମୀ ପୂଜା ! ପୂଜାର୍ଚ୍ଚନା ସାଙ୍ଗକୁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି ମନଲୋଭା ତୋରଣ

47

କନକ ବ୍ୟୁରୋ : ଭୁବନେଶ୍ୱରରେ ମହାସପ୍ତମୀର ଧୁମ । ସହରରେ ପ୍ରତି ମଣ୍ଡପରେ ମାଙ୍କ ପୂଜାର୍ଚ୍ଚନା ଚାଲିଥିବାବେଳେ କିଛି ସ୍ଥାନରେ ଆକର୍ଷଣ ସାଜିଛି ଆକର୍ଷଣୀୟ ତୋରଣ । ନୟାପଲ୍ଲୀ, ଷ୍ଟେସନବଜାର, ବରମୁଣ୍ଡା, ସହିଦନଗର, ବମିଖାଲ, ରସୁଲଗଡ, ଝାରପଡା ଓ ଲକ୍ଷୀସାଗରରେ ତିଆରି ହୋଇଛି ଆକର୍ଷଣୀୟ ତୋରଣ । ବରୋଦାରେ ଥିବା ଲକ୍ଷ୍ମୀ ବିଳାସ ସ୍ଥାପତ୍ୟ ଦେଖିବାକୁ ମିଳିଛି ନୟାପଲ୍ଲୀରେ । ନୟାପଲ୍ଲୀ ଦୁର୍ଗାପୂଜା ତୋରଣରେ ଏହି ରାଜପ୍ରସାଦ ତିଆରି କରାଯାଇଛି । ଏହି ରାଜପ୍ରସାଦ ତିଆରି ପାଇଁ ଖର୍ଚ୍ଚ ହୋଇଛି ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ସହିଦନଗର ଦୂର୍ଗାପୂଜାରେ ଦେଖିବାକୁ ମିଳିଛି ଥାଇଲାଣ୍ଡ ବୁଦ୍ଧ ମନ୍ଦିର । ଜଙ୍କସନରେ ୩ଟି ଶୀତତାପ ନିୟନ୍ତ୍ରିତ ରେଳ ଡବା । ଆଉ ତା ଭିତରେ ମା । ଏହି ତୋରଣ ପାଇଁ ୨୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି । ପୁରୁଣା ଷ୍ଟେସନ ବଜାରରେ ଏଥର ମୁଖ୍ୟ ତୋରଣରେ ମହାରାଷ୍ଟ୍ରର ଶିରିଡ ସାଇ ମନ୍ଦିରର ଅବିକଳ ନକଲ ପ୍ରସ୍ତୁତ କରାଯାଇଛି ।

ସେହିପରି କୋଲକାତାରେ ଜମୁଛି ଦଶହରା । ଦୁର୍ଗାପୂଜା ପାଇଁ ସବୁ ପେଣ୍ଡାଲ ମଧ୍ୟରେ ଚାଲିଛି ପ୍ରତିଯୋଗିତା । କିଏ ଅଧିକ ସୁନ୍ଦର ପେଣ୍ଡାଲ କରି ଦର୍ଶକ ଆକୃଷ୍ଟ କରିପାରିବ ତାକୁ ନେଇ କମିଟି ମଧ୍ୟରେ ପ୍ରତିଯୋଗିତା । କୋଲକାତାରେ ୧୦କୋଟି ଟଙ୍କା ବ୍ୟୟରେ ମାହିଷ୍ମତି ସାମ୍ରାଜ୍ୟର ଝଲକ ଦେଖିବାକୁ ମିଳିଥିବାବେଳେ ଥାଇଲ୍ୟାଣ୍ଡର ଶ୍ୱେତ ମନ୍ଦିର ବି ଦେଖିବାକୁ ମିଳିଛି । ସେହିପରି ଜଗତ ମୁଖାର୍ଜି ପାର୍କ ଶୋଭାବଜାର ଅଂଚଳରେ ସବମରିନ ଭିତରେ ପୂଜାପାଉଛନ୍ତି ଜଗତଜନନୀ । କିଛି ଭିନ୍ନ କରିବାକୁ ଯାଇ ଏଠାରେ କମିଟି ପକ୍ଷରୁ ନିର୍ମିତ ଏହି ପେଣ୍ଡାଲରେ ସବମରିନର ଝଲକ ଦେଖିବାକୁ ମିଳିଛି । ଏପରିକି ଏଠାରେ ପାଣିରେ ବିିଭିନ୍ନ ସମୁଦ୍ରର ଜୀବ ମଧ୍ୟରଖାଯାଇଛି । ଏହି ପୂଜା ପଣ୍ଡାଲରେ ବୁଲି ଆସିଲେ ସତରେ ସମୁଦ୍ର ଭିତରୁ ବୁଲି ଆସିଲା ଭଳି ଆପଣ ଅନୁଭବ କରିବେ ।

ଆଜି ମହା ସପ୍ତମୀ । ମା’ ଦୁର୍ଗାଙ୍କ ଆଗମନରେ ଉତ୍ସବମୁଖର ହୋଇଉଠିଛି ଗାଁଠୁ ସହର । ସୁଦୃଶ୍ୟ ତୋରଣ ଓ ସାଜସଜା ଠାରୁ ଆରମ୍ଭ କରି ସୁନା, ରୁପା ଖଚିତ ମେଢରେ ଝଲସୁଛି ପୂଜା ପେଣ୍ଡାଲ । କଟକ, ଭୁବନେଶ୍ୱର ସମେତ ଓଡ଼ିଶାର ପୁର ପଲ୍ଲୀରେ ଖୁବ ଧୁମଧାମରେ ଚାଲିଛି ଦେବୀ ଦୁର୍ଗାଙ୍କ ପୂଜାର୍ଚ୍ଚନା ।