ଆସିଲା ଟିକେଟ୍, ବଢିଲା ଅସନ୍ତୋଷ : ରାଜ୍ୟ ବିଜେପି କାର୍ଯ୍ୟାଳୟରେ ତାଲା

422

କନକ ବ୍ୟୁରୋ : ଭୁବନେଶ୍ୱର ବିଜେପିରେ ତେଜିଲା କନ୍ଦଳ । ଟିକେଟ ବଂଟନକୁ କେନ୍ଦ୍ର କରି ଆଶାୟୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ବିଜେପିର ଅସନ୍ତୁଷ୍ଟ କର୍ମୀଙ୍କ ପ୍ରତିବାଦ ଗତକାଲି ଠାରୁୁ ଆରମ୍ଭ ହୋଇଥିବା ବେଳେ ଆଜି ମଧ୍ୟ ଧାରଣାରେ ବସିଛନ୍ତି ବିଜେପି କର୍ମୀ । ବିଜେପି କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ବନ୍ଦ କରିଦେଇଛନ୍ତି । ଭୁବନେଶ୍ୱର ଏକାମ୍ର ଟିକେଟର ପୁର୍ନବିଚାର କରିବା ପାଇଁ କର୍ମୀ ଦାବି କରିଛନ୍ତି । ବାବୁ ସିଂଙ୍କୁ ଟିକେଟ ଦିଆଯିବାକୁ ନେଇ ଅସନ୍ତୁଷ୍ଟ ବିଜେପି କର୍ମୀ ଗତକାଲି ଏହାର ପ୍ରତିବାଦ କରି ଭଙ୍ଗାରୁଜା କରିବା ପରେ ଧାରଣାରେ ବସିଛନ୍ତି ।

ଭୁବନେଶ୍ୱର ଏକାମ୍ର ପାଇଁ ବାବୁ ସିଂହଙ୍କୁ ଟିକେଟ ଦେବା ପରେ ଆଶାୟୀ ଅମୀୟ ଦାଶଙ୍କ ସମର୍ଥକଙ୍କ ଏହାକୁ ବିରୋଧ କରିଛନ୍ତି । ବିଜେପି ୯୯ଟି ଆସନ ପାଇଁ ବିଜେପିରେ ଟିକେଟ ଘୋଷଣା ହେବା ପରେ ଆଶାୟୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଖାସ୍ କରି ଦଳରେ ନିକଟରେ ସାମିଲ ହୋଇଥିବା ନେତାଙ୍କୁ ଟିକେଟ ଦେବା ପରେ କନ୍ଦଳ ଉଗ୍ରରୂପ ନେଇଥିଲା । ପୁରୁଖା ବିଜେପି ନେତା ଅମୀୟ ଦାଶ ଟିକେଟ ରେସରୁ ବାଦ ପଡିବା ପରେ ତାଙ୍କ ସମର୍ଥକ ଅସନ୍ତୋଷ ପ୍ରକାଶ କରିଛନ୍ତି ।

୨୦୧୯ ନିର୍ବାଚନ ମହାସମର ପାଇଁ ଗତକାଲି ବିଜେପି ଘୋଷଣା କରିଛି ପ୍ରଥମ ପର‌୍ୟ୍ୟାୟ ପ୍ରାର୍ଥୀ ତାଲିକା । ମୋଟ ୧୮୨ ଜଣ ପ୍ରାର୍ଥୀଙ୍କ ତାଲିକା ବିଜେପି ଘୋଷଣା କରିଥିବା ବେଳେ ଓଡିଶାର ୧୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ । ସୁନ୍ଦରଗଡରୁ ଜୁଏଲ ଓରାମ, କେନ୍ଦୁଝରରୁ ଅନନ୍ତ ନାୟକ, ବାଲେଶ୍ୱରରୁ ପ୍ରତାପ ଷଡଙ୍ଗୀ, ଢେଙ୍କାନାଳରୁ ରୁଦ୍ର ନାରାୟଣ ପାଣି, ବଲାଙ୍ଗୀରରୁ ସଙ୍ଗୀତା କୁମାରୀ ସିଂହଦେଓ, ନବରଙ୍ଗପୁରରୁ ବଳଭଦ୍ର ମାଝୀ, କେନ୍ଦ୍ରାପଡାରୁ ବୈଜୟନ୍ତ ପଣ୍ଡା, ଭୁବନେଶ୍ୱରରୁ ଅପରାଜିତା ଷଡଙ୍ଗୀ, ଆସ୍କାରୁ ଅନୀତା ପ୍ରିୟଦର୍ଶିନୀ, ବ୍ରହ୍ମପୁରରୁ ଭୁଗୃ ବକ୍ସିପାତ୍ରଙ୍କୁ ପ୍ରାର୍ଥୀ କରିଛି ଦଳ । ୧୦ଟି ଆସନ ମଧ୍ୟରୁ ୫ଟି ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ଦଳ । ନୂଆ କରି ଦଳରେ ଯୋଗ ଦେଇଥିବା ନେତାଙ୍କୁ ଦଳ ଆପଣାଇ ନିର୍ବାଚନ ମୈଦାନକୁ ଓହ୍ଲାଇଛି ଦଳ ।