ସ୍ମାର୍ଟ ହେଉଛି ଭୁବନେଶ୍ୱର । ସ୍ମାର୍ଟ ଅପରେସନ ସେଂଟରର ଉଦଘାଟନ କଲେ ନବୀନ ପଟ୍ଟନାୟକ, ଏଣିକି ଗୋଟିଏ ରୁମରେ ବସି ଗଳି କନ୍ଦି ଉପରେ ରଖିହେବ ନଜର

26

କନକ ବ୍ୟୁରୋ : ଆହୁରି ସ୍ମାର୍ଟ ହେବ ରାଜଧାନୀ । ଭୁବନେଶ୍ୱରରେ ପରିଚାଳିତ ହେଉଥିବା ଜରୁରୀ ସେବା ଗୁଡ଼ିକର ସୁପରିଚାଳନା ପାଇଁ ଆରମ୍ଭ ହୋଇଛି ସ୍ମାର୍ଟ ଅପରେସନ୍ ସେଂଟର । ଏହି ବ୍ୟବସ୍ଥା ଫଳରେ ଗୋଟିଏ ରୁମରେ ବସି ଜନତାଙ୍କ ପାଇଁ ଉପଲବ୍ଧ ହେଉଥିବା ସୁବିଧା-ସୁଯୋଗର ଅନୁଧ୍ୟାନ କରି ହେବ । ଏବଂ ଆବଶ୍ୟକ ସ୍ଥଳରେ ସୁଧାର ପାଇଁ ଅତି ସହଜରେ ପଦକ୍ଷେପ ନିଆଯାଇପାରିବ ।

ସ୍ମାର୍ଟ ହେଉଛି ଭୁବନେଶ୍ୱର । ଏହି ଲକ୍ଷ୍ୟରେ ଆଉ ପାଦେ ଆଗେଇଛି ଭୁବନେଶ୍ୱର । ସହିଦନଗର ଭବାନୀ ମଲରେ ନିର୍ମାଣ ହୋଇଥିବା ଭୁବନେଶ୍ୱର ଅପରେସନ୍ ସେଂଟର ତଥା ଏକକ କଂଟ୍ରୋଲ ରୁମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂରା ସହରକୁ ଏହି କେନ୍ଦ୍ରରୁ ନିୟନ୍ତ୍ରଣ କରାଯିବ । ରାଜଧାନୀର ଗଳି ଗଳି ଉପରେ ନଜର ରଖାଯିବ । ଏହି କେନ୍ଦ୍ର ଜରିଆରେ ଉପଲବ୍ଧ ହେଉଥିବା ସମସ୍ତ ସେବାର ପରିଚାଳନା, ତଦାରଖ ଓ ନିୟନ୍ତ୍ରଣ କରାଯିବ ।

ଟ୍ରାଫିକ ସିଗନାଲ ନିୟନ୍ତ୍ରଣ ବ୍ୟବସ୍ଥା, ବସସେବା ଓ ମହାନଗର ନିଗମର ଗାଡିଗୁଡିକର ଟ୍ରାକିଙ୍ଗ ସମେତ ଅଭିଯୋଗ ସମାଧାନ ବ୍ୟବସ୍ଥା କାର୍ଯ୍ୟକ୍ଷମ କରାଯାଇଛି । ସଂପୂର୍ଣ୍ଣ ଭାବେ ଏହି ସେଂଟର କାର୍ଯ୍ୟକାରୀ ହେଲେ ସହରର ଟ୍ରାଫିକ ପରିଚାଳନା, ଜରୁରୀକାଳୀନ ସେବା, ବିପର୍ଯ୍ୟୟ ପରିଚାଳନା ଆଦି ଏହିଠାରୁ ନିୟନ୍ତ୍ରଣ କରାଯିବ । ଅପରେସନ୍ ସେଂଟରରୁ ସହରରେ ପାର୍କିଙ୍ଗ, ପରିବହନ, କମନ ପେମେଂଟ କାର୍ଡ ସମେତ ଅନ୍ୟାନ୍ୟ ଡିଜିଟାଲ ବ୍ୟବସ୍ଥା ପରିଚାଳନା କରାଯିବ ।

ଏହି ଅଭିନିବ କେନ୍ଦ୍ରରେ ୮୦ ଫୁଟ ଚଉଡାର ଏକ ବିଶାଳ ଭିଡିଓ ସ୍କ୍ରିନ ରହିଛି । ବହୁ ସଂଖ୍ୟକ ସିସିଟିଭି, ଅତ୍ୟାଧୁନିକ ସେନ୍ସର ଜରିଆରେ ପୂରା ରାଜଧାନୀକୁ ନଜରରେ ରଖାଯାଇଛି । ଭୁବନେଶ୍ୱର ଅପରେସନ ସେଂଟର ସହ ଏଜି ଛକରେ ସହରବ୍ୟାପୀ ସୌରଚାଳିତ ଟ୍ରାଫିକ ସିଗନାଲ ନିୟନ୍ତ୍ରଣ ବ୍ୟବସ୍ଥାର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଟ୍ରାଫିକ ଛକଗୁଡିକରେ ସିଗନାଲ ବ୍ୟବସ୍ଥା ସହ ପେଲିକାନ୍ ସିଗନାଲ ଓ ବ୍ଲିଙ୍କର ବ୍ୟବସ୍ଥା ସାରା ସହରରେ ପରିଚାଳିତ ହେବ । ଏହାଛଡ଼ା ସହିଦନଗରରେ ସ୍ମାର୍ଟ ସିଟି ସମୂହକୁ ମଧ୍ୟ ଉଦ୍ଖାଟନ କରିଛନ୍ତି ନବୀନ ପଟ୍ଟନାୟକ ।