ସ୍ମାର୍ଟ ସିଟିରେ ସ୍ମାର୍ଟ ବ୍ୟବସ୍ଥା : ଗୋଟିଏ କ୍ଲିକରେ ଭୁବନେଶ୍ୱର

19

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସ୍ମାର୍ଟ ସିଟି ମିଶନର ପ୍ରଥମ ପାହାଚ ଚଢିଛି ରାଜଧାନୀ ଭୁବନେଶ୍ୱର । ବହୁ ପ୍ରତୀକ୍ଷାର ଅନ୍ତ ପରେ ଲୋକାର୍ପିତ ହୋଇଛି ଭୁବନେଶ୍ୱର ୱାନ ପୋର୍ଟାଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପିତ କରିଛନ୍ତି । ଅନଲାଇନ ସେବା ଯୋଗାଇବାରେ ସାରା ଭାରତରେ ଭୁବନେଶ୍ୱର ପ୍ରଥମ ବୋଲି ସରକାର ଦାବି କରିଛନ୍ତି । ଭୁବନେଶ୍ୱର ୱାନ ଏକ ଅତ୍ୟାଧୁନିକ ଡିଆଇଏସ୍ ମ୍ୟାପ୍ ପୋର୍ଟାଲ । ଏହା ଜରିଆରେ ସାଧାରଣ ଲୋକେ ଭୁବନେଶ୍ୱରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନର ଅବସ୍ଥିତି ଓ ସାର୍ବଜନୀନ ସେବା ବାବଦରେ ତଥ୍ୟ ପାଇପାରିବେ । ୨୪ ଘଂଟା ଏହି ୱେବସାଇଟକୁ ଅପଡେଟ୍ ମଧ୍ୟ କରାଯିବ ।

ପ୍ରାଥମିକ ପର୍ଯ୍ୟାୟରେ ଏହି ପୋର୍ଟାଲ ସହ କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରଣାଳୟ, ସ୍ମାର୍ଟ ସିଟି ମିଶନ, ରାଜ୍ୟ ନଗର ଉନ୍ନୟନ ବିଭାଗ, ସ୍ମାର୍ଟ ସିଟି ଲିମଟେଡ୍ , ବିଏମସି , ବିଡିଏ ଯୋଡି ହୋଇଛନ୍ତି । ଏହି ପୋର୍ଟାଲ ଏକ ଗାଇଡ ଭଳି କାମ କରିବ । ଭୁବନେଶ୍ୱରର ବସ୍ ଷ୍ଟପ୍ , ରେଳ ଷ୍ଟେସନ, ମନ୍ଦିର, ପର୍ଯ୍ୟଟନସ୍ଥଳ, ହୋଟେଲ, ରେଷ୍ଟୁରାଂଟ, ସବୁର ଠିକଣା ରହିଛି ଏହି ଅନଲାଇନ ମ୍ୟାପରେ । ଭୁବନେଶ୍ୱର ବାସୀଙ୍କ ସମେତ ବିଶେଷ କରି ପର୍ଯ୍ୟଟକ ମାନେ ଏହାଦ୍ୱାରା ଉପକୃତ ହୋଇପାରିବେ।

ଆହୁରି ମଧ୍ୟ ଭୁବନେଶ୍ୱରର ୱାର୍ଡୱାରି ତଥ୍ୟ ବି ଏହାଦ୍ୱାରା ଜାଣି ହେବ । ସିଧାସଳଖ ଅନଲାଇନ୍ ଅଭିଯୋଗ ମଧ୍ୟ ଏହାଦ୍ୱାରା କରିହେବ । ଲୋକଙ୍କ ମନୋରଂଜନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ସୂଚନା ମଧ୍ୟ ମିଳିପାରିବ । ଆଜି ସହରରେ କେଉଁଠି କି କାର୍ଯ୍ୟକ୍ରମ ହେବ ସବୁର ତାଲିକା ମଧ୍ୟ ରହିଛି ।
ସରକାରଙ୍କ ସବୁ ନୂଆ ଘୋଷଣା ଓ ଯୋଜନା ବାବଦରେ ପୋର୍ଟାଲ ମାଧ୍ୟମରେ ସାଧାରଣ ଲୋକେ ଅବଗତ ହୋଇପାରିବେ। ଏଥିପାଇଁ ବିଜ୍ଞପ୍ତି ମଧ୍ୟ ଏଥିରେ ପ୍ରକାଶ କରାଯିବ। ନ୍ୟୁଜ୍ ସହ ଦେଖିବା ଏହି ଭିଡିଓ :