ରାଜଧାନୀ ରାଜରାସ୍ତାରେ ମୃତ୍ୟୁର ଗାତ ! ମ୍ୟାନ ହୋଲ ନେଲା ବୃଦ୍ଧଙ୍କ ଜୀବନ

61

କନକ ବ୍ୟୁରୋ : ମୁକୁଳା ଡ୍ରେନରେ ପଡି ଚାଲିଗଲା ଜୀବନ । ଭୁବନେଶ୍ୱରର ପଣ୍ଡା ପାର୍କ ବସ୍ତି ନିକଟରେ ଯାଇଥିବା ପିଡବ୍ଲୁଡି ବିଭାଗର ୨ଶହ ଫୁଟିଆ ମାଷ୍ଟର ପ୍ଲାନ ରାସ୍ତା ସଂଲଗ୍ନ ମୁକୁଳା ଡ୍ରେନରେ ପଡି ପ୍ରାଣ ହରାଇଛନ୍ତି ଜଣେ ବୃଦ୍ଧ । ମୃତକ ଜଣକ ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବିଏଲଏନପୁରର ନନ୍ଦିଆ ନାୟକ ବୋଲି ଜଣାପଡିଛି । ସେ ତାଙ୍କ ବଡଭାଇଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବାକୁ ଆସିଥିବାବେଳେ ନିଜେ ଏପରି ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଛନ୍ତି ।

ଭୋର ପ୍ରାୟ ସାଢେ ତିନିଟା ବେଳେ ସେ ପରିଶ୍ରା ପାଇଁ ବାହାରକୁ ଆସିଥିବାବେଳେ ଘର ସମ୍ମୁଖ ମୁକୁଳା ଡ୍ରେନରେ ଖସିପଡି ବେହୋସ ହୋଇଯାଇଥିଲେ । ଫଳରେ ସେ ସାହାଯ୍ୟ ପାଇଁ ମଧ୍ୟ କାହାକୁ ଡାକିପାରିନଥିଲେ । ସକାଳ ୫ଟା ବେଳେ ଘରଲୋକ ଦେଖି ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି ।

ତେବେ ଏହା ପ୍ରଥମ କଥା ନୁହେଁ । ରାଜଧାନୀରେ ମ୍ୟାନ ହୋଲ ଯୋଗୁଁ ଲୋକେ ବାରମ୍ବାର ଏପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିଛି ଦିନ ପୂର୍ବରୁ ମଧ୍ୟ ଭୁବନେଶ୍ୱରରେ ମ୍ୟାନହୋଲରେ ପଡି ବୃଦ୍ଧା ଗୁରୁତର ଭାବେ ଆହତ ହୋଇଥିଲେ । ପରେ  ଚିକିତ୍ସା ପାଇଁ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ୨୫ ଅଗଷ୍ଟ ପ୍ରାୟ ସମୟ ରାତି ୮ଟାରେ ଜଣେ ୭୦ ବୟସର ବୃଦ୍ଧା ଦୁଃଖୀ ସେଠୀ ରାସ୍ତାରେ ଯାଉଥିବା ସମୟରେ ମ୍ୟାନହୋଲରେ ପଡିଯାଇଥିଲେ । ଦୀର୍ଘ ସମୟଧରି ହୋଲ ଭିତରେ ଛଟପଟ ହୋଇଥିଲେ ବୃଦ୍ଧା । କିନ୍ତୁ ବୃଦ୍ଧା ଦୁଃଖୀ ସେଠୀଙ୍କର କେହି ଖୋଜ ଖବର ପାଇନଥିଲେ । ପରେ ସକାଳୁ ଖବର ପାଇ ଅଗ୍ନିଶମ କର୍ମଚାରୀ ପହଂଚି ଉଦ୍ଧାର କରିଥିଲେ । ଦୀର୍ଘ ୧୨ ଘଂଟା ପରେ ଅତି ସାବଧାନତାର ସହ ଉଦ୍ଧାର ହୋଇଥିଲେ ବୃଦ୍ଧା ଜଣକ ।

ସ୍ମାର୍ଟ ସିଟିର ମାନ୍ୟତା ପାଇଥିବା ସ୍ମାର୍ଟ ହୋଇପାରିନି ଭୁବନେଶ୍ୱର । ଲୋକେ ବିଭିନ୍ନ ସମୟରେ ଅଭିଯୋଗ କରୁଥିଲେ ହେଁ ଅବସ୍ଥା ସୁଧୁରି ପାରୁନି । ବାରାମ୍ବାର ଏପରି ଘଟଣା ଘଟୁଛି କିନ୍ତୁ ସ୍ୱରେଜ ବିଭାଗ ପକ୍ଷରୁ କୈାଣସି ଦୃଷ୍ଟି ଦିଆଯାଉନି ।