ରାଜଧାନୀରେ ରାହା ଖୋଜୁଛନ୍ତି ନେତା । ଉତ୍ତର ଭୁବନେଶ୍ୱର ପାଇଁ ବିଜେଡିରେ ପ୍ରାର୍ଥୀ ମାଳମାଳ, ବିଜେପି ଦେଇପାରେ କଡ଼ା ମୁକାବିଲା, କଂଗ୍ରେସ ସ୍ଥିତି ଦୁର୍ବଳ ।

254

କନକ ବ୍ୟୁରା: ନିର୍ବାଚନ ତାରିଖ ଘୋଷଣା ପରେ ଜୋର ଧରିଛି ରାଜନୀତି । ଆଉ ଟିକେଟ୍ ପାଇଁ କସରତ୍ ମଧ୍ୟ ଜୋରଦାର ହୋଇଛି । କିନ୍ତୁ ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ଦଳର କର୍ମୀମାନେ ସେମାନଙ୍କ ନେତା କିଏ ତାକୁ ନେଇ ଦ୍ୱନ୍ଦରେ ପଡ଼ିଛନ୍ତି । ଏହି ନିର୍ବାଚନମଣ୍ଡଳୀ ଗଠନ ହେବା ପରେ ଦୁଇ ଥର ନିର୍ବାଚନର ସାମ୍ନା କରିଛି । ଦୁଇ ଥର ଯାକ ବିଜେଡି ଜିତାପଟ ମାରିଥିଲେ ମଧ୍ୟ ତିନି ଦଳର ପ୍ରାର୍ଥୀ ଦୁଇଟି ନିର୍ବାଚନରେ ବଦଳିଛନ୍ତି । ତେଣୁ ତୃତୀୟ ଥର ପ୍ରାର୍ଥୀ ସମାନ ରହିବେ ନା ଶାସକ ବିଜେଡି ପରିବର୍ତ୍ତନ କରିବ? ଦଳୀୟ ସୁପ୍ରିମୋଙ୍କ ଚୟନ କିପରି ହେଉଛି ତାହା ଉପରେ ଏବେ ସମସ୍ତଙ୍କ ନଜର ।

ସେପଟେ ୨୦୦୯ ନିର୍ବାଚନରେ ଏଠାରେ ବିଜେଡି ପ୍ରାର୍ଥୀ ଭାଗୀରଥି ବଡ଼ଜେନା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଗୋଲକ ମହାପାତ୍ରଙ୍କୁ ପରାସ୍ତ କରିଥିଲେ। ସେହିଭଳି ଏହି ନିର୍ବାଚନରେ କଂଗ୍ରେସ ତରଫରୁ ପ୍ରାର୍ଥୀ ହୋଇଥିଲେ କିଶୋର ଜେନା । ତେବେ ୨୦୧୪ରେ ତିନି ଦଳ ପ୍ରାର୍ଥୀ ପରିବର୍ତ୍ତନ କରିଥିଲେ । ବିଜେଡି ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଦିଲ୍ଲୀପ ମହାନ୍ତିଙ୍କୁ ୪୮ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଥିଲେ । ତୃତୀୟ ସ୍ଥାନରେ ରହିଲେ କଂଗ୍ରେସ ପ୍ରାର୍ଥୀ ମନୋରଞ୍ଜନ ଦାଶ ।

୨୦୧୯ ପାଇଁ ବିଜେଡିରୁ ପ୍ରିୟଦର୍ଶୀ ମିଶ୍ର ପୁଣି ପ୍ରାର୍ଥୀ ହେବାକୁ ବଡ଼ ଦାବିଦାର ଅଛନ୍ତି । କିନ୍ତୁ ବିଜେଡିରେ ଆଉ କିଛି ଆଶାୟୀ ତାଙ୍କ ବାଟକୁ ସହଜ କରି ନାହାନ୍ତି । ଗତ କିଛି ମାସ ହେଲା ଭୁବନେଶ୍ବର ଉତ୍ତରର କିଛି କର୍ପୋରେଟରଙ୍କ ସହ ପ୍ରିୟଦର୍ଶୀଙ୍କ ବିବାଦ କାହାରିକୁ ଅଛପା ରହି ନାହିଁ । ବିଧାୟକଙ୍କୁ ଚ୍ୟାଲେଞ୍ଜ୍ ଦେଇ ଏହି କର୍ପୋରେଟରମାନେ ସମାନ୍ତରାଳ ସଂଗଠନ କରିବା ସହ ବିଧାୟକଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ଏକ ପ୍ରକାର ବର୍ଜନ କରିଥିଲେ । କିନ୍ତୁ ପ୍ରିୟଦର୍ଶୀ ନିଜର ସମର୍ଥକ କର୍ପୋରେଟର୍, ଦଳର କର୍ମୀ ଓ ବିଭିନ୍ନ ନାଗରିକ ସଂଗଠନକୁ ନେଇ ସେ ନିଜର ପତିଆରା ଜାହିର କରିବାକୁ ଉଦ୍ୟମ କରିଥିଲେ। ତାଙ୍କ ସମୟରେ ହୋଇଥିବା ପଞ୍ଚାୟତ ନିର୍ବାଚନ ଓ ବିଏମସିର ଗୋଟିଏ ୱାର୍ଡର ଉପନିର୍ବାଚନରେ ବିଜେଡି ସଫଳତା ପାଇଥିବାରୁ ଏହାର ଶ୍ରେୟ ବିଧାୟକଙ୍କର ବୋଲି ତାଙ୍କ ସମର୍ଥକମାନେ ଦାବି କରୁଛନ୍ତି । ତେଣୁ ପ୍ରିୟଦର୍ଶୀ ଟିକେଟ୍ ପାଇବେ ବୋଲି ସମର୍ଥକମାନେ ଆଶାବାଦୀ।

ସେହିଭଳି ଏଠାରେ ବିଜେଡିର ଆଉ ଦୁଇ ଜଣ ପ୍ରମୁଖ ଦାବିଦାବର ହୋଇଛନ୍ତି ସୁବାସ ପାତ୍ର ଓ ଚିନ୍ମୟ ସାହୁ । ଶ୍ରୀ ପାତ୍ର ବିଭିନ୍ନ ସ୍ଥାନରେ ସଭାସମିତି ଆୟୋଜନ କରି ନିଜର ସାଂଗଠନିକ ଦକ୍ଷତା ଦେଖାଇବାକୁ ଉଦ୍ୟମ ଜାରି ରଖିଛନ୍ତି । ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ମଧ୍ୟ ଏହି ଆସନ ଉପରେ ଆଖି ରଖିଛନ୍ତି । ତାଙ୍କୁ ବିଡିଏ ଅଧ୍ୟକ୍ଷ କରାଯାଇଥିବା ସତ୍ୱେ ରାଜ୍ୟ ବିଜେଡିର ସାଧାରଣ ସମ୍ପାଦକ ସହ ଭୁବନେଶ୍ୱର ସାଗଠନିକ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛନ୍ତି ସୁପ୍ରିମୋ । ତେଣୁ ଏହି ନିର୍ବାଚନମଣ୍ଡଳୀରେ ତାଙ୍କୁ ପ୍ରାର୍ଥୀ କରାଇବା ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ଗତ ଦୁଇଟି ନିର୍ବାଚନରେ ବିଜେଡିର ପ୍ରମୁଖ ପ୍ରତିଦ୍ୱନ୍ଦୀ ରହିଥିବା ବିଜେପି ମଧ୍ୟ ଏଥର ଏହି ଆସନକୁ କବଜା କରିବାକୁ ବଳ କଷୁଛି । ତେଣୁ ବିଜେପିର ଗତ ଥରର ପ୍ରାର୍ଥୀ ଦିଲ୍ଲୀପ ମହାନ୍ତି ଏଥର ପୁନର୍ବାର ପ୍ରାର୍ଥୀ ହେବାର ଅଧିକ ସମ୍ଭାବନା ରହିଛି । ବିଜେପିର ବିଭିନ୍ନ କାର୍ଯ୍ୟକ୍ରମରେ ଦିଲ୍ଲୀପଙ୍କୁ ଗୁରୁତ୍ୱ ଦିଆଯାଉଥିବା ଦେଖିବାକୁ ମିଳୁଛି । ୨୦୦୯ ନିର୍ବାଚନର ପ୍ରାର୍ଥୀ ଗୋଲକ ମହାପାତ୍ର ବିଜେପି ରାଜନୀତିରେ ବେଶ୍ ସକ୍ରିୟ ଥିଲେ ବି ଏଥର ଏଠାରେ ପ୍ରାର୍ଥୀ ହେବାକୁ ସେ ଆଗ୍ରହୀ ନାହାନ୍ତି ବୋଲି ଗେରୁଆ କ୍ୟାମ୍ପରେ ଶୁଣିବାକୁ ମିଳୁଛି । ତେଣୁ ଦିଲ୍ଲୀପଙ୍କ ରାସ୍ତା ପୁରା ସଫା ବୋଲି କୁହାଯାଉଛି। ବିଜେପିର ଆଉ ଦୁଇ ଜଣ ନେତା ଯିଜ୍ଞାଂଶୁ ପଣ୍ଡା ଓ ପ୍ରକାଶ ଶ୍ରୀଚନ୍ଦନ ମଧ୍ୟ ପ୍ରାର୍ଥୀ ହେବା ଦୌଡ଼ରେ ଅଛନ୍ତି।

ଅପରପକ୍ଷେ ରାଜନୀତିର ହାର୍ଟ ଉପରୁ ବିଜୟ ଧାରା ଆରମ୍ଭ କରିବାକୁ କଂଗ୍ରେସ ସଂଘର୍ଷ କରୁଥିବା ଦେଖିବାକୁ ମିଳୁଛି । ନିର୍ବାଚନମଣ୍ଡଳୀରେ କଂଗ୍ରେସ ସାଂଗଠନିକ ସ୍ତରରେ ବେଶ୍ ଦୁର୍ବଳ ରହିଛି । ଏଠାରେ ସାଂଗଠନିକ ସ୍ଥିତି ଦୃଢ଼ କରିବାକୁ ସେପରି କିଛି ଠୋସ୍ ପଦକ୍ଷେପ ବି ନିଆଯାଇ ନାହିଁ। ଗତ ଦୁଇଟି ନିର୍ବାଚନରେ ପ୍ରାର୍ଥୀ ହୋଇଥିବା କିଶୋର ଜେନା ଓ ମନୋରଞ୍ଜନ ଦାଶଙ୍କ ନାମ ଏଥର ମଧ୍ୟ ଚର୍ଚ୍ଚାରେ ରହିଛି। ଏହା ବାଦ୍ ଅଶୋକ ଦାଶ ଓ ଇତିଶ ପ୍ରଧାନ ମଧ୍ୟ କଂଗ୍ରେସ ଟିକେଟ୍ ପାଇଁ ପ୍ରମୁଖ ଦାବିଦାର ଅଛନ୍ତି । କିନ୍ତୁ ଏମାନଙ୍କ ମଧ୍ୟରୁ ବିଜେଡି ଓ ବିଜେପିକୁ ଟକ୍କର ଦେବାଭଳି ସାମର୍ଥ୍ୟ କାହା ପାଖରେ ରହିଛି ବୋଲି ପ୍ରଶ୍ନବାଚୀ ଉଠିଛି ।