ପ୍ଲାଷ୍ଟିକ୍ ମୁକ୍ତ ହେବ ଭୁବନେଶ୍ୱର ! ସ୍ମାର୍ଟ ସିଟିକୁ ପ୍ଲାଷ୍ଟିକ୍ ଓ ପଲିଥିନ୍ ମୁକ୍ତ କରିବା ପାଇଁ ବିଏମସିର ତତ୍ପରତା ।

145

କନକ ବ୍ୟୁରୋ: ଓଡ଼ିଶାକୁ ପ୍ଲାଷ୍ଟିକ୍ ଓ ପଲିଥିନ୍ ମୁକ୍ତ କରିବା ପାଇଁ ସାରା ରାଜ୍ୟରେ ଚାଲିଛି ଭିନ୍ନ ଭିନ୍ନ ପ୍ରୟାସ । ତେବେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରଥମ ପର୍ଯ୍ୟାୟରେ ପୁରୀ ଓ ୫ ମୁନ୍ୟସିପାଲଟି ଅଂଚଳରେ ପଲିଥିନ ବ୍ୟାନ ହେବ ।  ଅକ୍ଟୋବର ୨ରୁ ଏହା କଡାକଡି ପାଳନ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ସଠିକ୍ ରୁପେ ପାଳନ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି । ବିଏମସି ପକ୍ଷରୁ ପଲିଥିନ୍ ଓ ପ୍ଲାଷ୍ଟିକକୁ ବ୍ୟବହାର ନ କରିବା ପାଇଁ ପ୍ରଚାର ପ୍ରସାର କରାଯାଉଛି । ୨୦୧୯ ସ୍ୱଚ୍ଛ ସର୍ଭେକ୍ଷଣକୁ ଦୃଷ୍ଟିରେ ରଖି ପ୍ଳାଷ୍ଟିକ୍ ଓ ପଲିଥିନ୍ ମୁକ୍ତ କରିବା ପାଇଁ ଅଣ୍ଟା ଭିଡ଼ିଛି ବିଏମସି । ସେଥିପାଇଁ ବିଭିନ୍ନ ଏଫଏମ୍ ଓ ଫିଲ୍ମ ହଲରେ ପଲିଥିନ୍ ମୁକ୍ତ କରିବା ପାଇଁ ପ୍ରଚାର ପ୍ରସାର କରାଯାଉଛି ।

ଗତ ଗାନ୍ଧୀ ଜୟନ୍ତୀ ଠାରୁ ଓଡ଼ିଶାକୁ ପ୍ଲାଷ୍ଟିକ୍ ଓ ପଲିଥିନ୍ ମୁକ୍ତ କରିବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ନିୟମ ଲାଗୁ କରିଥିଲେ । ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ କୌଣସି ବ୍ୟବସାୟୀ ପଲିଥିନ୍ ବ୍ୟବହାର କରି ପାରିବେ ନାହିଁ । ପରିବହନ କ୍ଷେତ୍ରରେ ମଧ୍ୟ ବ୍ୟବହାର କରାଯାଇ ପାରିବ ନାହିଁ । ଏହାସହିତ ୨୦୦ ମିଲିଲିଟରର ପାଣିବୋତଲ, ଥର୍ମୋକୁଲ ଥାଳି, ଗିନା, ଚାମଚ ଏବଂ ପ୍ଲାଷ୍ଟିକ୍ କଣ୍ଟେନର ଆଦି ବ୍ୟବହାର କରାଯିବ ନାହିଁ । କାରଣ ଏହାଦ୍ୱାରା ପରିବେଶ ସନ୍ତୁଳନ ଠିକ୍ ରହିବ ଓ ମଣିଷର ସ୍ୱାସ୍ଥ୍ୟ ମଧ୍ୟ ଠିକ୍ ରହିବ ବୋଲି ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେହିପରି ଯଦି କୌଣସି ବ୍ୟବସାୟୀ ଏହି ନିୟମକୁ ଉଲ୍ଲଘଂନ କରନ୍ତି ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଜ୍ଞପ୍ତିରେ ଜାରି କରାଯାଇଥିଲା । ଯଦି କୌଣସି ବ୍ୟବସାୟୀ ଏହି ନିୟମ ଉଂଲଘନ କରେ ତେବେ ତାଙ୍କୁ ୫ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କା ଜରିମନା ଦେବାକୁ ପଡିବ । କିନ୍ତୁ ୫୦୦ ମଲିଲିଟରୁ ଅଧିକ ପ୍ଲାଷ୍ଟିକ୍ ବୋତଲ, ରକ୍ତ ଥଳି, ସିରିଞ୍ଜ ପାକେଜିଂ, ମେଡିସିନ, ୫୦ ମାଇକ୍ରେନରୁ ଅଧିକ ମୋଟେଇ ପଲିଥିନ୍, ଉଦ୍ୟାନ କ୍ଷେତ୍ରରେ ବ୍ୟବହୃତ ହେଉଥିବା ପଲିଥିନ୍ ଆଦିରେ କୌଣସି କଟକଣା ରହିବ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି ହୋଇଥିଲା ।