ଚିହ୍ନଟ ହେଲେ ମାର୍କେଟ ବିଲ୍ଡିଂରେ ଆତଙ୍କ ରଚିଥିବା ମୁଖାପିନ୍ଧା ଦୁର୍ବୃତ୍ତ । ୨ ଜଣଙ୍କୁ ଗିରଫ କଲା ପୋଲିସ । ସିପି କହିଲେ ଖୁବଶୀଘ୍ର ଅନ୍ୟମାନେ ହେବେ ଗିରଫ

3,933

କନକ ବ୍ୟୁରୋ: ଚିହ୍ନଟ ହେଲେ ମାର୍କେଟ ବିଲ୍ଡିଂରେ ଆତଙ୍କ ରଚିଥିବା ମୁଖାପିନ୍ଧା ଦୁର୍ବୃତ୍ତ । ୧୦ ମିନିଟରେ ମାର୍କେଟ ବିଲ୍ଡିଂ ମଝିରେ କୋକୁଆ ଭୟ ଖେଳାଇ ଦେଇଥିବା ଦୁର୍ବୃତ୍ତଙ୍କୁ ଚିହ୍ନ କରିଛି ପୋଲିସ । ତେବେ ଦଳବଳ ହୋଇ ଆକ୍ରମଣ କରିଥିବା ସମସ୍ତ ଦୁର୍ବୃତ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୨ ଜଣଙ୍କୁ ଗିରଫ କରାଯାଇଛି । ଖୁବଶୀଘ୍ର ଅନ୍ୟମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।

ତେବେ ଦୋକାନୀ-ଗ୍ରାହକଙ୍କ ମଧ୍ୟରେ ବଚସାରୁ ଏଭଳି ତୁମୁଳକାଣ୍ଡ ହୋଇଛି । ଗ୍ରାହକଙ୍କୁ ଦୋକାନୀଙ୍କ ଦୁର୍ବ୍ୟବହାର ପରେ ଗ୍ରାହର ଆକ୍ରମଣ ପାଇଁ ଏକ ଗୋଷ୍ଠୀ ନେଇ ମାର୍କେଟ ବିଲ୍ଡିଂ ଭିତରେ ପଶିଥିଲେ ଆଉ ଆଖିବୁଜା ଆକ୍ରମଣ କରିଥିଲେ । ତେବେ ଘଟଣାରେ ୨ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସେପଟେ ଦିଲ୍ଲୀର ଜେଏନୟୁ ଷ୍ଟାଇଲ ଭଳି ଭୁବନେଶ୍ୱରରେ ମଧ୍ୟ ମୁଖାପିନ୍ଧା ଆକ୍ରମଣ ଦେଖିବାକୁ ମିଳିଛି । ପ୍ରାୟ ୩୦ରୁ ଅଧିକ ମୁଖାପିନ୍ଧା ଦୁର୍ବୃୃତ୍ତ ରାସ୍ତା ଉପରେ ଦୋକାନ ଖୋଲି ବସିଥିବା ଦୋକାନୀଙ୍କୁ ଗୋଡେଇ ଗୋଡେଇ ପିଟିଥିଲେ । ସେମାନଙ୍କ ଆଗରେ ଯାହା ପଡିଲା ତାକୁ ଭାଙ୍ଗି ଚାଲିଥିଲେ ଦୁର୍ବୃତ୍ତ । ଆକ୍ରମଣରେ ଗୁପଚୁପ ଏବଂ ଚାଟ ଦୋକାନୀ ଅଧିକ ପ୍ରଭାବିତ ହୋଇଛନ୍ତି ।

ସେପଟେ ବଜାର ଭିତରେ ଦୁର୍ବୃତ୍ତଙ୍କ ଆତଙ୍କରାଜ ପରେ ଲୋକେ ଭୟଭୀତ ହୋଇପଡିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା । ତେବେ ପାଖରେ ପୋଲିସ ଷ୍ଟେସନ ଥାଇ ବି ଏ ଦୁର୍ବୃତ୍ତମାନେ କେଉଁଠୁ ଏତେ ସାହସ ପାଇ ଏଭଳି କାଣ୍ଡ ଘଟାଇଲେ ତାହା ଏବେ ବଡ ପ୍ରଶ୍ନବାଟୀ ସୃଷ୍ଟି କରିଛି ।