ହଠାତ୍ ଅସୁସ୍ଥ ହୋଇପଡିଲେ ମୁଖ୍ୟମନ୍ତ୍ରୀ ! ସିଏମଓ କହିଲା, ଗୁଳୁଗୁଳି ଯୋଗୁଁ ହୋଇପଡିଥିଲେ ଅସୁସ୍ଥ, ଏବେ ସଂପୂର୍ଣ୍ଣ ଠିକ ଅଛନ୍ତି ନବୀନ

41

କନକ ବ୍ୟୁରୋ : ହଠାତ ମୁଖ୍ୟମନ୍ତ୍ରୀ ଅସୁସ୍ଥ ହୋଇପଡିଲେ । ସଂପୂର୍ଣ୍ଣ କରିପାରିଲେନି ସ୍ୱାଧୀନତା ଦିବସ ସମାରୋହରେ ନିଜ ଅଭିିଭାଷଣ । ବକ୍ତବ୍ୟ ଅଧାରୁ ବନ୍ଦ କରି ଯାଇ ବସିପଡିଲେ । ଆଉ ଏଥିରେ ସହଯୋଗ କରିଥିଲେ ତାଙ୍କ ନିକଟରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀ । ଯାହା ଦର୍ଶାଉଥିଲା ଯେ ମୁଖ୍ୟମନ୍ତ୍ରୀ ସୁସ୍ଥ ନାହାନ୍ତି । ଆଉ ଏହାର କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ପରେଡ ସ୍ଥଳ ଛାଡି ବାହରି ଯାଇଥିଲେ ନବୀନ ନିବାସ ।

ଏହାର କିଛି ସମୟ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିଲା ପ୍ରତିକ୍ରିୟା । ଯେଉଁଥିରେ କୁହାଯାଇଥିଲା, ଗୁଳୁଗୁଳି ପାଇଁ ମୁଖ୍ୟମନ୍ତ୍ରୀ ଅସୁସ୍ଥ ଅନୁଭବ କରିଥିଲେ । ହେଲେ ଏବେ ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି । ପୂର୍ବ ନିର୍ଦ୍ଧାରିତ ସମସ୍ତ କାର୍ଯ୍ୟକ୍ରମରେ ସେ ସାମିଲ ହେବେ । ତେବେ ସୂଚନା ଅନୁସାରେ ନବୀନ ନିବାସକୁ ଯାଇ କ୍ୟାପିଟାଲ ହସ୍ପିଟାଲର ଏକ ଡାକ୍ତରୀ ଟିମ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଂଚ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ପରବର୍ତ୍ତୀ କାର୍ଯ୍ୟକ୍ରମ ୧୧ଟା ୩୦ ମିନିଟ ସମୟରେ ଅଛି । ଯେଉଁଠି ସେ ପୋଲିସ ପଦକ ପ୍ରଦାନ ଉତ୍ସବରେ ସାମିଲ ହେବେ ।

ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଯିଏ ନବୀନ ନିବାସରେ ଉପସ୍ଥିତ ଥିଲେ କହିଛନ୍ତି, ମୁଖ୍ୟମନ୍ତ୍ରୀ ସାମାନ୍ୟ ଅସୁସ୍ଥ ଅନୁଭବ କରିଥିଲେ । ହେଲେ ଏବେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି । ଗତ କିଛି ଦିନ ଧରି ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଚର୍ଚ୍ଚା ଚାଲିଥିବା ବେଳେ ଆଜିର ଏହି ଘଟଣା ଅନେକ ଚର୍ଚ୍ଚାକୁ ପୁଣି ଖୋରାକ ଯୋଗାଇଛି । ଯଦିଓ ପୂର୍ବରୁ ନିଜେ ମୁଖ୍ୟମନ୍ତ୍ରୀ କହିଥିଲେ, ସେ ସଂପୁର୍ଣ୍ଣ ସୁସ୍ଥ ଅଛନ୍ତି, ହେଲେ ଆଜିର ଘଟଣା ପୁଣି ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି ।