ବିଶ୍ୱ ସ୍ମାର୍ଟ ସିଟି ଆୱାର୍ଡ ରେସରେ ଭୁବନେଶ୍ୱର : ଚୂଡାନ୍ତ ତାଲିକାରେ ପ୍ରଥମ ଭାରତୀୟ ସହରଭାବେ ପାଇଲା ସ୍ଥାନ

71

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଡ଼ିଶା ପାଇଁ ଖୁସି ଖବର । ରାଜଧାନୀ ଭୁବନେଶ୍ୱର ପାଇପାରେ ବିଶ୍ୱ ସ୍ମାର୍ଟ ସିଟି ଆୱାର୍ଡ । ପ୍ରଥମ ଭାରତୀୟ ସହର ଭାବେ ବିଶ୍ୱ ସ୍ମାର୍ଟ ସିଟି ପ୍ରତିଯୋଗିତାରେ ପ୍ରତିଦ୍ୱନ୍ଦିତା କରିବ ରାଜଧାନୀ ଭୁବନେଶ୍ୱର । ଚଳିତ ମାସର ଶେଷରେ ବାର୍ସିଲୋନାରେ ହେବାକୁ ଥିବା ଏହି ବିଶ୍ୱ ସ୍ତରୀୟ ପ୍ରତିଯୋଗିତା ପାଇଁ ଚୂଡାନ୍ତ ତାଲିକାରେ ରହିଛି ଏହି ସହର । ଭାରତ ପକ୍ଷରୁ ସ୍ମାର୍ଟ ସିଟି ପାଇଁ ଚୟନ କରାଯାଇଥିବା ପ୍ରଥମ ୨୦ଟି ପ୍ରମୁଖ ସହରମାନଙ୍କ ତାଲିକା ଶୀର୍ଷରେ ରହିଛି ଭୁବନେଶ୍ୱର ।

ସ୍ମାର୍ଟ ସିଟି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଫ୍ଲାଗସିପ୍ ପ୍ରୋଗ୍ରାମ୍ । କେନ୍ଦ୍ର ସହର ବିକାଶ ମନ୍ତ୍ରାଳୟର ସୂଚନା ଅନୁସାରେ ଭୁବନେଶ୍ୱର ବିଶ୍ୱ ସ୍ମାର୍ଟ ସିଟି ପ୍ରତିଯୋଗିତାରେ ଭାଗ ନେବା ପାଇଁ ପ୍ରୋପୋଜାଲ ଜମା କରିସାରିଛି । ଏହି ପ୍ରତିଯୋଗିତାର ସ୍ମାର୍ଟ ସିଟି ଏକ୍ସପୋ ୱାର୍ଲ୍ଡ କଂଗ୍ରେସ ଆୟୋଜନ କରିବ । ସ୍ମାର୍ଟ ସିଟିରେ କେଉଁ ଭଳି ଭାବରେ ବିଭିନ୍ନ ଯୋଜନା ଓ ଉନ୍ନତମାନର ଜ୍ଞାନ କୋ÷ଶଳ ବ୍ୟବହାର କରାଯାଇ ସହରର ସ୍ଥାୟୀ ବିକାଶ ପାଇଁ ବ୍ୟବସ୍ଥା କରାଯାଇଛି ସେହି ଆଧାରରେ ଏହି ପୁରସ୍କାର ପାଇଁ ଚୟନ କରାଯାଇଛି ଓଡିଶାର ରାଜଧାନୀ ଭୁବନେଶ୍ୱରକୁ ।