ରାଜଧାନୀରେ ଧରାପଡିଲା କଲରାପତରିଆ ବାଘ । କୁକୁଡା ଖାଇବାକୁ ଆସି ଯନ୍ତାରେ ପଡିଲା ବାଘ

କଳରାପତରିଆ ବାଘ ଶେଷରେ ବନ ବିଭାଗ ବିଛାଇ ଥିବା ଯନ୍ତାରେ ପଡିଛି

315
କନକ ବ୍ୟୁରୋ : ଗତ ଦୁଇ ଦିନ ଧରି ରାଜଧାନୀରେ ଆତଙ୍କ ଖେଳାଇଥିବା କଳରାପତରିଆ ବାଘ ଶେଷରେ ବନ ବିଭାଗ ବିଛାଇ ଥିବା ଯନ୍ତାରେ ପଡିଛି । ବାଘକୁ ଧରିବା ପାଇଁ ବନବିଭାଗ ୭ଟି ଯନ୍ତା ପକାଇଥିଲା ଓ ସେଥିରେ କୁକୁଡା ଓ ଛେଳି ମାଂସ ରଖିଥିଲା । କୁକୁଡା ମାଂସ ଖାଇବାକୁ ଯାଇ ଯନ୍ତାରେ ପଡିଲା କଳରାପତରିଆ ବାଘ । ସୂଚନା ଅନୁସାରେ ବନ ବିଭାଗର ତିନୋଟି ଟିମ୍ ରାତି ତମାମ୍ ବାଘ ଧରିବା ପାଇଁ ଅପରେସନ୍ ଚଳାଇଥିଲେ, ଶେଷରେ ରାତି ପ୍ରାୟ ୩ଟା ୨୮ ମିନିଟରେ ବିମାନବନ୍ଦର କାର୍ଗୋ ଗେଟ୍ ପାଖରୁ ବାଘ ଧରାପଡିଥିଲା ।
ସୂଚନାଯୋଗ୍ୟ, ରବିବାର ଏୟାରପୋର୍ଟ ପାଚେରୀ ଡେଇଁ ଗୋଟିଏ କଲରାପତରିଆ ବାଘ ପଳାସପଲ୍ଲୀ ଅଞ୍ଚଳରେ ପଶି ଆସିଥିବା ଖବର ମିଳିଥିଲା। ଏହାପରେ ବାଘଟି ରାସ୍ତା ଅତିକ୍ରମ କରି ଈ-୭/୧ ପ୍ଲଟ୍ ପରିସରରେ ଥିବା ଏକ ବେସରକାରୀ ଅଫିସ୍ ଦୁଆର ମୁହଁରେ ବସିଥିଲା। କିଛି ସମୟ ପରେ ବାଘଟି ଛାତ ଉପର ଦେଇ ଚମ୍ପଟ ମାରିଥିଲା। ଏହି ଘରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା । ଏହି ଘଟଣାକୁ ନେଇ ପଳାସପଲ୍ଲୀର ସ୍ଥାନୀୟ ଲୋକ ମାନେ ଭୟଭୀତ ଥିଲେ ।