କାନ୍ଦୁଛନ୍ତି ବିଦେଶିନୀ ! ଜେଲ୍ ଭିତରେ ଗଡୁଛି ଅନୁତାପର ଲୁହ . . ଖୋଜୁଛନ୍ତି ମୁକ୍ତିର ବାଟ

28

କନକ ବ୍ୟୁରୋ : ରାଜଧାନୀର ମଝି ରାସ୍ତାରେ ହଙ୍ଗାମା କରି ଝାରପଡା ଜେଲରେ ଉଜବେକିସ୍ଥାନ ଯୁବତୀ । ଝାରପଡା ଜେଲର ମହିଳା ୱାର୍ଡରେ ଏବି ଦିନ କାଟୁଥିବା ଏହି ବିଦେଶିନୀ, ଦିନ ରାତି ଖାଲି ଗଡାଉଛନ୍ତି ଅନୁତାପର ଲୁହ । ପ୍ରତି ମୁହୂର୍ତ୍ତରେ ବିଳମ୍ବିତ ରାତିର ଘଟଣାକୁ ମନ ପକାଇ କାନ୍ଦି ପକାଉଛନ୍ତି । ଅନୁତାପ କରୁଛନ୍ତି ସେଦିନ ରାତିରେ ସେ କାହିଁକି ପୁଲିସ୍ ସହ ହଙ୍ଗାମା କଲେ ।

ଜେଲରର ଜଣେ ଅଧିକାରୀ କନକ ନ୍ୟୁଜକୁ ସୂଚନା ଦେଇ କହିଛନ୍ତି – ସେ ନିଜେ ଯେତେଥର ଯୁବତୀଙ୍କୁ ଯାଇ ଦେଖିଛନ୍ତି, ସବୁ ସମୟରେ ଯୁବତୀ ଜଣକ କାନ୍ଦୁଥାନ୍ତି । ଯାହା ପଚାରିଲେ ବି ଉତ୍ତର ଦିଅନ୍ତି ନାହିଁ । କିମ୍ବା କାହାର ସମବେଦନା ବି ଶୁଣିବା ପାଇଁ ଚାହାଁନ୍ତିନି ।

ଗତ ୨୪ ତାରିଖରୁ ଝାରପଡା ଜେଲରେ ଅଛନ୍ତି ଉଜବେକିସ୍ଥାନର ଏହି ଯୁବତୀ । ଯୁବତୀଙ୍କ ଜାମିନ ପାଇଁ ଜଣେ ଆଇନଜୀବୀ ଝାରପଡା ଜଲେ ଯାଇ ତାଙ୍କୁ ଭେଟିଛନ୍ତି । ହେଲେ ଏପର୍ଯ୍ୟନ୍ତ ଯୁବତୀ ଜଣକର ଜାମିନ ହୋଇ ପାରିନି । ଗତ ୨୩ ତାରିଖ ବିଳମ୍ବିତ ରାତିରେ ଏକ ହୋଟେଲ ସମ୍ମୁଖରେ ଯୁବତୀ ଜଣକର ନିଶାଶକ୍ତ ଅବସ୍ଥାରେ ପୁଲିସ୍ ସହ ଯୁକ୍ତି ତର୍କ ହୋଇଥିଲା । ଆଉ ଏହା ପରେ, ସିଧା ଜେଲକୁ ପଠାଇ ଦେଇଥିଲା ପୁଲିସ୍ ।