ମୃତ୍ୟୁ ଆସେ ଏମିତି ! ନିଅାଁର ଅାଁରେ ପୁରା ପରିବାର

57

ମୃତ୍ୟୁ ଏପରି ଆସିବ କିଏ ଚିନ୍ତା କରିଥିଲା । ନିଆଁ ଲାଗି ଜଳିଗଲା ଗୋଟିଏ ପରିବାରର ସୁଖର ସଂସାର । ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବୁଧେଶ୍ୱରୀ ନିକଟରେ ଥିବା ପାଲ୍ ହାଇଟ୍ସ୍ ମାଲିକ ସତପାଲ ସିଂଙ୍କ ଘରେ ଭୟାବହ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ପ୍ରାଣ ହରାଇଛନ୍ତି ଗୋଟିଏ ପରିବାରର ୪ଜଣଙ୍କ ସମେତ ୫ଜଣ ବ୍ୟକ୍ତି । ଆଜି ଭୋରରୁ ଘଟିଛି ଏହି ଭୟାବହ ଅଗ୍ନିକାଣ୍ଡ । ସତପାଲ ସିଂହଙ୍କ ଘରେ ନିଆଁ ଲାଗି ସାନପୁଅ, ବୋହୁ, ନାତି, ନାତୁଣୀ ଓ ସହାୟିକା ଖୁସି ଦାସ ପ୍ରାଣ ହରାଇଛନ୍ତି । ସମସ୍ତଙ୍କ ଶରୀର ନିଆଁ ଦ୍ୱାରା ବିଶେଷ କ୍ଷତିଗ୍ରସ୍ତ ହୋଇନାହିଁ । ତେଣୁ ଶ୍ୱାସରୁଦ୍ଧ ହୋଇ ସେମାନେ ପ୍ରାଣ ହରାଇଥିବା ଅନୁମାନ କରାଯାଉଛି । ସତପାଲ ସିଂହଙ୍କ ଜଣେ ସମ୍ପର୍କୀୟ ଭାଇ ଏହି ଅଗ୍ନିକାଣ୍ଡରେ ଗୁରୁତର ଅସୁସ୍ଥ ହୋଇ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତିି ହୋଇଛନ୍ତି । ମୃତଦେହ ଗୁଡିକ କ୍ୟାପିଟାଲ ହସ୍ପିଟାଲରେ ରଖାଯାଇଥିବା ବେଳେ ଆଜି ଶବ ବ୍ୟବଚ୍ଛେଦ କରାଯିବ ।

ଆଜିର ସକାଳ ସତପାଲ ସିଂହଙ୍କ ପରିବାର ପାଇଁ ସତେ ଯେମିତି ଦୁଃଖର ପାହାଡ ନେଇ ଆସିଥିଲା । ଅଳ୍ପ ସମୟ ମଧ୍ୟରେ ଛାରଖାର ହୋଇଗଲା ଗୋଟିଏ ପରିବାର । ମୃତ୍ୟୁ ଯେ ଏପରି ଆସିବ କେହି ବିଶ୍ୱାସ କରିନଥିବେ । ରାତି ୪ଟା ପାଖାପାଖି ସମୟରେ ପ୍ରଥମ ମହଲାରେ ଥିବା ଠାକୁର ଘର ଏସିରୁ ସର୍ଟ ସର୍କିଟ ହୋଇ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି । ପ୍ରଥମରୁ ଦ୍ୱିତୀୟ ମହଲାକୁ ଥିବା ସିଡି ସମ୍ପୂର୍ଣର୍ ଭାବେ କାଠରେ ତିଆରି ହୋଇଥିବାରୁ ଏଥିରେ ଲାଗିଥିବା ନିଆଁ ଭୟଙ୍କର ରୂପ ନେଇ ଦ୍ୱିତୀୟ ମହଲା ଆଡକୁ ବ୍ୟାପୀ ଯାଇଥିଲା । ଘରର ଗ୍ରାଉଣ୍ଡ ଫ୍ଲୋରରେ ସତପାଲ ସିଂହ ଓ ତାଙ୍କ ପତ୍ନୀ ରହୁଥିବାବେଳେ ପ୍ରଥମ ମହଲାରେ ତାଙ୍କର ବଡ ପୁଅଙ୍କ ପରିବାର ରୁହନ୍ତି । ହେଲେ ଏ ଅଗ୍ନିକାଣ୍ଡ ଦ୍ୱିତୀୟ ମହଲାରେ ରହୁଥିବା ତାଙ୍କ ସାନପୁଅର ସମ୍ପୂର୍ଣ୍ଣ ପରିବାରକୁ ଗିଳି ଦେଇଛି । ସାନପୁଅ ଗଗନପାଲ ସିଂହ(୩୯ବର୍ଷ ), ସାନବୋହୁ ଭାବନା ସିଂହ (୩୫ବର୍ଷ ), ନାତୁଣୀ ସୋହାବି ସିଂହ (୧୨ବର୍ଷ ), ନାତି ରୁବିର ସିଂହ( ୪ବର୍ଷ ) ଓ ଘରର ସହାୟିକା ଖୁସି ଦାସ (୧୨ବର୍ଷ) ଙ୍କ ଜୀବନ ଦୀପ ଲିଭିଯାଇଛି ।

ରାତି ୪ଟାରେ ନିଆଁ ଲାଗିବା ପରେ ପରିବାର ଲୋକେ ଏବଂ ପଡୋଶୀ ଗଗନପାଲଙ୍କ ପରିବାରକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ନିଆଁର ଭୟାବହତା ଏତେ ଅଧିକ ଥିଲା ଯେ, ସେମାନେ ଭୟଙ୍କର ଭାବେ ଜଳୁଥିବା ସିଡି ଦେଇ ଦ୍ୱିତୀୟ ମହଲାକୁ ଯିବା ସମ୍ଭବ ହୋଇନଥିଲା । ଖବର ପାଇ ଦମକଳ ବାହୀନି ଏବଂ ପୁଲିସ ପିସିଆର ଭ୍ୟାନ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଦୁଇ ଛୋଟ ପିଲା ସୋହାବି ଓ ରୁବିରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ଡାକ୍ତରଖାନା ନେବା ବାଟରେ ସେ ଦୁଇଜଣ ପ୍ରାଣ ହରାଇଥିବା କୁହାଯାଉଛି । ଗଗନପାଲ, ଭାବନା ଓ ଖୁସି ଦାସଙ୍କ ମୃତଦେହ ଉଦ୍ଧାର କରିଥିଲେ ଅଗ୍ନିଶମ ବିଭାଗ । ବେଡରୁମର ଆସବାବପତ୍ର ଏବଂ ଖଟ ବିଶେଷ କ୍ଷତିଗ୍ରସ୍ତ ହୋଇନଥିବାରୁ ସେମାନେ ସମସ୍ତେ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିବାର ଆଶଙ୍କା କରାଯାଉଛି ।

ଏସବୁ ସତ୍ୱେ ନିଆଁରୁ ବଞ୍ଚିବା ପାଇଁ ଚେଷ୍ଟା କରିଥିଲେ ପରିବାର ଲୋକ । ଦ୍ୱିତୀୟ ମହଲାର ଝରକାରୁ ଏକ ଲୁଗା ତଳକୁ ଓହଳି ଥିବାରୁ ପରିବାର ଲୋକେ ଜୀବନ ବଂଚାଇବା ପାଇଁ ବିକଳ ପ୍ରୟାସ କରିଥିବା ଜଣାପଡିଛି । ଏହାସହ ସତପାଲଙ୍କ ଘରେ ସବୁ ଡୋରରେ ସେନସର ଲକିଂ ସିଷ୍ଟମ କରାଯାଇଥିବାରୁ ଅଗ୍ନିକାଣ୍ଡରେ ଏହା ଅକାମି ହୋଇଯାଇଥିବା ଫଳରେ କେହି ବି ବାହାରକୁ ବାହାରିବା ସମ୍ଭବ ହୋଇନଥିଲା ବୋଲି କୁହାଯାଉଛି । ତାସହ ତିନି ମହଲା ବିଶିଷ୍ଟ ଏହି କୋଠାଘରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଥିଲା କି ନାହିଁ ସେ ନେଇ ମଧ୍ୟ ସ୍ପଷ୍ଟ ସୂଚନା ମିଳିନାହିଁ । ପୁଲିସ ଓ ସାଇଂଟିଫିକ୍ ଟିମ ପହଂଚି ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଅନୁସନ୍ଧାନ କରୁଛି ।