ବାତ୍ୟା ପରେ ଗାଁକୁ ବିଜୁଳି ଆଣିବା ସ୍ୱପ୍ନ ହେଲା କାଳ । ତେଲେଙ୍ଗାଫେଂଟରେ ବିଦ୍ୟୁତ୍ ଖୁଂଟ ପୋତିବା ସମୟରେ ନାବାଳକର ଗଲା ଜୀବନ

ମାତୃ ଦିବସରେ କାନ୍ଦି କାନ୍ଦି ତଳେ ଲୋଟିଯାଉଛି ମା

248

କନକ ବ୍ୟୁରୋ : ବାତ୍ୟା ପ୍ରଭାବିତ ଅଂଚଳରୁ ଏପରି ଦୁଃଖଦ ଖବର ଆସିଛି, ଯାହା ସମସ୍ତଙ୍କୁ ବିଚଳିତ କରିଦେଇଛି । ବିଦ୍ୟୁତ ଖୁଂଟ ଉଠା ଯାଉଥିବା ବେଳେ ପଡ଼ିଯିବାରୁ ଜଣେ ସପ୍ତମ ଶ୍ରେଣୀର ଛାତ୍ରଙ୍କ ଜୀବନ ଯାଇଛି । କଟକ ତେଲେଙ୍ଗାପେଣ୍ଠ ନିକଟ ନୂଆଗାଁରେ ଗାଁକୁ ବିଦ୍ୟୁତ ସଂଯୋଗ ପାଇଁ ଜଣେ ବ୍ୟକ୍ତି ଉଦ୍ୟମ କରୁଥିବା ବେଳେ ବିଦ୍ୟୁତ ଖୁଂଟ ପଡ଼ିଯିବାରୁ ଏପରି ଅଭାବନୀୟ ଅଘଟଣ ଘଟିଛି ।

ମାତୃ ଦିବସରେ କାନ୍ଦି କାନ୍ଦି ତଳେ ଲୋଟିଯାଉଛି ମା । ପୁଅକୁ ମନେ ପକାଇ ହରାଉଛି ଚେତା । ଭାଇକୁ ହରାଇ ଗୁମୁରି ଗୁମୁରି କାନ୍ଦୁଛି ସାନ ଭଇଣୀ । ସମ୍ପର୍କୀୟଙ୍କ ଆଖିରୁ ଶୁଖୁନି ଲୁହ । ଏ ହେଇଛି ତେଲେଙ୍ଗାପେଣ୍ଠ ନିକଟସ୍ଥ ନୂଆଗଡ ଗ୍ରାମର ଦୃଶ୍ୟ । ଗାଁକୁ ବିଦ୍ୟୁତ ସଂଯୋଗ ପାଇଁ ସେହି ଗାଁର ଜଣେ ବ୍ୟକ୍ତି ବ୍ୟକ୍ତିଗତ ଭାବେ ଉଦ୍ୟମ କରୁଥିବା ବେଳେ ବିଦ୍ୟୁତ ଖୁଂଟ ପଡିଯିବାରୁ ପ୍ରାଣ ହରାଇଛି ସପ୍ତମ ଶ୍ରେଣୀରେ ପଢୁଥିବା ୧୨ ବର୍ଷର ବାଳକ ବଂଟି ନାୟକ ।

ଖୁଂଟ ପଡିଯିବା ପରେ ବଂଟିକୁ ଉଦ୍ଧାର କରି ନିକଟସ୍ଥ ବେସରକାରୀ ଡାକ୍ତରଖାନାକୁ ନେଇଥିଲେ ଗ୍ରାମବାସୀ । କିନ୍ତୁ ସଂପୃକ୍ତ ଡାକ୍ତରଖାନା କର୍ତୃପକ୍ଷଙ୍କ ଅସହଯୋଗ କାରଣରୁ ବାପଛେଉଣ୍ଡ ବଂଟିର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ନୂଆଗଡ ବାସିନ୍ଦା । ଏହା ପରେ ଡାକ୍ତରଖାନା ସମ୍ମୁଖରେ ସୃଷ୍ଟି ହୋିଥିଲା ଉତେଜନା । ଏପରିକି ବିଦ୍ୟୁତ ସଂଯୋଗ ନେବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କ ଗାଡିକୁ ମଧ୍ୟ ଭଙ୍ଗାରୁଜା କରିଥିଲେ ଉତ୍ୟକ୍ତ ଗ୍ରାମବାସୀ ।

ବାତ୍ୟା ଯୋଗୁ ମା ଓ ସାନ ଭଉଣୀ ସହ ମାମୁଁଘର ଗାଁକୁ ଚାଲିଆସିଥିଲେ ବଂଟି । ବିଦ୍ୟୁତ ସଂଯୋଗ କାର୍ଯ୍ୟ ଚାଲୁଥିବା ବେଳେ ଉତ୍ସାହର ସହ କାମ ଦେଖୁଥିଲେ ସେ କିନ୍ତୁ ଆଲୁଅ ଆସିବା ପୂର୍ବରୁ ଲିଭିଯାଇଥିଲା ଏହି କୋମଳମତୀର ଜୀବନଦୀପ ।