ସ୍ୱଚ୍ଛ ସର୍ବେକ୍ଷଣରେ ୯୪ରୁ ୨୪୫କୁ ଖସିଲା ଭୁବନେଶ୍ୱରର ସ୍ଥାନ ! ଜାଣନ୍ତୁ କାହିଁକି ମାପକାଠିରେ ତଳକୁ ଗଲା ଓଡିଶା ।

29

କନକ ବ୍ୟୁରୋ : ଚଳିତ ବର୍ଷର ସ୍ୱଚ୍ଛ ସର୍ବେକ୍ଷଣରେ ଭୁବନେଶ୍ୱରର ସ୍ଥାନ ୨୪୫କୁ ଖସି ଯାଇଛି । ଗତବର୍ଷ ଭୁବନେଶ୍ୱରର ସ୍ଥାନ ୯୪ଥିବା ବେଳେ ଏଥର ୨୪୫କୁ ଖସିଛି । ଅନ୍ୟପଟେ ଓଡ଼ିଶାର ଅନ୍ୟ ୧୦ଟି ସହରର ସ୍ଥାନ ମଧ୍ୟ ଯଥେଷ୍ଟ ତଳକୁ ଖସିଯାଇଥିବା ଦେଖାଯାଇଛି । ସ୍ୱଚ୍ଚତାରେ ଓଡ଼ିଶାର ସ୍ଥାନ କାହିଁକି ତଳକୁ ଯାଉଛି ସେ ନେଇ ଚିନ୍ତା ପ୍ରକାଶ ପାଇଛି । ତେବେ କାହିଁକି ଭୁବନେଶ୍ୱରରେ ସ୍ୱଚ୍ଛତା ଏତେ ତଳକୁ ଖସିଯାଇଛି । ସ୍ୱାର୍ଟ ହେବାକୁ ସବୁଠାରୁ ଅଧିକ ସମ୍ଭାବନା ରଖିଥିବା ଭୁବନେଶ୍ୱରରେ ସ୍ୱଚ୍ଛତାର ମାପକାଠିରେ ଏତେ ତଳକୁ କାହିଁକି ଚାଲିଯାଉଛି ?

୧- ବର୍ଷ ବର୍ଷ ଧରି ଭୁଆସୁଣୀରେ ତିଆରି ସରୁନି ୩୨୫ କୋଟି ଟଙ୍କାର ଡମ୍ପିଂ ୟାର୍ଡ । ପାହାଡ଼ ଭଳି ଜମା ହୋଇ ରହିଛି ଆବର୍ଜନା । ଅଧ କିଲୋମିଟର ଦୂରରୁ ପାରିହେଲେ ବି ଦୁର୍ଗନ୍ଧ ଆସୁଥିବ ।

୨- ବର୍ଷ ବର୍ଷ ଧରି ଭୁବନେଶ୍ୱର ସହରରେ ଖୋଳା ଚାଲିଛି ଘରୋଇ ନର୍ଦ୍ଦମା ନିଷ୍କାସନ ପାଇଁ ସ୍ୱେରେଡ୍ ବ୍ୟବସ୍ଥା । ୬ଟି ଟ୍ରିଟମେଂଟ୍ ପ୍ଲାଣ୍ଟରୁ ଗୋଟିଏ ବି ତିଆରି ସରିଲା ନାହିଁ । ୭୫୫ କୋଟି ଟଙ୍କାର ଏହି ପ୍ରକଳ୍ପ ଧାର୍ଯ୍ୟ ସମୟର ୭ ବର୍ଷ ପରେ ବି ସରୁନାହିଁ ।

୩- ରାଜଧାନୀ ଭୁବନେଶ୍ୱରରେ ଏବେ ବି ଲୋକେ ଖୋଲାରେ ମଳତ୍ୟାଗ କରୁଛନ୍ତି । ଏହାକୁ ବନ୍ଦ କରିବା ପାଇଁ ବିଏମସି ଉଦ୍ୟମ କରୁଥିଲେ ମଧ୍ୟ ସଫଳ ହୋଇନାହିଁ ।

୪- ସହରର ଅଧିକାଂଶ ଅଂଚଳର ସଫେଇ କାର୍ଯ୍ୟକୁ ଘରୋଇ ସଂସ୍ଥା ହାତକୁ ଟେକି ଦିଆଯାଇଥିଲେ ବି ଗଳି ରାସ୍ତାଗୁଡ଼ିକ ଦିନ ଦିନ ଧରି ସଫା ହେଉନାହିଁ ।

ସ୍ୱଚ୍ଚତା ପାଇଁ ଦେଶବ୍ୟାପୀ ୪୮୫ଟି ବଡ଼ ସହରର ସର୍ବେକ୍ଷଣରେ ଭୁବନେଶ୍ୱରର ସ୍ଥାନ ପହଂଚିଛି ୨୪୫ରେ । ୨୦୧୭ରେ ଅର୍ଥାତ୍ ଗତ ବର୍ଷ ଭୁବନେଶ୍ୱରର ସ୍ଥାନ ଥିଲା ୯୪ । ସ୍ୱଚ୍ଛତାରେ ଦେଶର ୪୮୫ଟି ବଡ଼ ସହର ମଧ୍ୟରେ ୧ ନମ୍ବର ସ୍ଥାନରେ ରହିଛି ଇନ୍ଦୋର । କ୍ରମାଗତ ଦୁଇ ବର୍ଷ ହେଲା ପ୍ରଥମ ସ୍ଥାନରେ ରହିଆସୁଛି ଇନ୍ଦୋର । ଦ୍ୱିତୀୟ ସ୍ଥାନରେ ରହିଛି ଭୋପାଳ ଓ ତୃତୀୟ ସ୍ଥାନରେ ଚଣ୍ଡୀଗଡ଼ ।

ରାଜ୍ୟଦୃଷ୍ଟିରୁ ମଧ୍ୟ ସ୍ୱଚ୍ଛତାରେ ଓଡ଼ିଶାର ସ୍ଥାନ ୨୨ରେ ପହଂଚିଛି । ସ୍ୱଚ୍ଛତାରେ ଝାଡ଼ଖଣ୍ଡ ୧ ନମ୍ବର, ମହାରାଷ୍ଟ୍ର ୨ ନମ୍ବରରେ ରହିଥିବା ବେଳେ ଓଡ଼ିଶା ୨୨ରେ ରହିଛି । ସେହିଭଳି ୧ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ଓଡ଼ିଶାର ୧୧ଟି ସହର ଭିତରେ ବାଲେଶ୍ୱର ସ୍ଥାନ ୩୦୧, ରାଉରକେଲା ୩୦୭, ବ୍ରହ୍ମପୁର ୩୦୮ ଓ କଟକର ସ୍ଥାନ ୪୦୨ରେ ପହଂଚିଛି, ଯାହାକି ପୂର୍ବ ବର୍ଷ ତୁଳନାରେ ଢ଼େର ତଳକୁ ଖସିଯାଇଥିବା ଦେଖାଯାଇଛି ।