ରାଜଧାନୀର ସୋଲାର-ଇନ ବାରରେ ବିଳମ୍ବିତ ରାତ୍ରିରେ ଅଶ୍ଳୀଳ ନୃତ୍ୟ ପରିବେଷଣ ସମୟରେ ପୋଲିସର ଚଢଉ : ଘଟଣାସ୍ଥଳରୁ ୧୦ ଯୁବତୀ ଉଦ୍ଧାର

23

କନକ ବ୍ୟୁରୋ : ଅନେକ ସମୟରେ ରାଜଧାନୀ ଭୁବନେଶ୍ୱରରେ ଥିବା ଡ୍ୟାନ୍ସବାର ଗୁଡିକରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରାଯାଉଛି ବୋଲି ଅଭିଯୋଗ ହେଉଛି । ତେବେ ବିଳମ୍ବିତ ରାତିରେ ବାରରେ ଚଢାଉ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱରର ଖାରବେଳନଗର ଥାନା ଅଧିନରେ ଥିବା ସୋଲାର-ଇନ୍ ବାରରେ ବିଳମ୍ବିତ ରାତିରେ ଚଢାଉ କରିଥିବା ସହ ଘଟଣା ସ୍ଥଳରୁ ହିଁ ୧୦ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି । ପରେ ପୋଲିସ ବାରକୁ ସିଲ୍ କରିଦେବା ସହ ବାର ମ୍ୟାନେଜର ଓ ଫ୍ଲୋର ମ୍ୟାନେଜରଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି । ଉଦ୍ଧାର ଯୁବତୀମାନଙ୍କ ମଧ୍ୟରୁ ୫ ଜଣଙ୍କ ଘର ପଶ୍ଚିମବଙ୍ଗ ହୋଇଥିବା ବେଳେ ୨ ଜଣ ଦିଲ୍ଲୀ, ୨ ଜଣ ପଞ୍ଜାବ ଓ ଜଣଙ୍କ ଘର ଓଡିଶାରେ ବୋଲି ଜଣାପଡିଛି ।

 

ପୋଲିସ ରାତାରାତି ଯୁବତୀମାନଙ୍କୁ ସର୍ଟ-ଷ୍ଟେ ହୋମକୁ ପଠାଇ ଦେଇଛି । ତେବେ ଆଜି ଏହି ଯୁବତୀମାନଙ୍କର ଡାକ୍ତରୀ ମାଇନା କରାଯିବ । ଅନ୍ୟପଟେ ଅଟକ ଦୁଇ କର୍ମଚାରୀଙ୍କୁ ପଚରାଉଚରା କରି ପୋଲିସ ତଥ୍ୟ ଆଦାୟ କରୁଛି । ଅନୁମତି ନଥାଇ କାହିଁକି ବାରରେ ନୃତ୍ୟଗୀତ ଚାଲୁଥିଲା ଓ କେତେଦିନ ହେଲା ଏହା ଚାଲିଆସୁଛି ସେନେଇ ପୋଲିସ ଏହି ଦୁଇଜଣଙ୍କୁ ଜେରା କରୁଛି । ବାରରେ ଅଶ୍ଳୀଳ ନୃତ୍ୟ ଚାଲୁଥିବା ଅନେକ ଦିନ ହେବ ଅଭିଯୋଗ ହୋଇ ଆସୁଥିଲା । ତେବେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗତରାତି ସାଢେ ୧୧ଟାରେ ପୋଲିସ ସେଠାରେ ଚଢାଉ କରିଥିଲା । କେବଳ ଏହା ପ୍ରଥମ ନୁହେଁ ପୂର୍ବରୁ ମଧ୍ୟ ଅନେକ ଥର ଏପରି ଅଭିଯୋଗ ହୋଇଆସୁଥିଲା ତେବେ ପୋଲିସ କୈାଣସି ପଦକ୍ଷେପ ଗ୍ରହଣ କରିନଥିଲା କିନ୍ତୁ ଗତକାଲି ବିଶେଷ ସୂତ୍ରରୁ ଖବର ପାଇବା ପରେ ପୋଲିସ ଚଢଉ କରିଥିବା ଜଣାପଡିଛି ।